ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଏମିତି : ଏଚ୍‌ଆଇଭି ପଜିଟିଭ୍‌ ପ୍ରସୂତିଙ୍କୁ ବେଡ୍‌ ମନା!

ଶିଶୁ କନ୍ୟା ସହ ବାରଣ୍ଡାରେ ବିତୁଛି ଜୀବନ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଡିଏମ୍‌ଓ

ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଏମିତି : ଏଚ୍‌ଆଇଭି ପଜିଟିଭ୍‌ ପ୍ରସୂତିଙ୍କୁ ବେଡ୍‌ ମନା!

ବଲାଙ୍ଗୀର : ନା ବେଡ୍‌ ମିଳିଲା। ନା ସେବା ମିଳିଲା। ସହାୟତାର ହାତ ବଢ଼ାଇଲେ ନାହିଁ ନର୍ସ। ଡାକ୍ତର ବି ପାଖ ମାଡ଼ିଲେନି। ରବିବାର ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାର ଏମ୍‌ସିଏଚ୍‌କୁ ଆସିଥିବା ଏଚ୍‌ଆଇଭି ପଜିଟିଭ୍‌ ପ୍ରସୂତି ମହିଳା ଏଭଳି ଅଭିଯୋଗ ଆଣିଛନ୍ତି। ତାଙ୍କୁ ଏଠାରେ ଚିକିତ୍ସା ବଦଳରେ ଓଲଟି ଘୃଣା ଚକ୍ଷୁରେ ଦେଖା ଯାଇଥିବା ଓ ଦୁର୍ବ୍ୟବହାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଏଡ୍‌ସ ସଂକ୍ରାମକ ରୋଗ ନୁହେଁ ଓ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିବିଶେଷଙ୍କୁ ଘୃଣା କି ହତାଦର ନ କରିବା ଲାଗି ସରକାର ଯେତେ ଯାହା ବିଜ୍ଞାପନ ଓ ପ୍ରଚାର କଲେ ବି ବାସ୍ତବ ସ୍ଥିତି ଯେ ଓଲଟା ତାହା ପୁଣି ଦେଖିବାକୁ ମିଳିଛି ଏଠାରେ। ପ୍ରସୂତି ଓ ତାଙ୍କ ନବଜାତ ଶିଶୁକନ୍ୟାକୁ ବେଡ୍‌ ବଦଳରେ ବାରଣ୍ଡାରେ ପକାଇ ରଖାଯାଇଛି। ଏ ନେଇ ସିଡିଏମ୍‌ଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଘଟଣାର ତଦନ୍ତ କରାଯାଉଛି ବୋଲି ସିଡିଏମ୍‌ଓ କହିଛନ୍ତି।

ସୂଚନାଯୋଗ୍ୟ ଯେ ବିଭିନ୍ନ କାରଣକୁ ନେଇ ବଲାଙ୍ଗୀର ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତରଖାନା ସବୁବେଳେ ବିବାଦରେ ରହିଆସିଛି। ଏହି ବିବାଦ ତାଲିକାରେ ରବିବାର ଆଉ ଏକ ଫର୍ଦ୍ଦ ଯୋଡ଼ା ହୋଇଛି। ରବିବାର ଜଣେ ଏଚଆଇଭି ସଂକ୍ରମିତ ପ୍ରସୂତି ମହିଳାଙ୍କୁ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଆବଶ୍ୟକ ଚିକିତ୍ସା ବଦଳରେ ଘୃଣା ଚକ୍ଷୁରେ ଦେଖାଯିବା ସହ ଦୁର୍ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ପ୍ରସୂତି ମହିଳାଜଣଙ୍କ। ବଲାଙ୍ଗୀର ଚୂଡ଼ାପାଲି ଅଞ୍ଚଳର ଏହି ମହିଳା ପ୍ରସବ ପାଇଁ ସ୍ୱାମୀଙ୍କ ସହ ଆସି ୭ ତାରିଖ ସକାଳ ୧୦ ଟା ସମୟରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ମହିଳା ଜଣକ ଏଚଆଇଭି ସଂକ୍ରମିତ ବୋଲି ଜାଣିବାକୁ ପାଇବା ପରେ ତାଙ୍କୁ ବେଡ୍‌ ବଦଳରେ ବାରଣ୍ଡାରେ ରହିବାକୁ ନର୍ସମାନେ ନିର୍ଦେଶ ଦେଇଥିଲେ। ଦୀର୍ଘ ୬ ଘଣ୍ଟା ପରେ ଡାକ୍ତର ଆସି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ନେଇ ପ୍ରସୂତି ମହିଳା ଅଭିଯୋଗ କରିଛନ୍ତି । ପରେ ମହିଳାଜଣକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। କିନ୍ତୁ ମା’ ଓ ନବଜାତ ଶିଶୁକୁ ଏମ୍‌ସିଏଚ୍‌ ବାରଣ୍ଡାରେ ପକାଇ ରଖାଯାଇଛି।

ଏହି ଘଟଣା ନେଇ ଜିଲ୍ଲାର ସ୍ୱେଚ୍ଛାସେବୀମାନେ ତୀବ୍ର ପ୍ରତିକ୍ରୟା ପ୍ରକାଶ କରିଛନ୍ତି। ଡାକ୍ତରଖାନାରେ ଏଚଆଇଭି ସଂକ୍ରମିତ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ବଦଳରେ ଏପରି ଦୁର୍ବ୍ୟବହାର ଦେଖାଉଥିବା ନର୍ସ ଓ କର୍ମଚାରୀଙ୍କ ବିରୋଧରେ ଦୃଢ କାଯ୍ୟର୍ାନୁଷ୍ଠାନ ଗ୍ରହଣ କରିବାକୁ ସାମାଜିକ କର୍ମୀ ସୁଲୋଚନା ବହିଦାର ଦାବି କରିଛନ୍ତି। ଏ ନେଇ ସିଡିଏମ୍‌ଓଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଛି। ଏ ନେଇ ତଦନ୍ତ କରାଯାଉଛି, ଡାକ୍ତରଖାନାରେ ଯଦି କୌଣସି କର୍ମଚାରୀ ଏଚ୍‌ଆଇଭି ସଂକ୍ରମିତ ପ୍ରସୂତି ମହିଳାଙ୍କ ଚିକିତ୍ସାରେ ଅବହେଳା କି ତାଙ୍କୁ ଦୁର୍ବ୍ୟବହାର କରିଥିବେ, ନିଶ୍ଚିତ ଭାବେ କାଯ୍ୟର୍ାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମ୍‌ଓ ଡା.ସୁଜ୍ଞାନେନ୍ଦ୍ର ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe