କଟକ: ବାଦାମବାଡ଼ି ବସ୍ଷ୍ଟାଣ୍ଡରେ ବସ୍ ଭିତରୁ ୨ ଲକ୍ଷ ଟଙ୍କାର ଗଞ୍ଜେଇ ଆଜି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଜବତ କରିଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ଚାରି କୁଖ୍ୟାତ ଗଞ୍ଜେଇ ବେପାରୀଙ୍କୁ ଆଜି ଗିରଫ କରାଯାଇଛି । ସେମାନେ ହେଉଛନ୍ତି ବିହାର ସିଓ୍ଵାନ ଜିଲ୍ଲାର ବିଜୟ ପ୍ରକାଶ ଗଣ୍ଡ(୩୨), ଅନିଲ କୁମାର ଚୌଧୁରୀ(୩୩) ଏବଂ ଗଞ୍ଜାମ ଜିଲ୍ଲା ସେରଗଡ଼ ଅଞ୍ଚଳର ବରୁଣ ସ୍ୱାଇଁ(୨୪), ମୋହନ ଗୌଡ଼। ସେମାନଙ୍କ ନିକଟରୁ ୩୮ କେଜି ଓଜନ ଦୁଇ ବସ୍ତା ଗଞ୍ଜେଇ, ୪ ହଜାର ୨୦୦ ଟଙ୍କା, ମୋବାଇଲ୍ ଫୋନ୍ ଏବଂ ବସ୍ ଟିକେଟ୍ ଜବତ କରାଯାଇଛି ।
ସୂଚନା ଅନୁଯାୟୀ, ବିହାରରେ ଅବକାରୀ ସାମଗ୍ରୀ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଚୋରାରେ ଓଡ଼ିଶାରୁ ଗଞ୍ଜେଇ, ବ୍ରାଉନ୍ସୁଗାର ଚାଲାଣ କରାଯାଉଛି। ଓଡ଼ିଶାରେ କେଜି ପିଛା ୨୫ ଶହ ଟଙ୍କା ଥିବା ବେଳେ ବିହାରେ ୬ ହଜାର ଟଙ୍କାରେ ବିକ୍ରି କରାଯାଉଛି। ଏହାର ଫାଇଦା ଏବେ ଉଭୟ ବିହାର ଏବଂ ଓଡ଼ିଶାର ଗଞ୍ଜେଇ ବେପାରୀ ନେଉଛନ୍ତି। ଗିରଫ ହୋଇଥିବା ଚାରି ବେପାରୀ ଗତକାଲି ରାତିରୁ ଫୁଲ୍ବାଣୀରୁ ବସ୍ରେ ଗଂଜେଇ ଭର୍ତ୍ତି କରି କଟକ ବାଦାମବାଡ଼ି ବସ୍ଷ୍ଟାଣ୍ଡ ଆସିଥିଲେ। ଏଠୁ ଓହ୍ଲାଇବା ପରେ କଟକ ରେଳ ଷ୍ଟେସନ୍ ଅଭିମୁଖେ ଯାଇଥାନ୍ତେ। କିନ୍ତୁ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଆଗୁଆ ଏ ସଂପର୍କରେ ସୂଚନା ପାଇଥିଲା। ସକାଳ ପ୍ରାୟ ୬ଟା ବେଳେ ବସ୍ ପହଞ୍ଚିବା ପରେ ବିଭାଗ କର୍ମଚାରୀ ଚାରି ବେପାରୀଙ୍କୁ ବସ୍ ଭିତରେ ମାଡ଼ି ବସିଥିଲେ ।
ଅବକାରୀ କମିସନର ଦେବେନ୍ଦ୍ର ମହାପାତ୍ର ଏବଂ ଡେପୁଟି କମିସନର ଦୁର୍ଯ୍ୟୋଧନ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଇନ୍ସେପେକ୍ଟର ଅମରେନ୍ଦ୍ର ଜେନା, ବୈଜୟନ୍ତୀ ପଣ୍ଡା, ନିରଞ୍ଜନ ବେହେରା, ଅଜୟ ଜେନା, କିଶୋର ରାଉତ, ପୂର୍ଣ୍ଣଜିତ ମହାପାତ୍ର, ରାଜେଶ କିଶାନ, ରାମଚନ୍ଦ୍ର ଜେନା, ଦିଲ୍ଲୀପ ତ୍ରିପାଠୀ, ଜଗନ୍ନାଥ ନାୟକ, ଥବିର ପଟ୍ଟନାୟକ, ପ୍ରତୀମା ସ ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us