ବାଟବଣା ଯୋଜନା, ଫଳକରେ ଚାଲିଛି ପ୍ରହସନ

Advertisment
ବାଟବଣା ଯୋଜନା, ଫଳକରେ ଚାଲିଛି ପ୍ରହସନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ରେ ସ୍ୱଚ୍ଛ ଭାରତ ମିଶନ ଦ୍ୱାରା ପ୍ରଦତ୍ତ ଗ୍ରାମୀଣ ଶୌଚାଳୟ ଯୋଜନା ବାଟବଣା ହୋଇଛି । ଜିଲ୍ଲାର ଏବେ ମଧ୍ୟ ଅନେକ ଗାଁ ରହିଛି ଯେଉଁଠି ସ୍ୱଚ୍ଛ ଭାରତ ମିଶନ ର ଗ୍ରାମୀଣ ଶୌଚାଳୟ ଯୋଜନା ପହଂଚି ପାରି ନାହିଁ। ସରକାର ନିଜ ପାରିବାପଣିଆ ର ପରିଚୟ ଦେବାକୁ ଯାଇ ଗାଁ ଗାଁ ରେ ବାହ୍ୟମଳମୁକ୍ତ ଗାଁ ର ସୂଚନା ଫଳକ ଲଗେଇ ଦେଲେ। କିନ୍ତୁ ଏବେ ମଧ୍ୟ ଗାଁ ର ବୁଢା ବୁଢ଼ୀ, ଛୋଟ ଛୁଆ,ଯୁବକ ଯୁବତୀ ସକାଳ ହେବା ପୂର୍ବରୁ ଓ ସଞ୍ଜ ହେବା ପରେ ଗ୍ରାମ ମୁଖ୍ୟ ରାସ୍ତା ଦୁଇପାର୍ଶ୍ଵ, ପୋଖରୀ ହିଡ ଭଳି ଜାଗାରେ ଶୌଚ କରୁଥିବା ଦେଖିବାକୁ ମିଳୁଛି।

ଏପଟେ ସ୍ଥାନୀୟ ପରିମଳ ବିଭାଗ ସମସ୍ତ ଗାଁ ର ପ୍ରତ୍ୟେକ ପରିବାର କୁ ଶୌଚାଳୟ ଯୋଗାଇ ଦେଇଥିବା କଥା କହି ବାହାସ୍ପୋଟ ମାରୁଥିବା ଦେଖିବାକୁ ମିଳିଛି। ଏ ଭଳି ସ୍ଥିତିରେ ମଦନପୁର ରାମପୁର ବ୍ଲକ ଅଂଚଳରେ ଶୌଚାଳୟ ନିର୍ମାଣ ଓ ବାହ୍ୟମଳମୁକ୍ତ ଗାଁର ସୂଚନା ଫଳକମାନଙ୍କୁ ଦେଖିଲେ ଗ୍ରାମୀଣ ଶୌଚାଳୟ ଯୋଜନା ଏକ ପ୍ରହସନ ବୋଲି ମନେ ହୁଏ। ମଦନପୁର ରାମପୁର ବ୍ଲକର ଉର୍ଳାଦାନୀ ଗ୍ରାମ ପଞ୍ଚାୟତର ଗାଦାଡି ଗ୍ରାମରେ ଏହାର ନଗ୍ନ ପ୍ରତିଛବି ଦେଖିବାକୁ ମିଳିଛି।

ହଜାରେ ବର୍ଷ ରୁ ଉର୍ଦ୍ଧ୍ବ ସମୟର ଐତିହାସିକ ଗାଁ ହେଉଛି ଗାଦାଡି। ଯେଉଁଠି ୪୦ ପରିବାରର ଦୁଇଶହ ରୁ ଉର୍ଦ୍ଧ୍ବ ଲୋକ ରହୁଛନ୍ତି | କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଏ ଯାବତ ଏ ଅଂଚଳବାସୀ ବିଭିନ୍ନ ସରକାରୀ ଯୋଜନା ରୁ ବଂଚିତ ହୋଇ ରହି ଆସିଛନ୍ତି। ଯେଉଁଠି ସରକାରଙ୍କ ବିଭିନ୍ନ ଯୋଜନା ବାଟବଣା ହୋଇ ରହିଥିବାବେଳେ ପହଂଚିଛି କେବଳ ବାହ୍ୟମଳମୁକ୍ତ ଗାଁ ର ଏକ ସୂଚନା ଫଳକ। ୨୦୧୪ ମସିହା ରୁ ଆଜି ପର୍ଯ୍ୟନ୍ତ ଗାଁ ର କୌଣସି ପରିବାରଙ୍କ ପାଇଁ ଶୌଚାଳୟଟିଏ ମଧ୍ୟ ତିଆରି ହୋଇ ନାହିଁ ।କିନ୍ତୁ ଆଗତୁରା ବାହ୍ୟମଳମୁକ୍ତ ସୂଚନା ଫଳ ଲାଗିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାମର ଶତାଧିକ ମହିଳାମାନେ।ଏଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ତଦନ୍ତ କରି ପ୍ରତ୍ୟେକ ହିତାଧିକାରୀ ମାନଙ୍କୁ ଶୌଚାଳୟ ନିର୍ମାଣରେ ସହାୟତା କରନ୍ତୁ ବୋଲି ସମୂହ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe