New Indian Express
ଭୁବନେଶ୍ବର : ବାରିପଦାରେ ଥିବା ମୟୁରଭଞ୍ଜ ଆୟୁର୍ବେଦ ମେଡିକାଲ କଲେଜକୁ ସରକାରୀ ମେଡିକାଲ କଲେଜରେ ପରିଣତ କରିବା ପାଇଁ ସରକାରୀ ପ୍ରକ୍ରିୟାକୁ ତ୍ବାରାନ୍ବିତ କରାଯିବ। ଆଜି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏପରି ନିଷ୍ପତ୍ତି ହୋଇଛି। ଏହାସହିତ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦିପୁର ବସନ୍ତ ମଞ୍ଜରୀ ହସ୍ପିଟାଲର ଉନ୍ନତିକରଣ ଦିଗରେ ଥିବା ବିଭିନ୍ନ ପ୍ରତିବନ୍ଧକ ଦୂର କରି କିଭଳି କ୍ରୀୟାଶୀଳ କରାଯାଇପାରିବ ସେଥିପାଇଁ ନିଷ୍ପତ୍ତି ହୋଇଛି।
ମୟୂରଭଞ୍ଜ ମେଡିକାଲ କଲେଜକୁ ସରକାର ହାତକୁ ନେବା ପାଇଁ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତି ପାଳନ କରିବାକୁ ଯାଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବୈଠକରେ ସ୍ଥିର ହୋଇଥିଲା। ସେହିପରି ରଣପୁର ବ୍ଲକ ବସନ୍ତମଞ୍ଜରୀ ହସ୍ପିଟାଲର ସିଭିଲ୍ କନଷ୍ଟ୍ରକସନ୍, ମୁଖ୍ୟ ଫାଟକ ନିର୍ମାଣ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଅସ୍ତ୍ରପୋଚାର କକ୍ଷ ପାଇଁ ଆବଶ୍ୟକ ସରଞ୍ଜାମ, ଯନ୍ତ୍ରପାତି, ଡାକ୍ତର ପଦବି ପୂରଣ ନେଇ ଆଲୋଚନା ହୋଇଥିଲା। ଏଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ଦାସ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମୋରଡ଼ା ବିଧାୟକ ରାଜକିଶୋର ଦାସ, ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ସୁଶାନ୍ତ ମହାପାତ୍ରଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।
Follow Us