ରଥଯାତ୍ରାରେ ଯାଞ୍ଚ ହେବ ନୀଳଚକ୍ର : ମନ୍ଦିରରେ ପୁଣି ଲାଗିବ ଲୁହାଭାରା, ଉପର ସ୍ଥିତି ବି ଅନୁଧ୍ୟାନ ହେବ

ରଥଯାତ୍ରାରେ ଯାଞ୍ଚ ହେବ ନୀଳଚକ୍ର : ମନ୍ଦିରରେ ପୁଣି ଲାଗିବ ଲୁହାଭାରା, ଉପର ସ୍ଥିତି ବି ଅନୁଧ୍ୟାନ ହେବ

ପୁରୀ : ଲୁହାଭାରା ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଶ୍ରୀମନ୍ଦିରର ମରାମତି କାର୍ଯ୍ୟ ଏଯାବତ୍‌ ସମ୍ପୂର୍ଣ୍ଣ ହୋଇ ନଥିବା ବେଳେ ପୁଣି ଲୁହାଭାରା ଲଗାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି ଏଏସ୍‌ଆଇ। ରଥଯାତ୍ରା ପୂର୍ବରୁ ମନ୍ଦିରରେ ଲୁହାଭାରା ଲାଗିବ ଏବଂ ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ନୀଳଚକ୍ର, କନକମୁଣ୍ଡି ଓ ମନ୍ଦିରର ବାହାର ପାଖ ଯାଞ୍ଚ କରାଯିବ। ବାତ୍ୟା ‘ଫନି’ ଯୋଗୁ ପ୍ରଭାବିତ ଶ୍ରୀମନ୍ଦିର ପାଇଁ ଏଏସ୍‌ଆଇ ଏଭଳି ଯୋଜନା କରିଥିବା ଜଣାପଡ଼ିଛି।

ଶ୍ରୀମନ୍ଦିର ଯାଞ୍ଚ ପାଇଁ ଏଏସ୍‌ଆଇ ଲୁହାଭାରା ଲଗାଇଥିଲେ ମଧ୍ୟ ତାକୁ ଖୋଲିନଥିଲା। ମେ ୩ ତାରିଖ ‘ଫନି’ ପ୍ରଭାବରେ ଟନ୍‌ ଟନ୍‌ ଓଜନର ଏହି ଲୁହାଭାରା ଅଁଳାବେଢ଼ାଠାରୁ ଛିଣ୍ଡି ତଳେ ଅଜାଡ଼ି ହୋଇ ପଡ଼ିଥିଲା। ଏହାଦ୍ବାରା ସିଂହମୂର୍ତ୍ତି ଭାଙ୍ଗିବା ସହ ଅନେକ କଳାକୃତି ନଷ୍ଟ ‌ହୋଇଛି। ଏହାକୁ‌ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏଏସ୍‌ଆଇ ଉପରେ ଦୋଷ ଲଦିଥିଲେ ସମସ୍ତେ। ଦୁଇ ଦିନ ତଳେ ଏଏସ୍‌ଆଇ ଡିଜି ଆସି ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ କରିବା ପରେ ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମନ୍ଦିର ଉପରେ ବାତ୍ୟାର କି ପ୍ରକାର ପ୍ରଭାବ ପଡ଼ିଛି ତାହା ଜଣାପଡ଼ିଲାନାହିଁ।

ଇତିମଧ୍ୟରେ ଏଏସ୍‌ଆଇର ବୈଷୟିକ କୋର୍‌ କମିଟି ସଦସ୍ୟ ଶ୍ରୀମନ୍ଦିର ବାହାର ପାଖରୁ ତଦାରଖ କରିଛନ୍ତି। ହେଲେ ନୀଳଚକ୍ର, କନକମୁଣ୍ଡି, ଅଁଳା ବେଢ଼ା ଭଳି ସ୍ଥାନର ସ୍ଥିତି କ’ଣ ତାହା ଏବେ ବି ଅନ୍ଧାରରେ। ସବୁଠୁ ବଡ଼ କଥା ହେଉଛି, ବାତ୍ୟା ବେଳେ ରତ୍ନ ସିଂହାସନ ଉପରେ ପାଣି ପଡ଼ିଥିଲା, ଯାହାର ଯାଞ୍ଚ କରାଯିବା ଜରୁରି। ଦୁଇ ମହଲା ପାର୍‌ ହୋଇ ତଳକୁ ପାଣି ପଡ଼ିଲା କିପରି ସେହି ପ୍ରଶ୍ନ ଏବେ ଏଏସ୍‌ଆଇ ଓ ଶ୍ରୀମନ୍ଦିର ପ୍ରଶାସନକୁ ଚିନ୍ତାରେ ପକାଇଛି। ଏସବୁର ଯାଞ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି। ଏବେ ଶ୍ରୀବିଗ୍ରହମାନେ ସିଂହାସନରେ ବିଜେ କରିଛନ୍ତି। ତେଣୁ ଉପରେ ଚଢ଼ି ଯାଞ୍ଚ କରାଯାଇପାରିବ ନାହିଁ। ରଥଯାତ୍ରା ସମୟରେ ଶ୍ରୀବିଗ୍ରହମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବା ପରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ ହେବ। ସେହି ସମୟରେ ନୀଳଚକ୍ର ବି ଯାଞ୍ଚ କରାଯିବ ବୋଲି ସ୍ଥିର ହୋଇଛି। ସେଥି ପାଇଁ ଏଏସ୍‌ଆଇ ପକ୍ଷରୁ ପୁଣି ଥରେ ଲୁହାଭାରା ବନ୍ଧାଯିବ। ଖୁବ୍‌ଶୀଘ୍ର ଏହି କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ମରାମତି ପରେ ମନ୍ଦିରରୁ ତୁରନ୍ତ ଲୁହାଭାରା ଖୋଲି ଦିଆଯିବ ବୋଲି ଏଏସ୍‌ଆଇର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe