Skymet Weather
ଭୁବନେଶ୍ୱର : ଆସନ୍ତା ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷ ହେବାର ସମ୍ଭାବନା ରହିଛି। କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ସମେତ ଖୋର୍ଦ୍ଧା, ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ିଘଡ଼ି ସହ ବର୍ଷା ଏବଂ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ କୁଆପଥର ବର୍ଷାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ପୂର୍ବ ଆକଳନ ଅନୁଯାୟୀ ଫେବ୍ରୁଆରି ୪ ଓ ୫ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଶୁକ୍ରବାର ସକାଳୁ ପରବର୍ତ୍ତୀ ୩୬ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା, କେନ୍ଦ୍ରାପଡ଼ା, କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ରେ ସ୍ବଳ୍ପରୁ ମଧ୍ୟମ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, ପୁରୀ ଓ ଢେଙ୍କାନାଳରେ ସ୍ବଳ୍ପ ଏବଂ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାରେ ବିକ୍ଷିପ୍ତ ହାଲୁକା ବର୍ଷା ହୋଇପାରେ। ଶୁକ୍ରବାର ରାତିରେ ଉଭୟ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିବ। ପରବର୍ତ୍ତୀ ୩ ଦିନ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ଅପରିବର୍ତ୍ତିତ ରହିବାକୁ ଥିବା ବେଳେ ଆଭ୍ୟନ୍ତରୀଣ ଦକ୍ଷିଣରେ କ୍ରମଶଃ ବଢ଼ିବ। ସୋମବାର ସୁଦ୍ଧା ପ୍ରାୟ ୩ ଡିଗ୍ରି ବଢ଼ିବ। ଭୁବନେଶ୍ୱର ସମେତ କେନ୍ଦ୍ରୀୟ ଓ ଦକ୍ଷିଣ ଉପକୂଳରେ ଶୁକ୍ରବାର ଓ ଶନିବାର ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି କମି ସୋମବାରଠାରୁ ପୁଣି କ୍ରମଶଃ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁରରେ ଶୁକ୍ରବାର ଓ ଶନିବାର ରାତିରେ କୁହୁଡ଼ି ହେବାକୁ ଥିବା ବେଳେ ଗୁରୁବାର ଓ ଶୁକ୍ରବାର ରାତିରେ ଉତ୍ତର ଓଡ଼ିଶାରେ କୁହୁଡ଼ି ପଡ଼ିବ।
Follow Us