ରାଫେଲ କିଣାରେ ଭାରତ ୪୧,୨୦୫ କୋଟି ଟଙ୍କା କ୍ଷତି ସହିବ: ନିରଞ୍ଜନ

Advertisment

niranjan patnaik targets Rafale fighter jets deal

niranjan patnaik targets Rafale fighter jets deal

ରାଫେଲ କିଣାରେ ଭାରତ ୪୧,୨୦୫ କୋଟି ଟଙ୍କା କ୍ଷତି ସହିବ: ନିରଞ୍ଜନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଦୁର୍ନୀତିକୁ ଯେତେ ଘଣ୍ଟ ଘୋଡାଇବାକୁ ଚେଷ୍ଟା କଲେ ମଧ୍ୟ ତାହା ଜଳଜଳ ହୋଇ ପଦାକୁ ଦିଶୁଛି। ଗତ ଚାରିବର୍ଷ ମଧ୍ୟରେ ମୋଦୀ ଓ ଶାହାଙ୍କ ଯୋଡି ଦେଶବାସୀଙ୍କୁ କିଭଳି ଭୁଲ ତଥ୍ୟ ଦେଇଆସୁଛନ୍ତି ତାହା ଏବେ ଜନସାଧାରଣ ବୁଝିବା ଆରମ୍ଭ କଲେଣି। ସବୁଦିନ ପାଇଁ ଦେଶବାସୀ ଏବଂ ଆମ ଓଡ଼ିଶାବାସୀଙ୍କୁ କେବଳ କଥାରେ ସନ୍ତୁଷ୍ଟ କରି ରଖିବା ଅସମ୍ଭବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଏକ ବିବୃତିରେ ଶ୍ରୀ ପଟ୍ଟନାୟକ ମୋଦୀଙ୍କ ସମୟର ସବୁଠାରୁ ବଡ ଦୁର୍ନୀତି ରାଫେଲ ଯୁଦ୍ଧ ବିମାନ କାରବାରରେ ହୋଇଥିବା ଦର୍ଶାଇଛନ୍ତି। ସେ କହିଛନ୍ତି, ଫ୍ରାନ୍ସରୁ ରାଫେଲ ଯୁଦ୍ଧ ବିମାନ ଖରିଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ମୂଲ୍ୟରେ ରାଜି ହୋଇଛନ୍ତି ତାହା ଦ୍ୱାରା ଭାରତକୁ ୪୧,୨୦୫ କୋଟି ଟଙ୍କା କ୍ଷତି ସହିବାକୁ ପଡିବ। ମନମୋହନ ସିଂଙ୍କ ନେତୃତ୍ୱରେ ୟୁପିଏ ସରକାର କେନ୍ଦ୍ରରେ ଥିବାବେଳେ ରାଫେଲ ଯୋଗାଣ ନେଇ ଚୁକ୍ତି ହୋଇଥିଲା। ମୋଟ ୧୨୬ଟି ବିମାନ ମଧ୍ୟରୁ ଫ୍ରାନ୍ସ ୧୮ଟି ବିମାନ ପୂର୍ଣ୍ଣାଙ୍ଗ ନିର୍ମିତ ଅବସ୍ଥାରେ ହସ୍ତାନ୍ତର କରିଥାନ୍ତା ଏବଂ ଅବଶିଷ୍ଟ ୧୦୮ଟି ରାଫେଲ ବିମାନ ଭାରତରେ ରାଷ୍ଟ୍ରାୟତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍‌)ରେ ନିର୍ମାଣ କରାଯାଇଥାନ୍ତା।

ଶ୍ରୀ ପଟ୍ଟନାୟକ କହିଛନ୍ତି, ୟୁପିଏ ସରକାରଙ୍କ ରାଜିନାମା ଅନୁଯାୟୀ ପ୍ରତି ରାଫେଲ ବିମାନ ପିଛା ଭାରତକୁ ୫୨୬.୧୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥାନ୍ତା। ତାହାସହିତ ୧୦୮ଟି ରାଫେଲ ବିମାନ ଭାରତରେ ନିର୍ମାଣ କରାଯିବା ସକାଶେ ବହୁ ଇଞ୍ଜିନିୟର, ଟେକ୍‌ନିସିଆନ ଏବଂ କର୍ମଚାରୀଙ୍କ ନିମନ୍ତେ କର୍ମ ସଂସ୍ଥାନ ସୃଷ୍ଟି ହୋଇପାରିଥାନ୍ତା। କିନ୍ତୁ ମୋଦୀ ଫ୍ରାନ୍ସ ନିକଟରୁ ୩୬ଟି ବିମାନ ଖରିଦ କରିବାକୁ ଚୁକ୍ତି କଲେ। ତାହାସହିତ ପ୍ରତି ବିମାନ ପିଛା ୧୬୭୦.୭୦ କୋଟି ଟଙ୍କା ପ୍ରଦାନ କରିବାକୁ ଏଥିରେ ଉଲ୍ଲେଖ ରହିଛି। ୟୁପିଏ ସରକାର ସମୟରେ ରାଫେଲ ଯୁଦ୍ଧବିମାନ ପ୍ରଯୁକ୍ତିକୋଶଳ ଭାରତକୁ ହସ୍ତାନ୍ତର କରିବାକୁ ଚୁକ୍ତିରେ ଉଲ୍ଲେଖ ଥିଲା। କିନ୍ତୁ ମୋଦୀ ନିଜେ ଫ୍ରାନ୍ସ ଗସ୍ତରେ ଯାଇ ପ୍ରଯୁକ୍ତିକୋଶଳ ହସ୍ତାନ୍ତର ଚୁକ୍ତିକୁ ରଦ୍ଦ କରିବା ବିଷୟରେ ଆଲୋଚନା କଲେ। ମୋଦୀଙ୍କ ବନ୍ଧୁ ଅନିଲ ଅମ୍ବାନି ଏବଂ ତାଙ୍କର ରିଲାଏନ୍ସ ଗ୍ରୁପ୍‌କୁ ଫାଇଦା ଦେବା ଉଦ୍ଦେଶ୍ୟରେ ଏହା କରାଗଲା ବୋଲି କଂଗ୍ରେସ ଅଭିଯୋଗ କରିଛି।

ଶ୍ରୀ ପଟ୍ଟନାୟକ କହିଛନ୍ତି, ବିମାନ ନିର୍ମାଣ କ୍ଷେତ୍ରରେ ରିଲାଏନ୍ସର କୋଣସି ଅଭିଜ୍ଞତା ନାହିଁ। ମୋଦି ଏଥିପାଇଁ ଏପ୍ରିଲ ୨୦୧୫ରେ ରାଫେଲ ବିମାନ କ୍ରୟ ଚୁକ୍ତି ସମ୍ପର୍କରେ ଘୋଷଣା କରିବାର ଦଶଦିନ ପୂର୍ବରୁ ରିଲାଏନ୍ସ ଏଭଳି ଏକ କମ୍ପାନି ଆରମ୍ଭ କରିଥିଲା। ୟୁପିଏ ଚୁକ୍ତି ରଦ୍ଦ ସହିତ ନୂଆ ଚୁକ୍ତିନାମା କରି ମୋଦୀ ଦେଶକୁ ଆର୍ଥିକ କ୍ଷତି ପହଞ୍ଚାଇଛନ୍ତି। ଅନ୍ୟପକ୍ଷରେ ଇଜିପ୍ଟ ଏବଂ କାତାର ଭଳି ରାଷ୍ଟ୍ର ଏହାଠାରୁ କମ୍‌ ମୂଲ୍ୟରେ ୧୩୧୯.୮୦ କୋଟି ଟଙ୍କାରେ ରାଫେଲ ବିମାନ କିଣିବାକୁ ଚୁକ୍ତି କରିବାରେ ସଫଳ ହୋଇଛନ୍ତି। ୟୁପିଏ ପାଇଁ ଦେଶ ସର୍ବଦା ପ୍ରଥମ ଥିବାବେଳେ ମୋଦୀଙ୍କ ପାଇଁ ରିଲାଏନ୍ସ ପ୍ରଥମ ହୋଇଛି। କେନ୍ଦ୍ର ସରକାର ଦେଶବାସୀଙ୍କ ଆଗରେ ଏହି ତଥ୍ୟ ଲୁଚାଉଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏହା ଏକ ଗୋପନୀୟ ରାଜିନାମା ଏବଂ ତାହାକୁ ସର୍ବସାଧାରଣରେ ପ୍ରକାଶ କରାଯାଇପାରିବ ନାହିଁ କହି ଦେଶବାସୀଙ୍କୁ ଅନ୍ଧାରରେ ରଖୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

କଂଗ୍ରେସ ପ୍ରଶ୍ନ କରିଛି, ପ୍ରଧାନମନ୍ତ୍ରୀ ପ୍ୟାରିସ ଗସ୍ତରେ ଯାଇ ରାଫେଲ କିଣା ସମ୍ପର୍କରେ ଆଲୋଚନା କରିବା ଏବଂ ସେ ସମ୍ପର୍କରେ ଘୋଷଣା କରିବା ପୂର୍ବରୁ ଦେଶରେ ନିରାପତା କ୍ଷେତ୍ରରେ ରହିଥିବା କ୍ୟାବିନେଟ କମିଟିର ଅନୁମତି ନେଇଥିଲେ କି? ଦୀର୍ଘ ୭୦ ବର୍ଷର ଅଭିଜ୍ଞତା ଥିବା ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍‌)କୁ ପଛରେ ପକାଇ ମାତ୍ର ଦଶଦିନର ପୁରୁଣା ଏକ କମ୍ପାନିକୁ କେନ୍ଦ୍ର ସରକାର ରାଫେଲ ବିମାନ ନିର୍ମାଣ ସକାଶେ କିଭଳି ବାଛିଲେ? ଏହାଦ୍ୱାରା ଦେଶ ବିପୁଳ କ୍ଷତି ସହୁଥିବାବେଳେ ଉକ୍ତ ଅର୍ଥ କାହା ପକେଟକୁ ଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe