ରୀତାଙ୍କ ଗଡ଼ରେ ସୁଶାନ୍ତ ଗୋଷ୍ଠୀର ଶକ୍ତି ପ୍ରଦର୍ଶନ: ପଦଯାତ୍ରା ବନାମ ନୂଆଁଖାଇ ଭେଟ୍‌ଘାଟ୍‌

Advertisment

ଅଞ୍ଜନ ପ୍ରଧାନ

ଅଞ୍ଜନ ପ୍ରଧାନ

ରୀତାଙ୍କ ଗଡ଼ରେ ସୁଶାନ୍ତ ଗୋଷ୍ଠୀର ଶକ୍ତି ପ୍ରଦର୍ଶନ: ପଦଯାତ୍ରା ବନାମ ନୂଆଁଖାଇ ଭେଟ୍‌ଘାଟ୍‌

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀରେ କୌଣସି ନା କୌଣସି କାରଣରୁ ରାଜନୀତି ପାଣିପାଗ ଉଷ୍ଣ ରହୁଛି। କାରଣ ମନ୍ତ୍ରୀ ରୀତା ସାହୁ ଏବଂ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ସମର୍ଥକ ପରସ୍ପରକୁ ମାତ୍‌ ଦେବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ୧୧ ତାରିଖ ବିଜେପୁରଠାରେ ମନ୍ତ୍ରୀ ରୀତା ସାହୁ ନିଜ ସମର୍ଥକଙ୍କ ସହିତ ଜନ ସଂପର୍କ ପଦଯାତ୍ରା କରିଥିଲେ। ପଦଯାତ୍ରା ସହର ପରିକ୍ରମା କରିବା ପରେ ବ୍ଲକ୍‌ ପଡ଼ିଆଠାରେ ସଭା ହୋଇଥିଲା। କିନ୍ତୁ ମଞ୍ଚରେ ସୁଶାନ୍ତ ସିଂଙ୍କୁ ସମର୍ଥନ କରୁଥିବା ନେତାନେତ୍ରୀଙ୍କୁ ଦେଖିବାକୁ ମିଳିନଥିଲା। ଏଠାରେ ଜିଲ୍ଲା ବିଜେଡି ସଭାପତି ଡ. ପ୍ରଭାସ ସିଂହଙ୍କୁ ମଞ୍ଚ କିମ୍ବା ଶୋଭାଯାତ୍ରାରେ ଦେଖିବାକୁ ମିଳିନଥିଲା। ସବୁ ସରିବା ପରେ ଡ. ସିଂହ ଲୋକଙ୍କ ଖିଆପିଆ ସମୟରେ ଆସିଥିବା କୁହାଯାଉଛି।

ଅନ୍ୟପକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ବି ଅନୁପସ୍ଥିତ ରହିଥିଲେ। ପୂର୍ବରୁ ଏହି ନିର୍ବାଚନମଣ୍ଡଳୀର ଗାଈସିଲାଟ୍‌, ବିଜେପୁର ଏବଂ ବରପାଲିରେ ରୀତା ସାହୁ ଓ ସୁଶାନ୍ତ ସିଂଙ୍କ ସମର୍ଥକ ଗୋଟିଏ କାର୍ଯ୍ୟକ୍ରମକୁ ଅଲଗା ଅଲଗା ଭାବେ ଆୟୋଜନ କରିଥିବା ନଜିର ରହିଛି। ବିଜେପୁରରେ ବିଜେଡି ଦୁଇଫାଳ ଥିବା କାହାରିକୁ ଅଛପା ନାହିଁ। ଇତିମଧ୍ୟରେ ବରପାଲି ବ୍ଲକ୍‌ ଗୋପେଇପାଲି ଠାରେ ଅର୍ଥାତ ରୀତା ସାହୁଙ୍କ ଗଡ଼ରେ ସୁଶାନ୍ତ ସିଂଙ୍କ ସମର୍ଥକ ଗୋଷ୍ଠୀ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସୁଶାନ୍ତ ଅନୁପସ୍ଥିତ ଥିଲେ ହେଁ ବାଇକ୍‌ ରାଲିରେ ତାଙ୍କରି ସପକ୍ଷରେ ନାରାବାଜି ଚାଲିଥିଲା। ଏହି ଏଥିରେ ଜିଲ୍ଲା ସଭାପତି ପ୍ରଭାସ ସିଂହ, ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଏପିକଲ ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର, ବିଜେପୁର ଏନ୍‌ଏସି ଅଧ୍ୟକ୍ଷା ସୀତା ବାରିକ, ଯୁବ ବିଜେଡି ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କ ସମେତ ଅନ୍ୟମାନଙ୍କୁ ଦେଖିବାକୁ ମିଳିଥିଲା। ରୀତା ସାହୁ ରହୁଥିବା ବ୍ଲକ୍‌ରେ ଅନ୍ୟ ଗୋ‌ଷ୍ଠୀ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଜରିଆରେ ଶକ୍ତି ପ୍ରଦର୍ଶନ କରିବା ଦଳର ଦୁଇ ଫାଳିଆ ସ୍ଥିତିକୁ ଆହୁରି ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe