ତିହିଡି: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ମୂଷାଙ୍ଗ ଗାଁରେ ୩ ଶହ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ପାଳିତ ହୋଇଆସୁଛି ଘୋଷଯାତ୍ରା। ସବୁଠି ଦିନବେଳା ରଥଟଣା ହେଉଥିବା ବେକେ ଏଠାରେ ଦଧିବାମନ ଜିଉଙ୍କ ରଥକୁ ରାତିରେ ଟଣାଯିବାର ପରମ୍ପରା ରହିଛି। ଏଥିସହ ରଥଯାତ୍ରାଠାରୁ ବାହୁଡ଼ା ପର୍ଯ୍ୟନ୍ତ ୯ ଦିନ ମାଉସୀ ମା’ ମନ୍ଦିରରେ ଉଷୁନା ଚାଉଳରେ ପ୍ରସାଦ ଲାଗି ହୋଇଥାଏ।
କଥିତ ଅଛି ୨ ଶହ ବର୍ଷ ପୂର୍ବେ ଗାଁଠାରୁ କିଛି ଦୂରରେ ଥିବା ଏକ ମଠରେ ଦଧିବାମନ ଜିଉ ପୂଜା ପାଉଥିଲେ। ମୂଷାଙ୍ଗ ଗ୍ରାମର ଦାଶ ବଂଶଜମାନେ ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରୁଥିଲେ। ପରେ ଗ୍ରାମବାସୀଙ୍କ ସହଯୋଗରେ ଶ୍ରୀଜିଉଙ୍କ ବିଗ୍ରହକୁ ମଠରୁ ଆଣି ମନ୍ଦିରରେ ସ୍ଥାପନ କରାଯାଇଥିଲା। ସେହିଦିନଠାରୁ ପ୍ରତିବର୍ଷ ମୂଷାଙ୍ଗ ଗ୍ରାମରେ ଶ୍ରୀଜିଉଙ୍କ ରଥଯାତ୍ରା ପାଳିତ ହୋଇଆସୁଛି। ରଥଯାତ୍ରା ଦିନ ସନ୍ଧ୍ୟାରେ ଶ୍ରୀଜିଉଙ୍କୁ ପହଣ୍ତି କରି ରଥ ପାଖକୁ ନିଆଯାଇଥାଏ। ରଥ ଚତୁଃପାର୍ଶ୍ବରେ ବୁଲିବା ପରେ ଶ୍ରୀଜିଉ ରଥାରୂଢ ହୋଇଥାନ୍ତି। ରାତି ୯ଟା ପରେ ମାଉସୀ ମା’ ମନ୍ଦିରକୁ ରଥଟଣା ଯାଇଥାଏ। ମାଉସୀ ମା’ ମନ୍ଦିରରେ ରଥ ପହଞ୍ଚିବା ମାତ୍ରକେ ଶ୍ରୀଜିଉଙ୍କଠାରେ ଗଜା ମୁଗ ଲାଗି ହୋଇ ଭକ୍ତମାନଙ୍କୁ ବଣ୍ଟନ କରାଯାଏ।
ସେବକମାନେ ମଧ୍ୟ ରଥ ଉପରୁ ଗଜା ମୁଗ ପିଙ୍ଗିଥାନ୍ତି। ଏହି ଗଜା ମୁଗ ଭୋଗ ପାଇବା ପାଇଁ ଭକ୍ତମାନେ ଆନନ୍ଦରେ ନିଜ ନିଜର ଲୁଗାକାନି ଦେଖାଇ ଦିଅନ୍ତି। ପରେ ଶ୍ରୀଜିଉଙ୍କ ନିକଟରେ ଭୋଗ ସମର୍ପଣ ପରେ ମାଉସୀ ମା’ ମନ୍ଦିରକୁ ବିଜେ ହୋଇଥାନ୍ତି ଠାକୁର। ମନ୍ଦିରରେ ୯ ଦିନ ରହଣି କାଳରେ ଗାଁ ଲୋକେ ପାଳି କରି ଶ୍ରୀଜିଉଙ୍କ ପାଇଁ ଉଷୁନା ଚାଉଳରେ ପ୍ରସ୍ତୁତ ଅନ୍ନପ୍ରସାଦ ଭୋଗ ବ୍ୟବସ୍ଥା କରିଥାନ୍ତି। ପ୍ରସାଦ ଲାଗି ହେବା ପରେ ପ୍ରଥମେ ପିଲାମାନଙ୍କୁ ଓ ପରେ ପାଳି ଦେଇଥିବା ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯାଇଥାଏ।
Follow Us