ସରିଲା ବୈଠକ, କଂଗ୍ରେସର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ

ଟିକେଟ୍‌ ନ ମିଳିଲେ ୫୦ହଜାର ଟଙ୍କା ଚେକ୍‌ ଫେରସ୍ତ: ଶରତ ପଟ୍ଟନାୟକ

୧୫ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ତାଲିକା: ଶରତ

ପୁରୀ: ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆଶାୟୀ ପ୍ରାର୍ଥୀମାନଙ୍କୁ ନେଇ ପୁରୀର ହୋଟେଲ ବ୍ଲୁ-ଲିଲିଠାରେ ଚାଲିଥିବା ଦୁଇଦିନିଆ ବୈଠକ ଆଜି ଶେଷ ହୋଇଛି। ବୈଠକରେ ଟିକେଟ୍‌ ପାଇବାକୁ ଥିବା ପ୍ରାର୍ଥୀମାନଙ୍କ ଏକ ତାଲିକା ପ୍ରସ୍ତୁତ ହୋଇଛି। ଏହି ତାଲିକା ଏଆଇସିସି ପାଖକୁ ପଠାଯିବ। ଏଆଇସିସି ତାଲିକାର ତର୍ଜମା କରିବା ପରେ ଏପ୍ରିଲ ପ୍ରଥମ ସପ୍ତାହରେ କଂଗ୍ରେସ ବିଭିନ୍ନ ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଦୁଇଦିନ ଧରି ଚାଲିଥିବା ଏହି ବୈଠକରେ ଦଳର ବରିଷ୍ଠ ନେତାଙ୍କ ସହ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଆଶାୟୀ ବିଧାନସଭା ପ୍ରାର୍ଥୀମାନେ ଉପସ୍ଥିତ ଥିଲେ। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବୈଠକରେ ଏଆଇସିସିଙ୍କ ନିର୍ଦ୍ଦେଶକ୍ରମେ ସର୍ଭେ ଟିମ୍‌ ଓ ପ୍ରଗ୍‌ମନର ତାଲିକାଭୁକ୍ତ ପ୍ରାର୍ଥୀଙ୍କ ଉପରେ ଆଲୋଚନା ହୋଇଛି। ପ୍ରଗ୍‌ମନର ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ପାଇଁ ଦିଲ୍ଲୀରୁ ଆସିଥିବା ଦଳ ବି ପୁଙ୍ଖାନୁପୁଙ୍ଖ ଭାବେ ଉପସ୍ଥିତ ଆଶାୟୀ ପ୍ରାର୍ଥୀଙ୍କୁ ବୁଝାଇଛନ୍ତି। ଏଆଇସିସିର ପ୍ରଗମନ ଅନୁସାରେ ପ୍ରାର୍ଥୀମାନଙ୍କ ଏକ ତାଲିକା ପ୍ରସ୍ତୁତ ହୋଇଛି। କୌଣସି ନେତାଙ୍କର ସୁପାରିସକୁ ତାଲିକାରେ ସ୍ଥାନ ଦିଆଯାଇନି। ଖୁବଶୀଘ୍ର ଆମେ ପ୍ରାର୍ଥୀ ତାଲିକା ଘୋଷଣା କରିବୁ। ଦିଲ୍ଲୀରେ ବୈଠକ ପରେ ଏହି ତାଲିକା ଘୋଷଣା କରାଯିବ।

ଶ୍ରୀ ପଟ୍ଟନାୟକ କହିଛନ୍ତି, ଏଆଇସିସିର ନିର୍ଦ୍ଦେଶ ଅନୁସାରେ ଆଶାୟୀ ପ୍ରାର୍ଥୀମାନେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନାଁରେ ୫୦ହଜାର ଟଙ୍କା ଲେଖାଏଁ ଚେକ୍‌ ଦେଇଛନ୍ତି। ଏହା କାର୍ଯ୍ୟାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ଦିଆଯାଇଛି ଓ ଏଥିରେ ସ୍ବଚ୍ଛତା ଅବଲମ୍ବନ କରାଯାଉଛି। କାହାକୁ ବ୍ୟକ୍ତିଗତ ଭାବେ ଦିଆଯାଇନି। ଯେଉଁମାନେ ଟିକେଟ୍‌ ନ ପାଇବେ, ସେମାନଙ୍କୁ ଚେକ୍‌ ଫେରାଇ ଦିଆଯିବ। ଚେକ୍‌ ରଖିବାର କାରଣ ହେଉଛି, ଟିକେଟ୍‌ ପାଇବା ପରେ ବି କିଛି ବ୍ୟକ୍ତି ଅନ୍ୟ ଦଳରେ ମିଶି ଯାଉଛନ୍ତି, ଟିକେଟ୍‌ ଫେରାଇ ଦେଉଛନ୍ତି, ଅନ୍ୟ ଦଳ ସହ ମିଶି କାମ କରୁଛନ୍ତି। ଏହାକୁ ନଜରରେ ରଖି ଏଆଇସିସି ପକ୍ଷରୁ ବୋଧହୁଏ ଏହି ବ୍ୟବସ୍ଥା କରାଯାଇଛି। ନିର୍ବାଚନ ସଂପର୍କରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏଥର ଲଢ଼େଇ ଜୋରଦାର ହେବ। ନବୀନ ସରକାର ଦୁର୍ନୀତିରେ ବୁଡ଼ି ରହିଛନ୍ତି। ଏଥର କଂଗ୍ରେସ ଯେଉଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି, ସେଥିରେ ଓଡ଼ିଶାର ୫ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି, ସମସ୍ତ ଚାଷୀଙ୍କ ଋଣ ଛାଡ଼, ପ୍ରତି ମହିଳାଙ୍କୁ ମାସିକ ୨ହଜାର ଟଙ୍କା ଲେଖାଏଁ ଦିଆଯିବ, ୨ଶହ ୟୁନିଟ୍‌ ବିଜୁଳି ବିଲ୍ ଛାଡ଼ କରାଯିବ, ଏସ୍‌ଏଚ୍‌ଜିଙ୍କ ଋଣ ଛାଡ଼ ଆଦି ବ୍ୟବସ୍ଥା କରାଯାଇଛି। ଆମେ ନିଶ୍ଚିତ ନିର୍ବାଚନ ଜିତିବୁ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ୋକ୍ତିର ସହ କହିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ବୈଠକରେ କଂଗ୍ରେସ ଦଳର ବିଭିନ୍ନ ନିର୍ବାଚନମଣ୍ଡଳୀର ନେତାଙ୍କୁ ଡାକି ଆଲୋଚନା କରାଯାଇଛି। ନିର୍ବାଚନ ରଣନୀତି ପ୍ରସ୍ତୁତି, ଏହାର ଏକ ଅଂଶବିଶେଷ। ଆମ ପ୍ରାର୍ଥୀମାନେ କେଉଁଭଳି ପ୍ରସ୍ତୁତ ଅଛନ୍ତି, କେଉଁଭଳି ସହଯୋଗ ପ୍ରଦେଶ କଂଗ୍ରେସ କମିଟିଠାରୁ ଚାହୁଛନ୍ତି, ସେ ଉପରେ ଆଲୋଚନା ହୋଇଛି। ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ଯେଉଁମାନେ ପ୍ରଗମନ ଆପ୍‌ରେ ବିଧାୟକ ପାଇଁ ଅବେଦନ କରିଥିଲେ, ସେମାନଙ୍କ ଭିତରୁ ପ୍ରାୟ ୮୦ଜଣଙ୍କୁ ଡକାଯାଇଥିଲା। ସେମାନେ କିଭଳି ନିର୍ବାଚନ ଲଢ଼ିବେ, କେଉଁଭଳି ପ୍ରଗମନ କାର୍ଯ୍ୟକାରୀ ହେବ, ସେ ଉପରେ ବୁଝାଯାଇଛି। ଏହା କଲେ କଂଗ୍ରେସ ନିଶ୍ଚିତ ବିଜୟୀ ହେବ ଓ ‘୯ରୁ ୯୦’ ଛୁଇଁବ। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଏପ୍ରିଲ ମାସ ପ୍ରଥମ ସପ୍ତାହରେ ଘୋଷଣା ହେବ ବୋଲି ଶ୍ରୀ ସାଲୁଜା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe