୧୩୦ ପରିବାର ଭୋକ ଉପାସରେ, ଓଆଇଏସ୍‌ଏଲ୍‌ ମାଲିକ ଛୁ, ପ୍ରଶାସନର ବି ନିଘା ନାହିଁ

Advertisment
୧୩୦ ପରିବାର ଭୋକ ଉପାସରେ, ଓଆଇଏସ୍‌ଏଲ୍‌ ମାଲିକ ଛୁ, ପ୍ରଶାସନର ବି ନିଘା ନାହିଁ

Mapio.net

ରାଜଗାଙ୍ଗପୁର : କରୋନା ଲକ୍‌ଡାଉନ୍ ଯୋଗୁ ରାଜଗାଙ୍ଗପୁର ଜାମପାଲି ନିକଟରେ ଥିବା ଓଆଇଏସ୍‌ଏଲ୍‌ କାରଖାନାରେ କାମ କରୁଥିବା ୧୩୦ କର୍ମଚାରୀଙ୍କ ପରିବାର ଭୋକ ଉପାସରେ କାରଖାନା କଲୋନିରେ ପଡ଼ିଛନ୍ତି। ତାଙ୍କ ଦୁଃଖ ବୁଝିବାକୁ ନା କମ୍ପାନି କର୍ତ୍ତୃପକ୍ଷ କିଛି ଉଦ୍ୟମ କରୁଛନ୍ତି ନା ଏଥିପାଇଁ ପ୍ରଶାସନ ପାଖରେ ସମୟ ଅଛି। ଫଳରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି କର୍ମଚାରୀ ତଥା ସେମାନଙ୍କର ପରିବାରବର୍ଗ।

ରାଜଗାଙ୍ଗପୁର ଜାମପାଲି ସ୍ଥିତ ଓଆଇଏସ୍‌ଏଲ୍‌ କାରଖାନାର ମାଲିକ ଏବଂ ଉଚ୍ଚ କର୍ତ୍ତୃପକ୍ଷ କରୋନା ମହାମାରୀ ଯୋଗୁ ଲକ୍‌ଡାଉନ୍‌ର ଆଳ ଦେଖାଇ କାରଖାନାକୁ ବନ୍ଦ କରି ପଳାଇଛନ୍ତି। ଦୀର୍ଘ ଚାରି ମାସ ହେଲା କର୍ମଚାରୀ ତଥା ଶ୍ରମିକଙ୍କ ବେତନ ବାକି ରଖି ଆଉ ଦେଖା ଦେଉନାହାନ୍ତି। ବକେୟା ଦରମା ଆଶାରେ ୧୩୦ଟି ପରିବାରର ପ୍ରାୟ ୩୫୦ ଲୋକ ଭୋକ ଉପାସରେ କାରଖାନା ପରିସରରେ ପଡ଼ି ରହିଛନ୍ତି। କିଛି ଦିନ ତଳେ ଏହାକୁ ନେଇ ଚର୍ଚ୍ଚା ହେବାରୁ ରାଜଗାଙ୍ଗପୁର ବିଧାୟକ ସେଠାରେ ପହଞ୍ଚି କିଛି ଖାଦ୍ୟ ପାନୀୟର ବ୍ୟବସ୍ଥା କରିଥିଲେ। ସମସ୍ୟାର ସମାଧାନ ପାଇଁ ସେ ଜିଲ୍ଲାପାଳଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

ପ୍ରାୟ ୧୨୦୦ ଶ୍ରମିକ ଓ ୩୦୦ କର୍ମଚାରୀଙ୍କୁ ନେଇ ଚାଲୁଥିବା ଏହି କାରଖାନା ଶ୍ରମିକଙ୍କର ଗତ ଜାନୁଆରିରୁ ଏବଂ କର୍ମଚାରୀଙ୍କର ଡିସେମ୍ବର ମାସରୁ ଦରମା ବକେୟା ରଖିଛନ୍ତି। ଯାହାକି ପ୍ରାୟ ୫କୋଟି ଟଙ୍କା ହେବ। ଏହା ସାଙ୍ଗକୁ ବିଦ୍ୟୁତ ବିଲ୍‌ ବାବଦକୁ ୭କୋଟି, ଭାବିଷ୍ୟନିଧିର ୨ କୋଟି ସହ ଜିଏସ୍‌ଟି ବାବଦ କୋଟି କୋଟି ଟଙ୍କା ବାକି ପଡ଼ିଛି। ଦେବାଳିଆ ଅବସ୍ଥାରେ ଥିବା ଏହି କାରଖାନାର ଶ୍ରମିକ ଏବଂ କର୍ମଚାରୀଙ୍କୁ ଦରମା ନଦେଇ ମାଲିକ ତଥା କାରଖ‌ାନା କର୍ତ୍ତୃପକ୍ଷ ରାତାରାତି ଯେଉଁଭଳି ଛୁ’ ମାରିଲେ, ସେମାନେ ପୁଣି ଫେରିବେ ନା ନାହିଁ କର୍ମଚାରୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। କାରଖାନା ପରିସରରେ ଥିବା ଶ୍ରମିକ କର୍ମଚାରୀ କଲୋନି ବାସିନ୍ଦା ଜୀବନଜୀବିକା ଆଶଙ୍କାରେ କରୋନା ଯୋଗୁ ବନ୍ଦୀ ଅବସ୍ଥାରେ ଥିବାବେଳେ ପ୍ରଶାସନର ମଧ୍ୟ ନିଘା ପଡୁନାହିଁ। ରାତି ଅନ୍ଧାରରେ କାରଖାନା ପରିସରରେ ଥିବା ଯନ୍ତ୍ରାଂଶ ସବୁ ମଧ୍ୟ ଚୋରି ଆଶଙ୍କା ସୃଷ୍ଟି ‌ହେଉଛି। ଏପରି ମଧ୍ୟ ଚର୍ଚ୍ଚା ହେଉଛି ଯେ ଜାଣିଶୁଣି କାରଖାନାର ଯନ୍ତ୍ରାଂଶକୁ ଧୀରେ ଧୀରେ ଏଠାରୁ ନେଇ ଅନ୍ୟତ୍ର ବିକ୍ରି କରିବାକୁ ମସୁଧା ଚାଲିଛି। ଏହା ନିଶ୍ଚିତ ଭାବେ ତଦନ୍ତ ସାପେକ୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe