୧୬ରୁ ଏମ୍‌ସ ସାଟେଲାଇଟ୍‌ ସେଣ୍ଟରରେ ସାପ୍ତାହିକ ଓପିଡି ସେବା ଆରମ୍ଭ

Advertisment
୧୬ରୁ ଏମ୍‌ସ ସାଟେଲାଇଟ୍‌ ସେଣ୍ଟରରେ ସାପ୍ତାହିକ ଓପିଡି ସେବା ଆରମ୍ଭ

ବାଲେଶ୍ବର: ବହୁ ପତୀକ୍ଷା ପରେ ବାଲେଶ୍ବର ଏମ୍‌ସ ସାଟେଲାଇଟ୍‌ ସେଣ୍ଟରର ସାପ୍ତାହିକ ଓପିଡି ସେବା ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ। ପ୍ରତିରକ୍ଷା ବିଭାଗ କଲୋନି ବଦଳରେ ବାଲେଶ୍ବର ଜାତୀୟ ରାଜପଥ ବାମପଦାଠାରେ ନବନିର୍ମିତ ଏମ୍‌ସର ନୂତନ ବିଲ୍ଡିଂରେ ଏହି ସେବା ଆରମ୍ଭ ହେବ। ବହିଃର୍ବିଭାଗ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନହେବା ପର୍ଯ୍ୟନ୍ତ ପ୍ରତି ସପ୍ତାହର ଦୁଇଦିନ(ଶନିବାର ଓ ରବିବାର) ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ସକାଳ ୮ଟାରୁ ମଧ୍ୟାହ୍ନ ୧ ଘଟିକା ପର୍ଯ୍ୟନ୍ତ ରୋଗୀସେବା ପ୍ରଦାନ କରିବେ।

ଏଥର ଏଣ୍ଡୋକ୍ରିନୋଲୋଜି(ଅନ୍ତଃସ୍ରାବୀ ଗ୍ରନ୍ଥି ରୋଗ), ଜେନେରାଲ୍ ସର୍ଜରୀ(ଶଲ୍ୟ ଚିକିତ୍ସା) ଓ ସ୍କିନ୍(ଚର୍ମ ରୋଗ) ରୋଗ ସମ୍ବନ୍ଧ‌ରେ ପରାମର୍ଶ ଦିଆଯିବ। ଏହି କ୍ରମରେ ପ୍ରତି ସପ୍ତାହରେ ବିଭାଗ ଗୁଡ଼ିକ ପରିବର୍ତ୍ତିତ ହେବ। ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୁପର-ସ୍ପେସିଆଲିଟି ସେବା ମଧ୍ୟ ପ୍ରତି ମାସେ କିମ୍ବା ଦୁଇ ମାସରେ ଥରେ ଯୋଗାଇ ଦିଆଯିବ ବୋଲି ଭୁବନେଶ୍ୱର ଏମ୍‌ସ ଅଧୀକ୍ଷକ ଡାକ୍ତର ଏସ୍‌ ଏନ୍ ମହାନ୍ତି ସୂଚନା ଦେଇଛନ୍ତି।

ଅନ୍ୟାନ୍ୟ ଆନୁଷଙ୍ଗିକ ସେବା ମଧ୍ୟ ସପ୍ତାହକ ମଧ୍ୟରେ ବିଲ୍ଡିଂ ପରିସରରେ ପର୍ଯ୍ୟାୟକ୍ରମେ ଅନୁମୋଦନ ପରେ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଗତ ୬ ତାରିଖରେ ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ମୁକେଶ ତ୍ରିପାଠୀ, ସୁପରିନ୍‌ଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି, ପ୍ରଫେସର ଅଶୋକ ଜେନା, ପ୍ରଫେସର ସରୋଜ ମଜୁମଦାରଙ୍କ ସହିତ ଅନ୍ୟ ଅଧିକାରୀମାନେ ଏମ୍‌ସ ବାଲେଶ୍ବର ଓପିଡି ବିଲ୍ଡିଂର ସ୍ଥିତି ଅନୁଧ୍ୟାନ କରିବା ପରେ ଓପିଡି ସେବା ଖୁବ୍‌ଶୀଘ୍ର ଆରମ୍ଭ ହେବା ନେଇ ସ୍ପଷ୍ଟ କରିଥିଲେ। ତେବେ ଏମ୍‌ସ ଓପିଡି ସେବା ଆରମ୍ଭ ନେଇ ସୂଚନା ପାଇବା ପରେ ବାଲେଶ୍ବର ମେଡିକାଲ କ୍ରିୟାନୁଷ୍ଠାନ କମିଟିର ସଭାପତି ମମତା ମହାପାତ୍ର ଓ ଜନସମ୍ପର୍କ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ସମସ୍ତ କର୍ମକର୍ତ୍ତା ଏମ୍‌ସ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe