ଗଞ୍ଜାମ-ନୟାଗଡ଼ ସୀମାରେ ୩୦ ବର୍ଷ ହେଲା ଚାଲିଥିଲା ଦେଶୀବନ୍ଧୁକ କାରଖାନା

Advertisment

ଜଣେ ଗିରଫ, ତିନି ବନ୍ଧୁକ ସମେତ ବିଭିନ୍ନ ସରଞ୍ଜାମ ଜବତ

ଜଣେ ଗିରଫ, ତିନି ବନ୍ଧୁକ ସମେତ ବିଭିନ୍ନ ସରଞ୍ଜାମ ଜବତ

ଗଞ୍ଜାମ-ନୟାଗଡ଼ ସୀମାରେ ୩୦ ବର୍ଷ ହେଲା ଚାଲିଥିଲା ଦେଶୀବନ୍ଧୁକ କାରଖାନା

ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପୁଲିସ ଗତକାଲି ଗଞ୍ଜାମ-ନୟାଗଡ଼ ସୀମାନ୍ତ ଇଲାକାରେ ଚାଲିଥିବା ଏକ ଦେଶୀବନ୍ଧୁକ ତିଆରି କାରଖାନାକୁ ଠାବ କରିଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନ ଗୁମି ପଞ୍ଚାୟତ ଡିମିରିପଲ୍ଲୀ ଗ୍ରାମରେ ମୋହନ ମଲ୍ଲିକ ନିଜ ଘରେ ଏହି କାରଖାନା ଚଳାଇଥିଲା। ପୁଲିସ ସେଠାରେ ଚଢ଼ଉ କରି ୩ଟି ଦେଶୀବନ୍ଧୁକ ସମେତ ବନ୍ଧୁକ ନିର୍ମାଣରେ ବ୍ୟବହୃତ ହେଉଥିବା କାଠପଟା, ଲୁହାପାଇପ୍, ଡ୍ରିଲିଂ ମେସିନ୍, କଟର୍, ବ୍ଲୋର୍ ମେସିନ୍ ସମେତ ବିଭିନ୍ନ ସାମଗ୍ରୀ ଜବତ କରିଛି। ଦୀର୍ଘ ୩୦ ବର୍ଷ ଧରି ମୋହନ ଏହି ବେଆଇନ କାରଖାନା ଚଳାଉଥିବା ସହ ଗଞ୍ଜାମ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନକୁ ବନ୍ଧୁକ ଚାଲାଣ କରୁଥିଲା। ଏହି ବନ୍ଧୁକ ମୁଖ୍ୟତଃ ବନ୍ୟଜନ୍ତୁ ଶିକାର ପାଇଁ ବ୍ୟବହାର ହେଉଥିବା ତଦନ୍ତରୁ ଜଣାପଡ଼ିଛି। କେସ୍ ନମ୍ବର ୧୨୬ ଆର୍ମସ୍ ଆକ୍ଟ୍ ଅନୁସାରେ ଏକ ମାମଲା ରୁଜୁ ସହ ମୋହନକୁ କୋର୍ଟ ଚାଲାଣ କରାଯାଇଥିବା ଜଗନ୍ନାଥପ୍ରସାଦ ଥାନାଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି।

ସୂଚନାନୁସାରେ ଜଗନ୍ନାଥପ୍ରସାଦ ଥାନା ଇଲାକାରେ ବନ ବିଭାଗ ଓ ପୁଲିସ ପକ୍ଷରୁ ଚଢ଼ଉ ବେଳେ ଅଭିଯୁକ୍ତମାନଙ୍କଠୁ ବହୁବାର ଦେଶୀବନ୍ଧୁକ ଜବତ ହେଉଥିଲା। ତେବେ ଏହି ବନ୍ଧୁକ ସେମାନେ କେଉଁଠୁ ଆଣୁଛନ୍ତି, ଏହାର କୌଣସି ଥଳକୁଳ ମିଳୁ ନଥିଲା। ଗତମାସ ୨୪ ତାରିଖରେ ପୁଲିସ ଟିମ୍ ଖଇରପୁଟି ଗ୍ରାମରେ ପାଟ୍ରୋଲିଂ କରୁଥିବା ସମୟରେ ସୁଶାନ୍ତ ନାଇକ ନାମକ ଜଣେ ଯୁବକକୁ କାବୁ କରିଥିଲା। ତା’ଠାରୁ ଏକ ସିଙ୍ଗଲବୋର୍ ହାତତିଆରି ବନ୍ଧୁକ ଜବତ ହୋଇଥିଲା। ଏହି ବନ୍ଧୁକକୁ ସେ ମୋହନଠୁ କିଣିଥିବା ସ୍ବୀକାର କରିବା ସହ ତା’ର ଠିକଣା ମଧ୍ୟ ଦେଇଥିଲା। ତେବେ ୧୭ ଦିନ ଧରି ପୁଲିସ ମୋହନର ଗତିବିଧି ଉପରେ ନଜର ରଖିବା ସହ ତା’ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିଥିଲା। ଗତକାଲି ଭୋର୍‌ରେ ଏକ ଟିମ୍ ମୋହନର ଡିମିରିପଲ୍ଲୀ ଗ୍ରାମସ୍ଥିତ ବାସଭବନରେ ସଦଳବଳେ ଚଢ଼ଉ କରି ହାତତିଆରି ବନ୍ଧୁକ କାରଖାନାକୁ ଠାବ କରିବାରେ ସଫଳ ହୋଇଥିଲା। ଘରୁ ତିନିଟି ବନ୍ଧୁକ ଜବତ ହୋଇଥିଲା। କାରଖାନାର ଭାଟିକୁ ମଧ୍ୟ ମୋହନ ପୁଲିସକୁ ଦେଖାଇଥିଲା। ପରେ ପୁଲିସ ବିଭିନ୍ନ ସରଞ୍ଜାମ ଜବତ କରିଛି।

ପଚରାଉଚରା ବେଳେ ମୋହନ କହିଛି, ସେ ଦୀର୍ଘ ୩୦ ବର୍ଷ ହେଲା ବନ୍ଧୁକ ନିଜେ ତିଆରି କରି ବିକ୍ରି କରୁଛି। ମାସକୁ ପ୍ରାୟ ୮ରୁ ୧୦ଟି ବନ୍ଧୁକ ସେ ତିଆରି କରୁଥିଲା। ଗୋଟିଏ ବନ୍ଧୁକ ପିଛା ଦୁଇରୁ ଅଢ଼େଇ ହଜାର ଟଙ୍କା ଖର୍ଚ୍ଚ କରୁଥିବା ୭ରୁ ୮ହଜାର ଟଙ୍କା ଭିତରେ ବିକ୍ରି କରୁଥିଲା। ନୟାଗଡ଼, ଦଶପଲ୍ଲା, ଗଞ୍ଜାମ ଓ କନ୍ଧମାଳର କିଛି ଯୁବକ ଏବଂ ଶିକାରୀ ତା’ଠାରୁ ବନ୍ଧୁକ କିଣୁଥିଲେ। ତେବେ ସେ ଆଦିବାସୀ ହୋଇଥିବାରୁ ଏହା ବେଆଇନ କାର୍ଯ୍ୟ ବୋଲି ଜାଣି ନଥିଲା ବୋଲି ମୋହନ କହିଛି। ତେବ‌େ ଏହି ‌ବେଆଇନ ବନ୍ଧୁକ ତିଆରି କାରଖାନା ବିଷୟରେ ବନ ବିଭାଗ ଓ ପୁଲିସ କେମିତି ତିଳେମାତ୍ର ଆଭାସ ପାଇ ନଥିଲା, ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe