ଆକାଉଣ୍ଟରୁ ୪୦ ହଜାର ଗାଏବ, ଏତଲା ରଖୁନି ପୁଲିସ

Advertisment

ସୁନ୍ଦରଗଡ଼ : ଥର ଥର କରି ଚାରି ଥରରେ ଆକାଉଣ୍ଟରୁ ଉଠାଇନେଲେ ୪୦ ହଜାର। ଆକାଉଣ୍ଟଧାରୀ ଜାଣିବା ପରେ ଅଭିଯୋଗ କରିବା ପାଇଁ ଥାନାକୁ ଯାଇଥିଲେ। କିନ୍ତୁ ଏପରି ଅଭିଯୋଗ ଏଠି ଗ୍ରହଣ କରାଯାଏନି, ବ୍ୟାଙ୍କକୁ ଯାଅ କହି ଫେରାଇ ଦେଇଥିଲେ ଥାନାଧିକାରୀ । ସାଇବର ଅପରାଧର ଏହି ଅଭିଯୋଗ ଆସିଛି ସୁନ୍ଦରଗଡ଼ ପୁଲିସ ଜିଲ୍ଲା ଭଷ୍ମା ଥାନା ଜାମତଲିଆ ଗାଁରୁ।

ଦେବାର୍ଚ୍ଚନ କିସାନ ନାମକ ଜଣେ ଯୁଵକଙ୍କ ଏସଵିଆଇ ଆକାଉଣ୍ଟରୁ ଗତ ୧୭ ତାରିଖର ଭିନ୍ନ ଭିନ୍ନ ସମୟରେ ୪୦ ହଜାର ଟଙ୍କା ଏଟିଏମ ଉଠାଣ ହୋଇଥିଲା। ଦେବାର୍ଚ୍ଚନଙ୍କ ଆକାଉଣ୍ଟକୁ ଏସମ୍ପର୍କରେ ମେସେଜ୍ ଆସିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ପାଖରେ ଏଟିଏମ ଥିବା ଓ ଆକାଉଣ୍ଟ କି ଏଟିଏମ ସମ୍ପର୍କିତ ତଥ୍ୟ କାହାକୁ ଦେଇ ନଥିଲେ ବି ଟଙ୍କା କିପରି ଉଠିଲା ସେ ନେଇ ସନ୍ଦେହରେ ପଡିଥିଲେ। ତେବେ ବ୍ୟାଙ୍କକୁ ତୁରନ୍ତ ଯୋଗାଯୋଗ କରିବା ପରେ ଏହା ସାଇବର୍ ଅପରାଧୀଙ୍କ ଖେଳ ବୋଲି ବ୍ୟାଙ୍କ ଅଧିକାରୀ କହିଥିଲେ। କିନ୍ତୁ ଏଟିଏମ ଉଠାଣରେ ଦିନକୁ ଗୋଟିଏ ଆକାଉଣ୍ଟରୁ ୨୦ ହଜାର ଟଙ୍କାରୁ ଅଧିକ ଉଠାଣ ହୋଇପାରୁ ନଥିବା ଓ ୧୦ ହଜାର ଟଙ୍କା ଉଠାଣ ପାଇଁ ଓଟିପି ନମ୍ବର ଜରୁରୀ ଥିବାବେଳେ ଦେବାର୍ଚ୍ଚନଙ୍କ ଏଟିଏମରୁ କିପରି ଏସବୁ ପଦ୍ଧତି ବିନା ୪୦ ହଜାର ଟଙ୍କା ଉଠାଣ ହେଲା ତାକୁ ନେଇ ପ୍ରଶ୍ନଵାଚୀ ସୃଷ୍ଟି ହୋଇଛି। ତେବେ ବଡ କଥା ହେଲା ଦେବାର୍ଚ୍ଚନ ଏ ସଂକ୍ରାନ୍ତରେ ଏତଲା ଦେବାକୁ ଭଷ୍ମା ଥାନାକୁ ଯାଇଥିବା ବେଳେ ଅଭିଯୋଗ ରଖି ସାଇବର୍ ଅପରାଧୀଙ୍କୁ ଖୋଜିବା ବଦଳରେ ପୁଲିସ ତାଙ୍କୁ ଫେରାଇ ଦେଇଛି। ଥାନାରୁ ନିରାଶ ହୋଇଥିବା ଦେଵାର୍ଚ୍ଚନ ଏବେ ଏସପିଙ୍କୁ ଭେଟିବେ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe