ଘରେ ଘରେ ଜ୍ବର, ମନରେ ଡର; କରୋନା ମୃତ୍ୟୁ ୫୦ ଛୁଇଁଲା

Advertisment

୧୪ ହଜାର ଟପିଲା ରାଜଧାନୀ, ଦିନକରେ ୩୭୬ ପଜିଟିଭ୍

୧୪ ହଜାର ଟପିଲା ରାଜଧାନୀ, ଦିନକରେ ୩୭୬ ପଜିଟିଭ୍

ଘରେ ଘରେ ଜ୍ବର, ମନରେ ଡର; କରୋନା ମୃତ୍ୟୁ ୫୦ ଛୁଇଁଲା

ଭୁବନେଶ୍ବର: ସେପ୍ଟେମ୍ବରରେ ଏପ୍ରିଲ ମାସ ଭଳି ଖରା ହେଉଛି। ଘରୁ ବାହାରିଲେ ଦେହ ହାତ ସିଝିଯାଉଛି। ଯେମିତି ମୁଣ୍ଡ ବାଟେ ଖରା ଦେହରେ ପଶି ବିବ୍ରତ କରିପକାଉଛି। ଖରାରେ ଟିକେ ବୁଲି ଆସିଲେ ଦେହ ଦୁର୍ବଳ ଲାଗୁଛି। ଖାଲି ଖରା ନୁହେଁ, ହଠାତ୍‌ ଅସରାଏ ବଡ଼ ବର୍ଷା ହୋଇଯାଉଛି। ସଙ୍ଗେସଙ୍ଗେ ପାଣିପାଗ ପରିବର୍ତ୍ତନ ହୋଇଯାଉଛି। ଏହିଭଳି ପରବର୍ତ୍ତିତ ପାଣିପାଗ ରାଜଧାନୀବାସୀଙ୍କୁ ଅସୁସ୍ଥ କରିଦେଲାଣି। ଘରେ ଘରେ ଲୋକଙ୍କୁ ଥଣ୍ଡା ଜ୍ବର ମାଡ଼ିଗଲାଣି। କରୋନା ଭୟ ସମସ୍ତଙ୍କୁ ଗ୍ରାସିଥିବାବେଳେ ଦେହରେ ତାତି କି ନାକରୁ ପାଣି ବାହାରିଲେ କି ଗୋଟେ ଦୁଇଟା ଛିଙ୍କ ହୋଇଗଲେ କଥା ସରିଲା। ମନରେ କରୋନା ଭୟ ପଶିଯାଉଛି। ରାଜଧାନୀର ଗଳିକନ୍ଦି‌ରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ବହୁ ଲୋକ ସଙ୍ଗରୋଧରେ ରହୁଛନ୍ତି। ଏହି ସମୟରେ ଯାହାକୁ ଥଣ୍ଡା, କାଶ, ଜ୍ବର ହେଉଛି ତେବେ ସମସ୍ତେ କରୋନା ହୋଇଗଲା ବୋଲି କହୁଛନ୍ତି। ଏପରିକି ଦୁଇ ତିନି ଦିନ ଯଦି ଥଣ୍ଡା ଜ୍ବର ଲାଗି ରହୁଛି ତେବେ କରୋନା ପରୀକ୍ଷା କରି ରିପୋର୍ଟ ନଆସିବା ପର୍ଯ୍ୟନ୍ତ ପାଖପଡ଼ୋଶୀ ଅଛୁଆଁ ଭଳି ବ୍ୟବହାର କରୁଛନ୍ତି। ପୂରା ରାଜଧାନୀର ଏବେ ଏହି ସ୍ଥିତି। ଥଣ୍ଡା, ଜ୍ବର ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଔଷଧ ଦୋକାନରେ ଏବେ ଥଣ୍ଡା, ଜ୍ବର ଔଷଧ ପ୍ରବଳ ବିକ୍ରି ହେଉଛି। ଲୋକ କରୋନାକୁ ଚାପି ରଖିବା ପାଇଁ ଔଷଧ ଖାଉଥିବାରୁ କେତେକ ଦୋକାନୀ ବୟସ୍କ ଲୋକଙ୍କୁ ଥଣ୍ଡା, ଜ୍ବର ଔଷଧ ଦେଉନାହାନ୍ତି। ସିଧାସିଧା ଲୋକଙ୍କୁ ଫେରାଇ ଦେଉଛନ୍ତି। କହୁଛନ୍ତି ସ୍ବାସ୍ଥ୍ୟ ବିଭାଗ ବୟସ୍କ ଲୋକଙ୍କୁ ଔଷଧ ଦେବାକୁ ମନା କରିଛି। ତେଣୁ କେତେକ ଲୋକ ମିଛ କହି ଔଷଧ ଆଣୁଥିବା ଦେଖିବାକୁ ମିଳୁଛି।

publive-image

କେବଳ ଏତିକି ନୁହେଁ ରାଜଧାନୀରେ ଲୋକଙ୍କୁ ଥଣ୍ଡା ଜ୍ବର ବଢ଼ୁଥିବାବେଳେ କରୋନା ପରୀକ୍ଷା ବି ସେହି ଅନୁସାରେ ବଢ଼ିଚାଲିଛି। ବହୁ ଲୋକ ଲକ୍ଷଣ ଦେଖାଯିବା କ୍ଷଣି ନିକଟସ୍ଥ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ଘରୋଇ ହସ୍ପିଟାଲକୁ ଯାଇ କରୋନା ପରୀକ୍ଷା କରୁଛନ୍ତି। ଲୋକଙ୍କର କରୋନା ପରୀକ୍ଷା ପ୍ରତି କିପରି ଆଗ୍ରହ ଅଛି ତାହା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ଦୈନିକ ପରୀକ୍ଷାରୁ ଜଣାପଡ଼ିଯାଉଛି। ରାଜଧାନୀର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ବିଏମ୍‌ସି ପକ୍ଷରୁ ପ୍ରତିଦିନ ମାଗଣାରେ କରୋନା ପରୀକ୍ଷା କରାଯାଉଥିବାବେଳେ ଏହି ସଂଖ୍ୟା ଏବେ ଦିନକୁ ହଜାରେରୁ ଅଧିକ ହେଲାଣି। ଏପରିକି ପୂରା ରାଜଧାନୀରେ କରୋନା ପରୀକ୍ଷା ଦେଢ଼ ଲକ୍ଷ ଟପିଗଲାଣି। ଲୋକ କରୋନା ପରୀକ୍ଷା ନେଇ ସଚେତନ ହେଉଥିଲେ ହେଁ କେତେକ କ୍ଷେତ୍ରରେ ବିଏମ୍‌ସିର ଗୋଟିଏ ରିପୋର୍ଟ, ଘରୋଇ ହସ୍ପିଟାଲର ଆଉ ଗୋଟେ ରିପୋର୍ଟ ଆସୁଥିବାରୁ ଲୋକଙ୍କର କରୋନା ପରୀକ୍ଷା ପ୍ରତି ଭରସା ପାଉନି। ତେଣୁ ଯାହା ହେବ କହି ଥଣ୍ଡା ଜ୍ବର ଔଷଧ ଖାଇଦେଉଛନ୍ତି। ନଚେତ୍‌ କରୋନା ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲରେ ଯେଉଁ ଔଷଧ ଦିଆଯାଉଛି ତାହାକୁ ବଜାରରୁ କିଣିକି ଆଣି ଖାଇଦେଉଛନ୍ତି। କିଛି ଲୋକଙ୍କର ସେହି ଔଷଧ ଖାଇ ଭଲ ହୋଇଯାଉଛି ,ଆଉ କିଛି ଲୋକ ଔଷଧ ଖାଇଲେ ବି ଦେହ ବିଗିଡ଼ିଲେ ବିଳମ୍ବରେ ହେଉ ପଛେ କରୋନା ପରୀକ୍ଷା କରୁଛନ୍ତି। ସବୁ ସରକାରୀ ଓ ବେସରକାରୀ ଅଫିସରୁ ଆରମ୍ଭ କରି ହୋଟେଲ, ବ୍ୟାଙ୍କ, ଆବାସିକ କଲୋନି ଅଞ୍ଚଳରେ ଏବେ ଥଣ୍ଡା ଜ୍ବର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଲୋକମାନେ କରୋନା ନେଇ ଅଧିକ ଭୟଭୀତ ହୋଇଯାଉଛନ୍ତି।

ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଯାହାର ଲକ୍ଷଣ ଦେଖାଯାଉଛି ସେମାନେ କରୋନା ପରୀକ୍ଷା କରନ୍ତୁ। ଯଦି କରୋନା ହୋଇନି ବୋଲି ଭାବୁଛନ୍ତି କିମ୍ବା ଥଣ୍ଡା ଜ୍ବର ହୋଇଛି ସେନେଇ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଆନ୍ତୁ। ସେତିକି ବି ଯିଏ କରିପାରୁନାହାନ୍ତି ସେମାନେ ୧୯୨୯ ନମ୍ବରରେ ଫୋନ୍‌ କରି ଡାକ୍ତର ଓ ମନସ୍ତତ୍ତ୍ବବିତ୍‌ଙ୍କ ପରାମର୍ଶ ନେଇପାରିବେ। କାରଣ ଲୋକଙ୍କୁ କରୋନା ନହେଲେ ‌ବି ସେମାନେ ମାନସିକ ସ୍ତରରେ ଦୁର୍ବଳ ହୋଇଯାଉଥିବାରୁ ଅଧିକ ଭୟଭୀତ ହୋଇଯାଉଛନ୍ତି କିମ୍ବା ଅ‌ନ୍ୟ ରୋଗ ମାଡ଼ି ବସୁଛି। ତେଣୁ ଲୋକମାନେ ୧୯୨୯ ନମ୍ବରରେ ଫୋନ୍‌ କରି ହେଉ କିମ୍ବା ଡାକ୍ତରଙ୍କର ପରାମର୍ଶ ନେଇ ଔଷଧ ଖାଆନ୍ତୁ।

publive-image

୧୪ ହଜାର ଟପିଲା ରାଜଧାନୀ
ଭୁବନେଶ୍ବର: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ହଜାର ଟପିଛି। ଗତ ୨୪ଘଣ୍ଟାରେ ରାଜଧାନୀରେ ୩୭୬ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୧୪,୦୬୫ରେ ପହଞ୍ଚିଛି। ଫଳରେ ଚିକିତ୍ସିତ ‌ରୋଗୀଙ୍କ ସଂଖ୍ୟା ୫୦୫୩ରେ ପହଞ୍ଚିଯାଇଛି। ରାଜଧାନୀର ଅଧିକାଂଶ ଆଇସିୟୁରେ ଆଉ ରୋଗୀଙ୍କ ପାଇଁ ଜାଗା ନାହିଁ। ଆଜି ଆଉ ୩୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪୫ ସଙ୍ଗ‌ରୋଧରୁ ଓ ୨୩୧ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସଙ୍ଗରୋଧରୁ ୯ଜଣ ପୁଲିସ କର୍ମଚାରୀଙ୍କୁ ବାଦ୍ ଦେଲେ ଏମ୍‌ସ ଓ ୪ଟି ଘରୋଇ ହସ୍ପିଟାଲରୁ ସଂକ୍ରମିତ ରହିଛନ୍ତି। ଏହାବାଦ୍ ସାଲିଆସାହି, ଆଦିବାସୀ, ଶିଖରଚଣ୍ଡୀ ବସ୍ତି ସମେତ ସହିଦନଗର, ପୁରୁଣା ଭୁବନେଶ୍ବର, ଗ୍ୟାରେଜ୍ ଛକ ଓ ଅନ୍ୟାନ୍ୟ ଅଞ୍ଚଳରୁ ପୁଳା ପୁଳା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟ‌ରେ ୭ଟି ବସ୍ତି, ଲକ୍ଷ୍ମୀସାଗର, ଝାରପଡ଼ା, ବମିଖାଲ, ଚନ୍ଦ୍ରଶେଖରପୁର, ପଟିଆ, ସହିଦନଗର, ଡୁମୁଡୁମା, ଜାଗମରା, ଖଣ୍ଡଗିରି ଓ ଅନ୍ୟାନ୍ୟ ଅଞ୍ଚଳରୁ ମଧ୍ୟ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜଧାନୀରେ ଏ ପର୍ଯ୍ୟନ୍ତ ୮୯୪୯ କରୋନା ରୋଗୀ ସୁସ୍ଥ ହୋଇ ସାରିଛନ୍ତି। ରାଜଧାନୀରେ ସୁସ୍ଥ ହାର ପ୍ରାୟ ୬୪ ପ୍ରତିଶତ ରହିଛି। ଆଜି ପର୍ଯ୍ୟନ୍ତ ରାଜଧାନୀରେ କରୋନାରେ ୫୦ ଜଣଙ୍କର ମୃତ୍ୟୁ ହେଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe