Image Courtesy of NDTV
ମୁମ୍ବାଇ: ଶନିବାର ରାତିରେ ମହାରାଷ୍ଟ୍ରର ଔରଙ୍ଗାବାଦ ନଗରୀ ଅନ୍ତର୍ଗତ ଛତ୍ରପତି ସମ୍ଭାଜୀନଗରସ୍ଥିତ ଏକ ‘ହ୍ୟାଣ୍ଡ୍ ଗ୍ଲୋଭ୍’ ତିଆରି କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟି ଅନ୍ୟୂନ ୬ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା କଥା ନିଉଜ୍ ଏଜେନ୍ସି ‘ଏଏନ୍ଆଇ’ ରିପୋର୍ଟ କରିଛି।
ଅଗ୍ନିଶମ ବିଭାଗ କହିଛି, ୱାଲୁଜ୍ ‘ଏମ୍ଆଇଡିସି’ ଅଞ୍ଚଳରେ ଅବସ୍ଥିତ ଉକ୍ତ କାରଖାନାରେ ରାତି ପ୍ରାୟ ୨.୧୫ ମିନିଟ୍ ସମୟରେ ନିଆଁ ଲାଗିଥିଲା।
ଅଗ୍ନିଶମ ଅଧିକାରୀ ମୋହନ ମୁଙ୍ଗ୍ସେ ଗଣମାଧ୍ୟମକୁ କହିଛନ୍ତି, ରାତି ୨.୧୫ରେ ଆମେ ଫୋନ୍ କଲ୍ ପାଇଲୁ। ଆମେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ କାରଖାନା ଜଳୁଥିଲା। ସ୍ଥାନୀୟ ଲୋକେ ଆମକୁ ଜଣାଇଲେ ଯେ, ଭିତରେ ୬ଜଣ ଲୋକ ଫସି ରହିଛନ୍ତି। ଆମ ଅଧିକାରୀମାନେ ଭିତରେ ପ୍ରବେଶ କରି ୬ଜଣଙ୍କ ଶବ ଉଦ୍ଧାର କରିଛନ୍ତି। ଏବେ ନିଆଁ ଲିଭା ଉଦ୍ୟମ ଚାଲିଛି।
Image Courtesy of India Todayଆଗରୁ ସ୍ଥାନୀୟ ବାସିନ୍ଦାମାନେ କହିଥିଲେ ଯେ, କାରଖାନା କୋଠାରେ ଅନ୍ୟୂନ ୫ଜଣ ଶ୍ରମିକ ଫସି ରହିଛନ୍ତି। କିନ୍ତୁ, ପରେ ଅଗ୍ନିଶମ ବିଭାଗର ଅଧିକାରୀମାନେ ସୁନିଶ୍ଚିତ କଲେ ଯେ, ଏହି ଅଗ୍ନିକଣ୍ଡ ଘଟଣାରେ ଅନୂନ ୬ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ନିଆଁ ଲାଗିଲା ବେଳେ ଉକ୍ତ ଶ୍ରମିକମାନେ କାରଖାନା ଭିତରେ ଶୋଇଥିଲେ।
ଗଣମାଧ୍ୟମକୁ ଜଣେ ଶ୍ରମିକ କହିଛନ୍ତି, ନିଆଁ ଲାଗିବା ବେଳେ କାରଖାନା କୋଠାରେ ୧୦/୧୫ଜଣ ଶ୍ରମିକ ଶୋଇଥିଲେ। କେତେ ଜଣ ବାହାରକୁ ଚାଲି ଆସିବାକୁ ସମର୍ଥ ହୋଇଥିଲେ, କିନ୍ତୁ ଅନ୍ୟୂନ ୫ଜଣ ଭିତରେ ଫସି ରହିଯାଇଥିଲେ।
ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ବୋଲି ଅଗ୍ନିଶମ ବିଭାଗ ଅଧିକାରୀମାନେ କହିଛନ୍ତି।
Follow Us