୭୧ତମ ସାଧାରଣତନ୍ତ୍ର ଦିବସ, ମନ ମୋହିଲା ରୁକୁଣା ରଥ

Advertisment
୭୧ତମ ସାଧାରଣତନ୍ତ୍ର ଦିବସ, ମନ ମୋହିଲା ରୁକୁଣା ରଥ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ରାଜପଥଠାରେ ୭୧ତମ ସାଧାରଣତନ୍ତ୍ର ଦିବସ ରଙ୍ଗାରଙ୍ଗ ପରିବେଶରେ ପାଳିତ ହୋଇଯାଇଛି। ଏଥିରେ ଭାରତର ଶକ୍ତିଶାଳୀ ସାମରିକ ପରମ୍ପରା, ଦେଶର ସମୃଦ୍ଧ ଇତିହାସ, ସାଂସ୍କୃତିକ ବିବିଧତା, ସାମାଜିକ-ଅର୍ଥନୈତିକ ପ୍ରଗତି ଓ ମୂଲ୍ୟବୋଧ ଆଦି ଆକର୍ଷଣୀୟ ଶୈଳୀରେ ପ୍ରଦର୍ଶିତ ହୋଇଛି। କାର୍ଯ୍ୟକ୍ରମରେ ଦେଶବିଦେଶର ବହୁ ଅତିଥି ଉପସ୍ଥିତ ରହି ବିଶାଳ ପ୍ୟାରେଡ, ସାମରିକ କୌଶଳ ଏବଂ ସାଂସ୍କୃତିକ ବିବିଧତାକୁ ଉପଭୋଗ କରିଥିଲେ। ଚଳିତ ସା‌ଧାରଣତନ୍ତ୍ର ଦିବସରରେ ମୁଖ୍ୟ ଅତିଥି ଭାବେ ବ୍ରାଜିଲ ରାଷ୍ଟ୍ରପତି ଜାଏର ମେସିଆଜ୍‌ ବଲସୋନାରୋ ଯୋଗଦେଇଥିଲେ। ତୃତୀୟ ଥର ପାଇଁ ଭାରତୀୟ ସାଧାରଣତନ୍ତ୍ର ଦିବସରେ ଜଣେ ବ୍ରାଜିଲ ରାଷ୍ଟ୍ରପତି ମୁଖ୍ୟ ଅତିଥି ହୋଇଛନ୍ତି।

ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମର ଜୱାନ ଜ୍ୟୋତି ପରିବର୍ତ୍ତେ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିରେ ସିଡିଏସ୍‌ ଜେନେରାଲ୍‌ ବିପିନ ରାୱତ, ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ, ଜଳସେନା ମୁଖ୍ୟ ଆଡ୍‌ମିରାଲ କରମ୍‌ବୀର ସିଂହ ଏବଂ ବାୟୁ‌ସେନା ମୁଖ୍ୟ ଏୟାର ମାର୍ଶଲ ଆର୍‌କେଏସ୍‌ ଭାଦୋଡିଆ ଉପସ୍ଥିତ ଥିଲେ। ରାଜପଥଠା‌ରେ ବିଶାଳ ପ୍ୟାରେଡ ଆରମ୍ଭ ହୋଇଥିଲା। ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ବରିଷ୍ଠ ବିଜେପି ନେତା ଏଲ୍‌.କେ. ଆଡଭାନି, ବି‌ଜେପି ସଭାପତି ଜେ.ପି. ନଡ୍ଡା, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ପ୍ରଧାନ ବିଚାରପତି ଏସ୍‌.ଏ. ବୋବଡେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ମିଶନ ଶକ୍ତି ଅଧୀନରେ ବିକଶିତ ଆଣ୍ଟି ସାଟେଲାଇଟ ୱିପନ ସିଷ୍ଟମ (ଏ-ସ୍ୟାଟ୍‌), ନୂଆକରି ବାୟୁସେନାରେ ସାମିଲ ହୋଇଥିବା ଲଢୁଆ ହେଲିକପ୍‌ଟର ଆପାଚି, ଯୁଦ୍ଧ ବିମାନ ‘ଚିନୁକ’, ଆର୍ଟିଲାରି ଗନ୍‌ ସିଷ୍ଟମ ‘ଧନୁଷ୍‌’ ଭଳି ସାମରିକ ସମ୍ପଦ ପ୍ରଦର୍ଶିତ କରାଯାଇଥିଲା। ୨୧ ତୋପ ସଲାମୀ ପରେ ସାମରିକ ବାଦ୍ୟ ମାଧ୍ୟମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଗୋଆର ‘ବେଙ୍ଗ ବଞ୍ଚାଅ ଅଭିଯାନ’, ଜମ୍ମୁ-କାଶ୍ମୀରର ‘ଗାଁକୁ ଚାଲ’, ଓଡ଼ିଶାର ଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥଯାତ୍ରା ସମେତ ମୋଟ ୨୨ ପ୍ରଜ୍ଞାପନ ମେଢ ଦର୍ଶକ ଓ ଅତିଥିଙ୍କ ମନ ମୋହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe