ଫେରିଲେଣି ୮ ହଜାର ପ୍ରବାସୀ, ଆନ୍ଧ୍ର ସୀମାନ୍ତ ଚେକ୍ ପଏଣ୍ଟ ଅନୁଧ୍ୟାନ କଲେ ଏସପି

Advertisment
ଫେରିଲେଣି ୮ ହଜାର ପ୍ରବାସୀ, ଆନ୍ଧ୍ର ସୀମାନ୍ତ ଚେକ୍ ପଏଣ୍ଟ ଅନୁଧ୍ୟାନ କଲେ ଏସପି

ରାୟଗଡ଼ା : ଓଡ଼ିଶା-ଆନ୍ଧ୍ର ସୀମାନ୍ତ କେରେଡା ଚେକ୍ ପଏଣ୍ଟ ଆଜି ଅନୁଧ୍ୟାନ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା। ଚେକ୍ ପଏଣ୍ଟରେ ପୁଲିସ୍ ବ୍ୟବସ୍ଥାର ଯାଞ୍ଚ କରିବା ସହ ସୀମା ଦେଇ ଜିଲ୍ଲାକୁ ପ୍ରବେଶ କରୁଥିବା ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ ଓ ସେମାନଙ୍କ ସଙ୍ଗରୋଧ ସଂପର୍କରେ ଏସପି ଶ୍ରୀ ଶର୍ମା ପଚାରି ବୁଝିଛନ୍ତି। ସୀମାନ୍ତ କେରେଡା ଦେଇ ପଡୋଶୀ ଆନ୍ଧ୍ର ସମେତ ଦକ୍ଷିଣ ଭାରତର ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ପ୍ରବାସୀଙ୍କ ପଞ୍ଜିକରଣ, ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବା ବ୍ୟବସ୍ଥାର ମଧ୍ୟ ଏସପି ଅନୁଧ୍ୟାନ କରିଥିଲେ। ଆଜି ସୁଦ୍ଧା ସୀମାନ୍ତ ଦେଇ ଜିଲ୍ଲାକୁ ୮ ହଜାରରୁ ଅଧିକ ପ୍ରବାସୀ ଫେରିଥିବା ବେଳେ ପ୍ରଶାସନର ତତ୍ତ୍ବାବଧାନରେ ସଙ୍ଗରୋଧରେ ମାତ୍ର ଶହେ ପ୍ରବାସୀ ଥିବା ଜଣା ପଡିଛି। ଅନ୍ୟମାନଙ୍କ ସଙ୍ଗରୋଧ ଅବଧି ଶେଷ ସାଙ୍ଗକୁ ଆରଟିପିସିଆର ରିପୋର୍ଟ, ଟିକାକରଣ ସାର୍ଟିଫିକେଟ୍ ଥିବାରୁ ପ୍ରବାସୀଙ୍କୁ ନିଜ ଘରକୁ ଛାଡ଼ି ଦିଆଯାଇଥିବା ପ୍ରଶାସନ କହିଛି।

ତେବେ ବାହାର ରାଜ୍ୟରୁ ରାୟଗଡ଼ା ଦେଇ ଚଳାଚଳ କରୁଥିବା ଟ୍ରେନରେ ଆସୁଥିବା ଯାତ୍ରୀଙ୍କ ସଂପର୍କରେ ପ୍ରଶାସନ ନିକଟରେ କୌଣସି ସୂଚନା ନାହିଁ। ଜିଲ୍ଲାର ରାୟଗଡ଼ା, ମୁନିଗୁଡ଼ା ଷ୍ଟେସନରେ ବହୁ ଯାତ୍ରୀ ଓହ୍ଲାଇ ପଡୋଶୀ କନ୍ଧମାଳ, କଳାହାଣ୍ଡି ଜିଲ୍ଲାକୁ ଯାତାୟାତ କରୁଛନ୍ତି। ବର୍ତ୍ତମାନ ଲକଡାଉନ୍ ଚାଲିଥିଲେ ମଧ୍ୟ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ବିଭିନ୍ନ ସ୍ଥାନକୁ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି। ପ୍ରବାସୀ ଶ୍ରମିକଙ୍କ ଉପରେ କଡା ନଜର ରଖିବାକୁ ବ୍ଲକ୍ ପ୍ରଶାସନ ଓ ପୁଲିସକୁ କଡା ନିର୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଆଜି ହଠାତ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଭିଡ଼୍ ନିୟନ୍ତ୍ରଣ କକ୍ଷ ପରିଦର୍ଶନରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ନିୟନ୍ତ୍ରଣ କକ୍ଷର ସଠିକ୍ କାର୍ୟ୍ୟକାରିତା ଉପରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସହିତ ଜିଲ୍ଲାପାଳ ଆଲୋଚନା କରି ସାହାର୍ୟ୍ୟ ଚାହୁଁଥିବା ଲୋକଙ୍କ ସହିତ ଯୋଗଯୋଗ ଠିକ୍ରେ ହେଉଛି କି ନାହିଁ, କୋଭିଡ ପଜିଟିଭ୍ ରୋଗୀଙ୍କ ସଂପର୍କରେ ସଠିକ୍ ତଥ୍ୟ ରହିଛି କି ନାହିଁ ସେ ଉପରେ ଆଲୋଚନା କରିଥିଲେ। ନିୟନ୍ତ୍ରଣ କକ୍ଷ ୪ କର୍ମଚାରୀଙ୍କୁ ନେଇ ପରିଚାଳନା ହେଉଥିବାରୁ ଅତିରିକ୍ତ ୪ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିୟନ୍ତ୍ରଣ କକ୍ଷ ସକାଳ ୮ଟାରୁ ରାତି ୧୦ଟା ପର୍ୟ୍ୟନ୍ତ କାର୍ୟ୍ୟକାରୀ ହେଉଛି। ଏହା ପୂର୍ବରୁ ଜିଲ୍ଲାପାଳ ଆରଟିପିସିଆର, ଆଣ୍ଟିଜେନ୍ ପରୀକ୍ଷା ପାଇଁ ସଂଗ୍ରହ ହେଉଥିବା ସ୍ବାବ ସେଣ୍ଟରର ଅନୁଧ୍ୟାନ କରିଥିଲେ। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଡା. ଡି. ବି. ଦେବ, ଏନଏଚଏମ୍ ଡିପିଏମ ରାଜେଶ୍ବର ରାଓ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଜିଲ୍ଲାରୁ ୨୧୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବିଷମକଟକରୁ ୯, ଗୁଣପୁର ଗ୍ରାମାଞ୍ଚଳରୁ ୧୫, ଗୁଣପୁର ସହରାଞ୍ଚଳରୁ ୨୬, କଲ୍ୟାଣସିଂହପୁରରୁ ୭, କାଶୀପୁରରୁ ୧୫, କୋଲନରାରୁ ୫, ମୁନିଗୁଡ଼ାରୁ ୪୨, ପଦ୍ମପୁରରୁ ୧୭, ରାମନାଗୁଡାରୁ ୯, ରାୟଗଡ଼ା ଗ୍ରାମାଞ୍ଚଳରୁ ୧୮, ରାୟଗଡ଼ା ସହରାଞ୍ଚଳରୁ ସର୍ବାଧିକ ୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୨୭ ପୁରୁଷ, ୮୫ ମହିଳା ରହିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ଜେକେପୁର କୋଭିଡ଼୍ ହସପିଟାଲରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୨୦୭୭ ଏବଂ କୋଭିଡ଼୍ ମୃତ୍ୟୁ ସଂଖ୍ୟା ୭୫ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe