ଅଶ୍ଳୀଳ କଣ୍ଟେଣ୍ଟ ପାଇଁ କାର୍ଯ୍ୟାନୁଷ୍ଠାନ: ଭାରତରେ ୧୮ଟି ଓଟିଟି ପ୍ଲାଟଫର୍ମ ନିଷିଦ୍ଧ

Advertisment
ଅଶ୍ଳୀଳ କଣ୍ଟେଣ୍ଟ ପାଇଁ କାର୍ଯ୍ୟାନୁଷ୍ଠାନ: ଭାରତରେ ୧୮ଟି ଓଟିଟି ପ୍ଲାଟଫର୍ମ ନିଷିଦ୍ଧ

ନୂଆଦିଲ୍ଲୀ: ଇଣ୍ଟରନେଟରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାର କରୁଥିବା ପ୍ଲାଟଫର୍ମ ଉପରେ କେନ୍ଦ୍ର ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଶ୍ଳୀଳ କଣ୍ଟେଣ୍ଟ ପ୍ରଦାନ କରୁଥିବା ୧୮ଟି ଓଟିଟି ପ୍ଲାଟଫର୍ମକୁ ତୁରନ୍ତ ବ୍ଲକ୍‌ କରାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏକ ସରକାରୀ ବିବୃତିରେ କୁହାଯାଇଛି ଯେ ଭାରତରେ ୧୯ଟି ୱେବସାଇଟ୍, ୧୦ଟି ଆପ୍ (ଗୁଗୁଲ୍ ପ୍ଲେ ଷ୍ଟୋରରେ ୭ଟି ଏବଂ ଆପଲ୍ ଆପ୍ ଷ୍ଟୋରରେ ୩ଟି) ଏବଂ ଏହି ପ୍ଲାଟଫର୍ମ ସହ ଜଡ଼ିତ ୫୭ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ନିଷିଦ୍ଧ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ ‘ରଚନାତ୍ମକ ଅଭିବ୍ୟକ୍ତି’ ଆଳରେ ଅଶ୍ଳୀଳତା ଓ ଦୁର୍ବ୍ୟବହାରର ପ୍ରଚାର ନ କରିବା ପାଇଁ ପ୍ଲାଟଫର୍ମଗୁଡ଼ିକର ଦାୟିତ୍ୱ ଉପରେ ବାରମ୍ବାର ଗୁରୁତ୍ୱାରୋପ କରାଯାଇଛି। ତେବେ ଏହା ସତ୍ତ୍ବେ କେତେକ ପ୍ଲାଟଫର୍ମ ଏ ଦିଗରେ ବେପରୁଆ ନୀତି ଧରିଥିବାରୁ ସେମାନଙ୍କ ଉପରେ କଟକଣା ଲଗାଯାଇଛି ବୋଲି ସେ କହିଛନ୍ତି।

ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ର ପ୍ରାବଧାନ ଅନୁଯାୟୀ ଭାରତ ସରକାରଙ୍କ ଅନ୍ୟ ମନ୍ତ୍ରଣାଳୟ ଏବଂ ବିଭିନ୍ନ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଏହି ନିଷ୍ପତ୍ତି ନିଆଯାଇଛି। କଟକଣାର ସମ୍ମୁଖୀନ ହୋଇଥିବ ପ୍ଲାଟଫର୍ମରେ ବ୍ୟାପକ ଭାବେ ଅଶ୍ଳୀଳ କାର୍ଯ୍ୟକ୍ରମ ଏବଂ ମହିଳାମାନଙ୍କୁ ଅପମାନଜନକ ଢଙ୍ଗରେ ଚିତ୍ରଣ କରୁଥିବା ବିଷୟବସ୍ତୁ ଉପଲବ୍ଧ ହେଉଥିବା ଜଣାପଡିଛି। ଏଥିରେ ନଗ୍ନତା ଏବଂ ଯୌନ କ୍ରିୟାକୁ ବିଭିନ୍ନ ଅସ୍ବାଭାବିକ ପରିପ୍ରେକ୍ଷୀରେ ଚିତ୍ରଣ କରାଯାଇଛି, ଯେପରିକି ଶିକ୍ଷକ ଏବଂ ଛାତ୍ରଙ୍କ ମଧ୍ୟରେ ସମ୍ପର୍କ, ଅନୈତିକ ପାରିବାରିକ ସମ୍ପର୍କ ଇତ୍ୟାଦି । ଏହିପରି ବିଷୟବସ୍ତୁରେ ଅନୈତିକ ଆଚରଣର ସଙ୍କେତ ରହୁଥିବାରୁ ସରକାର ଏହାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe