ଅର୍ଥଅଭାବରୁ ଅସ୍ତ୍ରୋପଚାର ନୋହିଲା, ଆଖି ବୁଜିଲା ଅଜୟ

ଅର୍ଥଅଭାବରୁ ଅସ୍ତ୍ରୋପଚାର ନୋହିଲା, ଆଖି ବୁଜିଲା ଅଜୟ

ବେଗୁନିଆପଡ଼ା: କଥାରେ ଅଛି ଦୁଃଖ ଯେତେବେଳେ ଆସେ ଭାଇବନ୍ଧୁ କୁଟୁମ୍ବଙ୍କୁ ସାଙ୍ଗରେ ନେଇ ଆସେ। ଯାହାକି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ସୁମଣ୍ଡଳ ପଞ୍ଚାୟତ ଭାଲିଆଝର ଗ୍ରାମର ବାସିନ୍ଦା ମାନସ ସାହୁଙ୍କ ଭାଗ୍ୟରେ ଲେଖା ହୋଇଛି। ହୃଦ୍‌ରୋଗରେ ପୀଡ଼ିତ ପୁ୍ଅ ଅଜୟକୁ ବଞ୍ଚାଇବାକୁ ବାର ଦୁଆର ହେବା ପରେ ବି ସହାୟତା ମିଳିଲାନି। ଆଉ ଅସ୍ତ୍ରୋପଚାର ନହୋଇପାରିବାରୁ ଗତ ୨୨ ତାରିଖ ରାତି ୮ଟାରେ ଅଜୟର ମୃତ୍ୟୁ ଘଟିଛି। ଫଳରେ ବାପା ମାନସ ଓ ସୁନୀତାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ସହାୟତା ମିଳିଥିଲେ ହୁଏତ ପୁଅ ବଞ୍ଚିଯାଇଥାନ୍ତା ବୋଲି ମାନସ କୋହଭରା କଣ୍ଠରେ କହିଛନ୍ତି। ଏଭଳି ପରିସ୍ଥିତିରେ ପତ୍ନୀ ସୁନୀତା ଓ ସାନପୁଅ ସ୍ବାଧୀନ ଉଭୟ ମାନସିକ ରୋଗୀ ହୋଇଥିବାରୁ ମାନସଙ୍କ ପାଇଁ ଏହା ଯେମିତି ବୋଝ ଉପରେ ନଳିତା ବିଡ଼ା ସଦୃଶ ସାବ୍ୟସ୍ତ ହୋଇଛି। ଆଉ ସବୁଠୁ ଦୁଃଖର କଥା ହେଲା, ମାନସଙ୍କ ଆଖିରେ ୪ ମାସ ତଳେ ଏକ ଗୋବର ପୋକ ପଶିଯିବା ପରେ ତାଙ୍କର ଏକ ଡୋଳା ବି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଭଳି ଘଡ଼ିସନ୍ଧି ସମୟରେ ଏହି ପରିବାରକୁ କିଏ ସାହା ହେବ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରୀ ସହାୟତା ହିଁ, ଏକ ମାତ୍ର ସାହାଭରସା ବୋଲି ମତପ୍ରକାଶ ପାଇଛି।

ମାନସଙ୍କ ପୁଅ ଅଜୟ ସପ୍ତମ ଶ୍ରେଣୀରେ ପଢ଼ୁଥିଲା। ୩ ବର୍ଷ ତଳେ ସେ ହୃଦରୋଗରେ ଆକ୍ରାନ୍ତ ହେବା ପରେ ବାପା ଓ ମା’ ତାଙ୍କୁ ପୁଟପର୍ତ୍ତି ଡାକ୍ତରଖାନା ନେଇ ଚିକିତ୍ସା କରାଇଥିଲେ। ଡାକ୍ତର ଔଷଧ ଲେଖିବା ସହ ୩ ବର୍ଷ ପରେ ଆସିଥିଲେ। ଗୋଟିଏ ପଟେ ଅର୍ଥାଭାବ ସହ ଅନ୍ୟ ପଟେ କରୋନା କଟକଣା ଅଜୟର ଚିକିତ୍ସାରେ ବାଧକ ସାଜିଲା। ୫ ମାସ ତ‌ଳେ ଅଜୟର ଅବସ୍ଥା ଗୁରୁତର ହେବାରୁ ତାକୁ ଭୁବନେଶ୍ୱରସ୍ଥିତ ଏମ୍ସ୍ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ କରୋନା ଯୋଗୁଁ ସୁରକ୍ଷାକର୍ମୀ ସେମାନଙ୍କୁ ଭିତରକୁ ନଛାଡ଼ି ଡାକ୍ତରଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ କହିଥିଲେ। କିନ୍ତୁ ଡାକ୍ତର ଫୋନ୍ ନଉଠାଇବାରୁ ଅଜୟକୁ ନେଇ ବାପାମା’ ଘରକୁ ଫେରିଥିଲେ। ୨ ମାସ ତଳେ ପୁଣି ଅଜୟକୁ ଏମ୍ସକୁ ନିଆଯାଇଥିଲା। ହେଲେ ଅସ୍ତ୍ରୋପଚାର ପାଇଁ ଅର୍ଥାଭାବରୁ ଗତ ୨୨ ତାରିଖ ରାତିରେ ଅଜୟ ଆଖି ବୁଜି ଦେଇଥିଲା।
ଏଭଳି ପରିସ୍ଥିତିରେ ମାନସଙ୍କ ଡାହାଣ ଆଖିର ଡୋଳା ସମ୍ପୂର୍ଣ୍ଣ ନଷ୍ଟ ହୋଇ ପଚିଯାଇଥିବା ବେଳେ ପତ୍ନୀ ସୁନୀତା ଓ ପୁଅ ମାନସିକ ରୋଗୀ। ସୁନୀତା ମୂଲ ଲାଗିଲେ ଦୁଇ ଓଳା ଦାନା ଯୋଗାଡ଼ ହେଉଛି। କିନ୍ତୁ ମାନସ ଆଉ କାମ କରିପାରୁନାହାନ୍ତି। ଏବେ କେବଳ ସରକାରୀ ସହାୟତା ହିଁ ଏକ ମାତ୍ର ସାହା ବୋଲି ମାନସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe