ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

Advertisment
ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ଅରୁଣ ଜେଟ୍‌ଲୀଙ୍କର ୬୬ ବର୍ଷ ବୟସରେ ଦେହାନ୍ତ ହେବା ପରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ (ଏମ୍‌ସ୍‌)ରେ ଚିକିତ୍ସିତ ହେଉଥିବା ଜେଟଲୀଙ୍କର ମଧ୍ୟାହ୍ଣ ୧୨.୦୭ ମିନିଟରେ ପରଲୋକ ହୋଇଥିବା ଏମସ୍ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କର ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ସବୁ ରାଜନୈତିକ ଦଳ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି।

ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ ସ୍ବର୍ଗତଃ ଜେଟଲୀଙ୍କ ପତ୍ନୀ ଓ ପରିବାର ସହ କଥା ହୋଇ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ରାଜନୀତିରେ ଅରୁଣ ଜଣେ ଶୀର୍ଷସ୍ତରର ନେତା ହେବାସହ ବିଜ୍ଞ  ଓ ବିଶିଷ୍ଟ ଆଇନଜ୍ଞ ମଧ୍ୟ ଥିଲେ । ବିଭିନ୍ନ କ୍ଷେତ୍ରରେ ଦେଶ ପ୍ରତି ତାଙ୍କର ଅବଦାନ ଅତୁଳନୀୟ ଥିଲା ।

ଅରୁଣଙ୍କ ଦେହାନ୍ତ ମୋ ପାଇଁ ବ୍ୟକ୍ତିଗତ ଭାବେ ବଡ କ୍ଷତି । ଦେଶ ପାଇଁ ଏହା ଅପୂରଣୀୟ କ୍ଷତି । ସେ ଜଣେ ବିଜ୍ଞ ବ୍ୟକ୍ତି ହେବା ସହ ଜଣେ ଭଲ ରାଜନେତା ଥିଲେ । ତାଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ ବୋଲି କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ।

ଅରୁଣଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।  ଏହା ମୋ ପାଇଁ ଅପୂରଣୀୟ କ୍ଷତି । କେବଳ ଦଳ ଜଣେ ବରିଷ୍ଠ ନେତାଙ୍କୁ ହରାଇନାହିଁ ବରଂ ମୁଁ ଜଣେ ପରିବାରର ସଦସ୍ୟଙ୍କୁ  ହରାଇଛି । ସେ ପ୍ରତ୍ୟେକ କ୍ଷେତ୍ରରେ ମୋର ମାର୍ଗଦର୍ଶକ ଥିଲେ ।

ଜେଟଲୀ ଗତ ୨ ବର୍ଷ ଧରି ପ୍ରାୟତଃ ଅସୁସ୍ଥ ରହୁଥିଲେ । ଏହି କାରଣରୁ ସେ ଏନଡିଏ-୨ ସରକାରରେ କୌଣସି ମନ୍ତ୍ରୀପଦ ଗ୍ରହଣ କରି ନ ଥିଲେ। ଗତ ବର୍ଷ ଜେଟଲୀଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଏହି ଅପରେସନ ପରେ ସେ ମୁଖ୍ୟତଃ ଘରେ ରହୁଥିଲେ । ଗତ ଫେବ୍ରୁଆରୀ ମାସରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ । ତାଙ୍କ ଅନୁପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କାମଚଳା ବଜେଟ ଉପସ୍ଥାପନ କରିଥିଲେ ।

୨୮ ଡିସେମ୍ବର, ୧୯୫୨ରେ ଜନ୍ମ ହୋଇଥିବା ଅରୁଣ ଜେଟଲୀ ଉଭୟ ଅଟଳ ବିହାରୀ ବାଜପେୟୀ ଓ ନରେନ୍ଦ୍ର ମୋଦୀଙ୍କ ସରକାରରେ ବିଭିନ୍ନ ବିଭାଗ ଯଥା ଅର୍ଥ, କର୍ପୋରେଟ ବ୍ୟାପାର,ପ୍ରତିରକ୍ଷା, ବାଣିଜ୍ୟ ଓ ଶିଳ୍ପ, ଆଇନ, ସୂଚନା ଓ ପ୍ରସାରଣ ମନ୍ତ୍ରୀଭାବେ କାର୍ଯ୍ୟକରିଥିଲେ । ସେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିଲେ । ସୁପ୍ରିମ କୋର୍ଟର ଜଣେ ବରିଷ୍ଠ ଓକିଲଭାବେ ମଧ୍ୟ ସେ ଜଣାଶୁଣା ଥିଲେ ।

ସତୁରୀ ଦଶକରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢିବାବେଳେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିିଭିପି)ର ଜଣେ ଛାତ୍ର ନେତା ଥିଲେ । ଏବିଭିପିରୁ ନିର୍ବାଚନ ଲଢି ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସଭାପତି ହୋଇଥିଲେ । ଏମର୍ଜେନ୍ସି (୧୯୭୫-୭୭) ସମୟରେ ତାଙ୍କୁ ୧୯ ମାସ ପାଇଁ ଗିରଫ କରାଯାଇ ଜେଲରେ ରଖାଯାଇଥିଲା । ଜେଲରୁ ମୁକୁଳିବା ପରେ ସେ ବିଜେପିର ପୂର୍ବରୂପ ଜନସଂଘରେ ଯୋଗ ଦେଇଥିଲେ । ପରେ ସେ ବିଜେପି ଯୁବାମୋର୍ଚ୍ଚାର ସଭାପତି ହୋଇଥିଲେ । ୧୯୯୧ରୁ ସେ ବିଜେପି ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ରହିଥିଲେ ।

ସେ ଜମ୍ମୁ ଓ କଶ୍ମୀରର ପୂର୍ବତନ ଅର୍ଥମନ୍ତ୍ରୀ ଗିରିଧାରୀ ଲାଲ ଡୋଗ୍ରାଙ୍କ ଝିଅ ସଂଗୀତାଙ୍କୁ ବିବାହ କରିଥିଲେ । ତାଙ୍କର ପୁତ୍ର ରୋହନ ଓ କନ୍ୟା ସୋନାଲୀ ଓକିଲାତି କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe