ଡିଏମ୍‌କେ ସମାବେଶରେ ଯୋଗଦେବନି ବିଜେଡି

Advertisment
ଡିଏମ୍‌କେ ସମାବେଶରେ ଯୋଗଦେବନି ବିଜେଡି

The Indian Express

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନରେ ବିରୋଧୀ ମେଣ୍ଟକୁ ଏକଜୁଟ କରିବା ପାଇଁ ଆସନ୍ତା ମାସ ୩ରେ ଚେନ୍ନାଇରେ ଡିଏମ୍‌କେ ଦ୍ବାରା ଆୟୋଜନ ହେବ ସମାଜିକନ୍ୟାୟ ସମାବେଶ। ନିକଟରେ ଭାରତ ରାଷ୍ଟ୍ର ସମିତି ପକ୍ଷରୁ ଦିଲ୍ଲୀର ଜନ୍ତର ମନ୍ତରରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ଦାବିରେ ବିରୋଧୀ ଏକତାର ଶକ୍ତି ପ୍ରଦର୍ଶନ କରାଯାଇଥିଲା। ଅନୁରୂପ ଭାବେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଚେନ୍ନାଇରେ ସାମାଜିକ ନ୍ୟାୟ ସମାବେଶର ଆୟୋଜନ କରୁଛନ୍ତି।

ଏଥିରେ ସାମିଲ ହେବା ପାଇଁ ଡିଏମ୍‌କେ ପକ୍ଷରୁ ରାଜନୈତିକ ଦଳ ଓ ସାମାଜିକ ସଂଗଠନମାନଙ୍କୁ ନିମନ୍ତ୍ରଣ କରାଯାଇଛି। ହେଲେ ଏହି ସମା‌ବେଶରେ ବିଜେଡି ଯୋଗଦେବ ନାହିଁ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ୱାଇଏସ୍‌ଆର୍‌ସିପି ମଧ୍ୟ ଏଥିରେ ‌ଯୋଗଦେବ ନାହିଁ। ‘ସୋସିଆଲ୍‌ ଜଷ୍ଟିସ୍‌ ଦ ରୋଡ୍‌ ଆହେଡ୍‌’ ଶୀର୍ଷକ ବିଷୟକୁ ନେଇ ହାଇବ୍ରିଡ୍‌ ମୋଡ୍‌ରେ ଆୟୋଜନ କରାଯାଉଥିବା ଉକ୍ତ ସମାବେଶରେ କଂଗ୍ରେସ ଦଳ ସହିତ ପ୍ରାୟ ୨୦ଟି ବିରୋଧୀ ଦଳ ଯୋଗଦେବେ ବୋଲି ଡିଏମ୍‌କେ ସୂତ୍ରରୁ ଜଣାପଡ଼ିଛି।

ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ‌ସୋରେନ, ଆର୍‌ଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ନ୍ୟାସନାଲ କଂଗ୍ରେସର ଫାରୁକ୍‌ ଅବଦୁଲ୍ଲା, ଭାରତ ରାଷ୍ଟ୍ର ସମିତି ନେତା କେଶବ ରାଓ, ଏନ୍‌ସିପି ନେତା ଛଗନ ଭୁଜବଳ, ମାର୍କସବାଦୀ କମ୍ୟୁନିଷ୍ଟ ନେତା ଡି. ରାଜା, ଆମ ଆଦମୀ ପାର୍ଟି ନେତା ସଂଜୟ ସିଂହ ଓ ତୃଣମୂଳ କଂଗ୍ରେସ ନେତା ଡେରେକ୍‌ ଓବ୍ରେନ ଯୋଗଦେବେ ବୋଲି ସମ୍ମତି ଦେଇଛନ୍ତି। ବିଜେଡି ଓ ୱାଇଏସ୍‌ଆର୍‌ସିପି ସଂସଦରେ ଆଦାନି ଓ ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ପ୍ରସଙ୍ଗରେ ଜାରିରହିଥିବା ବିରୋଧୀ ଦଳମାନଙ୍କର ଧାରଣା ତଥା ମେଳିରେ ସାମିଲ ହୋଇନାହାନ୍ତି। ବିଭିନ୍ନ ସମୟରେ ବି‌ରୋଧୀ ଏକତାକୁ ନେଇ ବିରୋଧୀଦଳମାନଙ୍କ ଦ୍ବାରା ବିଜେଡିକୁ ନିମନ୍ତ୍ରଣ କରାଯାଇଥିବାବେଳେ ବିଜେଡି ସମଦୂରତା ନୀତି କାଏମ ରଖିଛି। ଟିଆର୍‌ଏସ୍‌ର ମହିଳା ବିଲକୁ ନେଇ ଜନ୍ତର ମନ୍ତରରେ ଆହୂତ ଧାରଣା କାର୍ଯ୍ୟକ୍ରମରେ ମଧ୍ୟ ଦୁଇ ଦଳ ନିଜକୁ ଦୂରେଇ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe