ଗ୍ୟାସ୍ ଦରବୃଦ୍ଧିର ପ୍ରତିବାଦ କରିବ ବିଜେଡି: ଆସନ୍ତାକାଲି କଟକ ଆରଡିସି ଅଫିସ୍ ସମ୍ମୁଖରେ ଧାରଣା ଦେବ

Advertisment
ଗ୍ୟାସ୍ ଦରବୃଦ୍ଧିର ପ୍ରତିବାଦ କରିବ ବିଜେଡି: ଆସନ୍ତାକାଲି କଟକ ଆରଡିସି ଅଫିସ୍ ସମ୍ମୁଖରେ ଧାରଣା ଦେବ

ଭୁବନେଶ୍ବର:ଗ୍ୟାସ୍ ଦର ବୃଦ୍ଧିର ପ୍ରତିବାଦ କରିବ ବିଜେଡି । ଆସନ୍ତାକାଲି କଟକ ଆରଡିସି ଅଫିସ୍ ସମ୍ମୁଖରେ ଧାରଣା ଦେବ ବିଜେଡିର ସମସ୍ତ ଛାମୁଆ ସଂଗଠନ। ଆଗାମୀ ୨୩ ତାରିଖରେ ସମ୍ବଲପୁର ଓ ୨୪ରେ ବ୍ରହ୍ମପୁର ଆରଡିସି ଅଫିସ୍ ସହ ବ୍ଲକ ସମ୍ମୁଖରେ ଆନ୍ଦୋଳନ କରାଯିବ।ଦର ନ କମିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଆନ୍ଦୋଳନ ପୁରପଲ୍ଲୀ ଯାଏଁ ଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ କୁହାଯାଇଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ କହିଛନ୍ତି, ଗ୍ୟାସ୍ ଦର ସାଢେ ୩ ବର୍ଷରେ ୭୦ ପ୍ରତିଶତ ବଢିଛି। ଅହେତୁକ ଦର ବୃଦ୍ଧି ଯୋଗୁ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକେ ଅତିଷ୍ଠ ହେଲେଣି। ଉଜ୍ଜ୍ବଳା ଯୋଜନାରେ ମହିଳା ରିଫିଲ୍ କରିନପାରି ସମସ୍ୟା ଭୋଗୁଛନ୍ତି। ପ୍ରତିବାଦ ପରେ ବି ଦର ନ କମିଲେ ପୁଣି ଆନ୍ଦୋଳନ କରାଯିବ। କେବଳ ଗ୍ୟାସ୍ ଦର ନୁହଁ, ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢିଛି । ତେଣୁ ଦର ନ କମିଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ।

ଶନିବାର ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ ଏଲ୍‌ପିଜି ଗ୍ୟାସ୍‌ ଦର ଗୃହିଣୀଙ୍କୁ ବାଧୁଛି। ଯେଉଁ ଏଲ୍‌ପିଜି ଉପରେ ୪୦୦ରୁ ୪୫୦ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ମିଳୁଥିଲା ତାହାକୁ ଏବେ ତୈଳ କମ୍ପାନିଗୁଡ଼ିକ ୧୩ଟଙ୍କା ୯୫ପଇସାକୁ କମାଇଦେଲେଣି । ମା’ ଭଉଣୀଙ୍କ ଦେହରେ ଧୂଆଁ ବାଜିବନି ‌କହି ଯେଉଁମାନେ ମାଗଣାରେ ଉଜ୍ଜ୍ବଳା ଗ୍ୟାସ୍‌ ବାଣ୍ଟିଥିଲେ ସେମାନେ ଏବେ ସିଲିଣ୍ଡର କେମିତି ଭର୍ତ୍ତି ହେବ ଚିନ୍ତା କରୁନାହାନ୍ତି । ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଦାମ୍ ହଜାରେ ଟଙ୍କା ପାଖାପାଖି ପହଞ୍ଚିଥିବାରୁ ବହୁ ମା’ ଭଉଣୀ ଏବେ ଗ୍ୟାସ୍ ଭର୍ତ୍ତି କରିପାରୁନାହାନ୍ତି। ତେଣୁ ରନ୍ଧନ ଗ୍ୟାସ୍‌ ଉପରେ ଅତି କମ୍‌ରେ ୪୦୦ ଟଙ୍କା ସବ୍‌ସିଡି ନଦେଲେ ଲୋକଙ୍କର ଚଳିବା କଷ୍ଟକର ହୋଇଯିବ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe