ବେପରୁଆ ବସ୍‌ ଚଳାଚଳ ଉପରେ ଅଙ୍କୁଶ କେବେ?

Advertisment

ସରକାରୀ ନିୟମର ଖୋଲା ଉଲ୍ଲଂଘନ, ଯାଞ୍ଚ, ଜରିମାନା ନଗଣ୍ୟ

ସରକାରୀ ନିୟମର ଖୋଲା ଉଲ୍ଲଂଘନ, ଯାଞ୍ଚ, ଜରିମାନା ନଗଣ୍ୟ

ବେପରୁଆ ବସ୍‌ ଚଳାଚଳ ଉପରେ ଅଙ୍କୁଶ କେବେ?

ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାର ରାଜ୍ୟର ପ୍ରାୟ ସବୁ ଜିଲ୍ଲାକୁ ବସ୍‌ ଚଳାଚଳ କରୁଛି। ଏମିତିକି ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼କୁ ମଧ୍ୟ ନିୟମିତ ବସ୍‌ ଚଳାଚଳ କରୁଛି। ତେବେ ପ୍ରାୟ ୫୦ ପ୍ରତିଶତରୁ ଅଧିକ ବସ୍‌ରେ ରାଜ୍ୟ ପରିବହନ ବିଭାଗର ନିୟମକୁ ପାଳନ କରାଯାଉନି। ପ୍ରତ୍ୟେକ ବସ୍‌ରେ ରେଟ୍‌ ଚାର୍ଟ‌୍ ରଖାଯିବାସହ ଯାତ୍ରୀଙ୍କୁ ଟିକେଟ୍‌ ପ୍ରଦାନ, ନିଶାଦ୍ରବ୍ୟ ପାନ କରି ଗାଡ଼ି ଚାଳନାରୁ ଦୂରେଇ ରହିବା, ଫାଷ୍ଟ୍‌ଏଡ୍‌ ବକ୍ସ ମହଜୁଦ ରଖିବା, ପରିଷ୍କାର ପରିମଳ ବ୍ୟବସ୍ଥାକୁ ଧ୍ୟାନ ଦେବା ଆଦି ବାଧ୍ୟତାମୂଳକ। କିନ୍ତୁ ବସ୍‌ ମାଲିକ ଏସବୁ ନିୟମର ଖୋଲା ଉଲ୍ଲଂଘନ କରୁଥିବାରୁ ଯାତ୍ରୀ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମନଇଚ୍ଛା ଭଡ଼ା ଆଦାୟ କରାଯିବା ସହ ଚାଳକ ମଦ ନିଶାରେ ଚୂର୍‌ ହୋଇ ଗାଡ଼ି ଚଲାଉଥିବା ଦେଖିବାକୁ ମିଳୁଛି। ସହର ଭିତରେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟାଇ ଅକାରଣରେ ନିରୀହଙ୍କ ଜୀବନ ନେଉଛନ୍ତି। ବିଡ଼ମ୍ବନା, ରାଉରକେଲାସ୍ଥ ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଏଥିରେ ପଡ଼ୁନି। ଗତ ୧୦ ମାସ ଭିତରେ ପରିବହନ କର୍ତ୍ତୃପକ୍ଷ ମାତ୍ର ୬ ଥର ଯାଞ୍ଚକରି ଚାଳକଙ୍କୁ ଦଣ୍ଡବିଧାନ କରିଛନ୍ତି; ଯାହାକି ସୁରକ୍ଷିତ ବସ୍‌ ଚଳାଚଳରେ ପରିବହନ କର୍ତ୍ତୃପକ୍ଷ କେତେ ସଜାଗ, ତାହା ସ୍ପଷ୍ଟ ଅନୁମେୟ।

ଗତ ଜାନୁଆରି ମସିହାରୁ ଅକ୍ଟୋବର ପର୍ଯ୍ୟନ୍ତ; ଅର୍ଥାତ୍‌ ଗତ ୧୦ ମାସରେ ନିୟମ ଖିଲାପକାରୀ ବସ୍‌ ଉପରେ କାର୍ଯ୍ୟାନୁଷ୍ଠାନ ଅତ୍ୟ ନଗଣ୍ୟ। ଏହି ସମୟ ଅବଧି ମଧ୍ୟରେ ମାତ୍ର ୬ ଥର ଯାଞ୍ଚ କରାଯାଇଥିଲା। ମଦ ନିଶାରେ ତଥା ଅନ୍ୟାନ୍ୟ ନିୟମ ଉଲ୍ଲଂଘନକରି ବସ୍‌, ଭାରୀଯାନ ଚଳାଚଳ କରୁଥିବା ଅଭିଯୋଗରେ ୩୦ ଜଣ ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା। ଏହାସହ ସମସ୍ତଙ୍କର ଡ୍ରାଇଭିଂ ଲାଇସେନ୍ସକୁ ୩ ମାସ ଯାଏଁ ରଦ୍ଦ କରାଯାଇଥିଲା। ‌ଶେଷଥର ପାଇଁ ବିଭାଗ ପକ୍ଷରୁ ଗତ ଜୁଲାଇ ୨୦ ତାରିଖରେ ଅତର୍କିତ ଚଢ଼ଉ କରାଯାଇଥିବା ଦେଖିବାକୁ ମିଳିଥିଲା। ନିଶ‌ାସେବନକରି ଗାଡ଼ି ଚଳାଉଥିବାରୁ ୭ ଜଣ ଗାଡ଼ି ଚାଳକଙ୍କୁ କାବୁ କରାଯିବା ସହ ୩ ମାସ ଯାଏଁ ଡିଏଲ୍‌ ରଦ୍ଦ କରାଯାଇଥିଲା।

ସେହିଭଳି ଜୁଲାଇ ୧୩ ତାରିଖରେ ବୀରମିତ୍ରପୁର-ରାଉରକେଲା ଚଳାଚଳ କରୁଥିବା ‘ନାନୋ’ ବସ୍‌ ମାତ୍ରାଧିକ ଭଡ଼ା ଆଦାୟ କରୁଥିବା ଯାଞ୍ଚବେଳେ ଜଣାପଡ଼ିଥିଲା। ଏଣୁ ଗାଡ଼ି ଚାଳକଠାରୁ ଜରିମାନା ଆଦାୟ ହୋଇଥିଲା। ଜୁନ ୨୫ ତାରିଖରେ ଅନୁଷ୍ଠିତ ଯାଞ୍ଚବେଳେ ମଦନିଶାରେ ଚୂର୍‌ ହୋଇ ଗାଡ଼ି ଚଲାଉଥିବା ୫ ଜଣ ଚାଳକ ଧରାପଡ଼ିଥିଲେ। ମେ’ ୨୩ ତାରିଖରେ ସମାନ ଅଭିଯୋଗରେ ୪ ଜଣ, ଏପ୍ରିଲ ୧୬ ତାରିଖରେ ୭ ଜଣ ଚାଳକ ଧରାପଡ଼ିଥିଲେ। ଏତଦ୍‌ବ୍ୟତୀତ ଗତ ମାର୍ଚ୍ଚ ୧୬ ତାରିଖରେ ପୂର୍ବାହ୍ନରେ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ବିଶ୍ରା ଅଞ୍ଚଳକୁ ଯାଉଥିବା ବସ୍‌ଗୁଡ଼ିକୁ ଯାଞ୍ଚ କରାଯାଇଥିଲା। ବିଭିନ୍ନ ନିୟମକୁ ଅବମାନନା କରି ବସ୍‌ ଚାଲୁଥିବାରୁ ‘କଳା କାଇଁଚ’, ‘ଧଳା ଠାକୁର’ ଆଦି ୬ଟି ବସ୍‌ରୁ ୬୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା।

ଏଭଳି ନିୟମ ଖିଲାପକାରୀଙ୍କ ବିରୋଧରେ କର୍ତ୍ତୃପକ୍ଷ କିନ୍ତୁ ବିହିତ ପଦକ୍ଷେପ ନେଉନାହାନ୍ତି। ପୂର୍ବଭଳି ଆଉ ଯାଞ୍ଚ କରାଯାଉନି। ଫଳରେ ବେପରୁଆ ଗାଡ଼ି ଚାଳନା ବଢ଼ୁଛି ସିନା କମିବାର ନାଁ ନେଉନି। ଖାସ୍‌ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଅକାରଣରରେ ଲୋକଙ୍କ ପ୍ରାଣ ହାନୀ ଘଟୁଛି। ବିଗତ ଦିନରେ ବାର୍ଦ୍ଧକ୍ୟ ଭତ୍ତା ନେଇ ଫେରୁଥିବାବେଳେ ପ୍ଲାଣ୍ଟ୍‌ସାଇଟ୍‌ ଥାନା ଅଞ୍ଚଳରେ ଦ୍ରୁତ ଗତିରେ ଆସୁଥିବା ଚାରିଚକିଆ ଯାନ ଧକ୍କା ଦେବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ଗତ ବୁଧବାର ଦିନ ରାସ୍ତାରେ ଚାଲିଚାଲି ଯାଉଥିବା ସୋନା ଦଣ୍ଡପାଟ ନାମ୍ନୀ ଜଣେ ୯୦ ବର୍ଷୀୟା ବୃଦ୍ଧାଙ୍କୁ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଆଇଡିସିରେ ଏକ ଭାରୀଯାନ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିଭଳି ଗତ ୨୦ ତାରିଖରେ ହନୁମାନ ବାଟିକା ଛକରେ ଏକ ହାଇୱା ଧକ୍କା ଦେବାରୁ ମାଛ ବିକାଳି ସେକ୍ଟର-୫ କବି ସମ୍ରାଟପଲ୍ଲୀର ପବିତ୍ର ବିଶ୍ବାଳଙ୍କ ଅକାଳ ବିୟୋଗ ଘଟିଥିଲା। ସେ ମନ୍ଦିରା ଡ୍ୟାମ୍‌ରୁ ମାଛ କିଣି ନିଜ ମୋଟରସାଇକେଲ୍‌ରେ ହକି ଛକ ବାଇପାସ୍‌ ରୋଡ ଦେଇ ଟିମ୍ବର‌ କଲୋନିରେ ଥିବା ନିଜ ମାଛ ଦୋକାନକୁ ଆସୁଥିବାବେଳେ ଏହି ଅଘଟଣ ଘଟିଥିଲା। ଏଭଳି ଅନେକ ଦୁର୍ଘଟଣାରେ ନିରୀହଙ୍କ ଜୀବନ ଯାଉଥିବାରୁ ଯଥାଶୀଘ୍ର ଏ ଦିଗରେ ବିହିତ ପଦକ୍ଷେପ ସଦୃଶ ବସ୍‌, ଭାରୀଯାନକୁ କଡ଼ା ଯାଞ୍ଚ ପାଇଁ ବୁଦ୍ଧିଜୀବୀ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe