ଶୀତରେ ଥରୁଛି କେନ୍ଦୁଝର; ଜନଜୀବନ ଅସ୍ତବ୍ୟସ୍ତ

Advertisment
ଶୀତରେ ଥରୁଛି କେନ୍ଦୁଝର; ଜନଜୀବନ ଅସ୍ତବ୍ୟସ୍ତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଶୀତ ଲହରି ଜାରି ରହିଛି। ପରଦ କେବେ ୧୦ ଡିଗ୍ରି ତ କେବେ ୮ ଡିଗ୍ରି ତଳେ ରହୁଛି। କେନ୍ଦୁଝର ସହରଠାରୁ ଆରମ୍ଭ ଗ୍ରାମାଞ୍ଚଳର ଲୋକେ ହାଡ଼ଭଙ୍ଗା ଶୀତରେ ଥରୁଛନ୍ତି।

କେନ୍ଦୁଝର ଜିଲ୍ଲାରେ ଥଣ୍ଡାର ପ୍ରକୋପ ଯୋଗୁଁ ଲୋକେ ସକାଳ ୯ଟା ନହେବା ପର୍ଯ୍ୟନ୍ତ ଘରୁ ବାହାରିପାରୁ ନାହାନ୍ତି। ସନ୍ଧ୍ୟାରେ କୌଣସି ଜରୁରୀ କାମ ନ‌ଥିଲେ ‌ଲୋକେ ପଦାକୁ ଆସୁନାହାନ୍ତି। କିଛିଦିନ ହେଲା ପ୍ରବଳ ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ନିଆଁ ଲଗାଇ ବସିଥିବା ଦେଖିବାକୁ ମିଳୁଛି। ବଣପାହାଡ଼ ଘେରା ଅଞ୍ଚଳରେ ବାସ କରୁଥିବା ଆଦିମ ଜନଜାତିର ଲୋକେ ଶୀତ ଦାଉରୁ ରକ୍ଷା ପାଇବାପାଇଁ ନିଆଁ ଲଗାଇ ରାତ୍ରିଯାପନ କରୁଛନ୍ତି। ଶୀତ ସାଙ୍ଗକୁ କୋହଲା ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି।

କେନ୍ଦ୍ରୀୟ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୧୪ ତାରିଖରେ କେନ୍ଦୁଝରର ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରି, ୧୫ରେ ୧୦.୪ ଡିଗ୍ରି, ୧୬ରେ ୧୦ ଡିଗ୍ରି ୧୭ରେ ୯.୬ ଡିଗ୍ରି, ୧୮ରେ ୯.୮ ଡିଗ୍ରି, ୧୯ରେ ୯.୨ ଡିଗ୍ରି ସେଲସିୟସ, ୨୦ରେ ୯ ଡିଗ୍ରି, ୨୧ରେ ୮.୬ ଡିଗ୍ରି ୨୨ ତାରିଖରେ ୭.୮ ଡିଗ୍ରି ସେଲସିୟସ ରହିଥିଲା। ଆଜି ତାପମାତ୍ରା ସାମନ୍ୟ ବଢ଼ି ୮.୮ ଡିଗ୍ରି ସେଲ୍‌ସିୟସରେ ପହଞ୍ଚିଛି। ଥଣ୍ଡା ଯୋଗୁଁ ଘରେ ରହିବା ସହ ଆବଶ୍ୟକ ନଥିଲେ ବାହାରକୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ସନ୍ଧ୍ୟାରୁ ବଜାର ଖାଁ ଖାଁ ହୋଇପଡ଼ୁଥିବା ବେଳେ ସକାଳ ୧୦ଟା ପର୍ଯ୍ୟନ୍ତ ଲୋକେ ଶୀତବସ୍ତ୍ର ଘୋଡ଼େଇ ହୋଇ ନିଜର ଦୈନଦିନ କାର୍ଯ୍ୟ କରୁଛନ୍ତି। କେନ୍ଦୁଝର ଜିଲ୍ଲାର ବାଂଶପାଳ, କାଞ୍ଜିପାଣି ଘାଟି, ଖଣ୍ଡାଧାର, ଯୋଡ଼ା, ବଡ଼ବିଲରେ ରାତିର ତାପମାତ୍ରା ୭ ଡିଗ୍ରି ତଳକୁ ଖସୁଥିବା ଜଣାପଡ଼ିଛି। ରାତିରେ ଘନ କୁହୁଡ଼ି ପାଇଁ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe