କୁକୁର କାମୁଡ଼ା ଖାଇ ଅପରାଧୀ ଚମ୍ପଟ

Advertisment

ଖେଳଣା ବନ୍ଧୁକ ଜବତ, ପୁଲିସ ଶୋଇଛି, କଲୋନି ଜଗିଛନ୍ତି ବୁଲା କୁକୁର

ଖେଳଣା ବନ୍ଧୁକ ଜବତ, ପୁଲିସ ଶୋଇଛି, କଲୋନି ଜଗିଛନ୍ତି ବୁଲା କୁକୁର

ଅପରାଧ ଦୁନିଆରେ ପାଦ ଥାପୁଛନ୍ତି ନାବାଳକ; ୩ ବର୍ଷରେ ୧୦୨ଜଣଙ୍କ ସମ୍ପୃକ୍ତି

ClipartKey

‌ଭୁବନେଶ୍ବର : ବିଳମ୍ବିତ ରାତିରେ ଲୋକଙ୍କ ଘରେ ପଶି ଲୁଟିବା ଯୋଜନା ଥିଲା। ପାଖ‌ରେ ଅସଲି ବନ୍ଧୁକ ନଥିବାରୁ ଭୟଭୀତ କରାଇବା ପାଇଁ ଏକ ନକଲି ବନ୍ଧୁକ ଧରି ଆସିଥିଲେ। ଯୋଜନା ମୁତା‌ବକ ସବୁ ଠିକ୍‌ଠାକ୍‌ ଚାଲିଥିଲା। କିନ୍ତୁ ଦୁର୍ଭାଗ୍ୟ, କେଉଁଠି ଥିଲେ କେଜାଣି, ହଠାତ୍‌ ୧୦ରୁ ୧୫ କୁକୁର ମାଡ଼ି ଆସିଲେ। ଗୋଡ଼ାଇ ଗୋଡ଼ାଇ କାମୁଡ଼ି ଲହୁଲୁହାଣ କରିଦେଲେ। ତେଣୁ ଜୀବନ ବିକଳରେ ୨ ଦୁର୍ବୃତ୍ତ ସେଠାରୁ ପଳାଇଲେ। ବୁଲା କୁକୁରଙ୍କ ପାଇଁ ବରମୁଣ୍ଡା ହାଉସିଂବୋର୍ଡ କଲୋନିରୁ ଏକ ବଡ଼ଧରଣର ଲୁଟ୍‌ ଉଦ୍ୟମ ଫସର ଫାଟି ଯାଇଛି। ଘଟଣାଟି ଗତ ବିଳମ୍ବିତ ରାତିରେ ଘଟିଥିବା ବେଳେ ପୂରା ଘଟଣା ସିସିଟିଭି ଫୁଟେଜ୍‌ରେ କଏଦ୍‌ ହୋଇଛି। କଲୋନିବାସିନ୍ଦାଙ୍କଠାରୁ ସୂଚନା ପାଇ ଖଣ୍ଡଗିରି ଥାନା ପୁଲିସ୍‌ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ଲୁଟେରାଦ୍ବୟ ଆସିଥିବା ବାଇକ୍‌ର ନମ୍ବର ଚିହ୍ନଟ କରି ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି।

ସିସିଟିଭି ଫୁଟେଜ୍‌ରେ କଏଦ୍‌ ହୋଇଥିବା ଦୃଶ୍ୟ ଅନୁଯାୟୀ, ରାତି ପାଖାପାଖି ୨ଟା ବେଳେ ୨ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ବରମୁଣ୍ଡା ହାଉସିଂ ବୋର୍ଡ କଲୋନି ଭିତରେ ପଶିଥିଲେ। ପ୍ରଥମେ ସେମାନେ ଦ୍ରୁତଗତିରେ ଗୋଟିଏ ମୁଣ୍ଡରୁ ଅନ୍ୟ ମୁଣ୍ଡକୁ ଯାଇ ପୁଣି ଫେରିଥିଲେ। ଫେରିବା ବେଳେ ଗୋଟିଏ ଘରୁ ଚୋରି କରିବା ପାଇଁ ଟାର୍ଗେଟ୍‌ କରିଥିଲେ। ପଛରେ ବସିଥିବା ଯୁବକ ଗାଡ଼ିରୁ ଓହ୍ଲାଇ ପାଚେରି ପାଖକୁ ଯିବାକୁ ଉଦ୍ୟତ ହେଉଥିବା ବେଳେ ହଠାତ୍ ୧୦ରୁ ୧୫ କୁକୁର ସେମାନଙ୍କୁ ଆକ୍ରମଣ କରିଥିଲେ। ଯୁବକଦ୍ବୟ ପଳାଇବାକୁ ଚେଷ୍ଟା କରିଥିଲେ ହେଁ ସକ୍ଷମ ହୋଇପାରି ନଥି‌ଲେ। କୁକୁରମାନେ ସେମାନଙ୍କୁ ଘେରିଯାଇ କାମୁଡ଼ି ରକ୍ତାକ୍ତ କରିଦେଇଥିଲେ। ଫଳରେ ଯୁବକଦ୍ବୟ ଜୀବନ ବିକଳ‌‌ରେ ସେହିଠାରେ ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିଲେ। କିଛି ସମୟ ପରେ ସେମାନଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତ ବାଡ଼ି ଧରି କୁକୁରଙ୍କୁ ଭୟଭୀତ କରାଇ ଗାଡ଼ି ନେଇ ଚାଲି ଯାଇଥିଲା। କିନ୍ତୁ ଖେଳଣା ବନ୍ଧୁକଟି ରାସ୍ତା ଉପରେ ପଡ଼ି ରହିଥିଲା।

ଆଜି କଲୋନିବାସୀ ସକାଳୁ ବନ୍ଧୁକ ଓ ଦୁର୍ବୃତ୍ତଙ୍କ ରକ୍ତଛିଟା ରାସ୍ତା ଉପରେ ଦେଖି ଭୟଭୀତ ହୋଇଯାଇଥିଲେ। ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ କିମ୍ବା କାହାକୁ ହତ୍ୟା କରାଯାଇଥିବା ଭାବି ସେମାନେ ଖଣ୍ଡଗିରି ଥାନାକୁ ସୂଚନା ଦେଇଥିଲେ। ଖବର ପ୍ରଘଟ ହେବା ପରେ ଧୀରେଧୀରେ ଘଟଣାସ୍ଥଳରେ ଲୋକଙ୍କ ଗହଳି ଜମିଥିଲା। ପୁଲିସ୍‌ ମଧ୍ୟ ଘଟଣାସ୍ଥଳକୁ ଆସି ଛାନଭିନ୍‌ ଆରମ୍ଭ କରିଦେଇଥିଲା। କଲୋନିରେ ଲାଗିଥିବା ବିଭିନ୍ନ ସିସିଟିଭିର ଫୁଟେଜ୍‌ ଯାଞ୍ଚ କରିବାରୁ ପ୍ରକୃତ ଘଟଣା ପଦାକୁ ଆସିଥିଲା। ପାଟ୍ରୋଲିଂ କଡ଼ାକଡ଼ି ହେଉନଥିବାରୁ ଚୋର, ଡକାୟତଙ୍କ ପ୍ରାଦୁର୍ଭାବ ବଢ଼ୁଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe