ଡାଇରିଆ ଅଣାୟତ୍ତ, ଆଉ ୩ ମୃତ: ମୃତ୍ୟୁସଂଖ୍ୟା ୭ ଛୁଇଁଲା

Advertisment
ଡାଇରିଆ ଅଣାୟତ୍ତ, ଆଉ ୩ ମୃତ: ମୃତ୍ୟୁସଂଖ୍ୟା ୭ ଛୁଇଁଲା

ରାଉରକେଲା: ରାଉରକେଲାରେ ଅଣାୟତ୍ତ ହେଉଛି ଡାଇରିଆ। ଗତକାଲି ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩ ଜଣଙ୍କ ଜୀବନ ଯାଇଛି। ସେମାନେ ହେଲେ ରାଉରକେଲା ବିଶ୍ରାଡ଼ାହାର ରୋଡ୍‌ର ହୋଟେଲ ମାଲିକ ପ୍ରବଣ କୁମାର ସ୍ବାଇଁ (୫୦), ଗାନ୍ଧିରୋଡ଼ର ଅତୁଲ କିସାନ (୭୦), ପ୍ଲାଣ୍ଟସାଇଟ୍‌ ଅଞ୍ଚଳରେ ମହମ୍ମଦ (୪୨)। ଏମାନଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ଏହାସହିତ ବିଭିନ୍ନ ଡାକ୍ତରଖାନାରେ ୩୦୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି। ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ମୋଟ ୧୧୦ ରୋଗୀ ଭର୍ତ୍ତି ହୋଇଛନ୍ତି। ହାଇଟେକ୍‌ ମେଡିକାଲରେ ୫୦ରୁ ଅଧିକ ରୋଗୀଙ୍କ ସହ ବାସନ୍ତୀକଲୋନିସ୍ଥିତ ରାଜସ୍ଥାନ ସେବାସଦନ, ସିଭିଲ୍‌ ଟାଉନସିପ୍‌ ଲାଇଫ୍‌ ଲାଇନ୍‌ ହସ୍ପିଟାଲ୍‌, ବେଦବ୍ୟାସସ୍ଥିତ ଜୟ ପ୍ରକାଶ ହସ୍ପିଟାଲ ଓ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ରେ ୧୫୦ରୁ ଅଧିକ ରୋଗୀ ଭର୍ତ୍ତି ହୋଇଛନ୍ତି। ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ପାଖାପାଖି ୩୧୦ରୁ ଅଧିକ ଡାଇରିଆ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ଦିନକୁ ଦିନକୁ ସ୍ଥିତି ବିଗୁଡ଼ୁଥିବାରୁ ସଂକ୍ରମଣ ରୋକିବାକୁ ତତ୍ପର ହୋଇଛି ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ। ରାଉରକେଲା ମହାନଗର ନିଗମ୍ (ଆର୍‌ଏମ୍‌ସି) ପକ୍ଷରୁ ୧୨ଟି ସ୍ବାସ୍ଥ୍ୟଟିମ୍‌ ଗଠନ କରାଯାଇଛି। ପ୍ରତ୍ୟେକ୍‌ ଟିମ୍‌ ବସ୍ତି ଓ କଲୋନି ବୁଲି ଲୋକମାନଙ୍କୁ ସଚେତନ କରାଇବା ସହ ଔଷଧ ବଣ୍ଟନ କରୁଛନ୍ତି ଓ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଦରକାର ପଡ଼ିଲେ ସଂକ୍ରମଣ ରୋଗୀଙ୍କୁ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି। ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକଙ୍କ ନେତୃତ୍ବରେ ଗଠିତ ଟିମ୍‌ ସହରର ବିଭିନ୍ନ ବସ୍ତି ଓ କଲୋନି ପାଇପଯୋଗେ ଯୋଗାଣ ହେଉଥିବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀ ରଞ୍ଜନ ଶତପଥୀ କହିଛନ୍ତି, ଖାଦ୍ୟ କିମ୍ବା ପାଣିରୁ ବ୍ୟାପୁଛି କି ନାହିଁ ସ୍ପଷ୍ଟ ହୋଇନି। ସମସ୍ତ ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯାଉଛି। ଆର୍‌ଜିଏଚ୍‌ରେ ବେଡ୍‌ ସଂଖ୍ୟା ବୃଦ୍ଧି କରାଯାଇଛି। ସମସ୍ତ ଘରୋଇ ହସ୍ପିଟାଲକୁ ବେଡ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ଡାକ୍ତର ଓ ନର୍ସିଂ କର୍ମଚାରୀ ମଧ୍ୟ ବଢ଼ାଯାଇଛି।

ରାଜ୍ୟ ଆଇଡିଏସ୍‌ପିର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଅଶୋକ ପାଇକରାୟଙ୍କ ସହ ଡାକ୍ତର ସୁରଜିତ ଗରାବଡ଼ୁ ଆର୍‌ଜିଏଚ୍‌ରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସାଗର ଦଳାଇ, ଡାକ୍ତର ସମ୍‌ ଶୁଭଙ୍କର, ସୁନ୍ଦରଗଡ଼ ମେଡିକାଲ କଲେଜର ଡାକ୍ତର ନଳିନୀକାନ୍ତ ତ୍ରିପାଠୀ, ଡାକ୍ତର ଆଶିଷ କୁମାର ବିଶ୍ବାଳ, ଡାକ୍ତର ବିବେକାନନ୍ଦ ସିଂହ, ଡାକ୍ତର ରଞ୍ଜନ କୁମାର ସାମଲ ମଧ୍ୟ ଆର୍‌ଜିଏଚ୍‌ରେ ପହଞ୍ଚି ବିଭିନ୍ନ ୱାର୍ଡ ବୁଲିଥିଲେ। ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଡାଇରିଆ ବ୍ୟାପିବାର କାରଣ ଖୋଜୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲାପାଳ ଡକ୍ଟର ପରାଗ ହର୍ଷଦ ଗାଭାଲି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀରଞ୍ଜନ ଶତପଥୀ ସ୍ଥିତି ସମୀକ୍ଷା କରିଛନ୍ତି। ଆର୍‌ଜିଏଚ୍‌ର ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ, ଉପଅଧୀକ୍ଷକ ଡାକ୍ତର ପଣ୍ଡିତ ସାହୁଙ୍କ ସମେତ ବରିଷ୍ଠ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଆକ୍ରାନ୍ତ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସାସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରତି ୧୨ ରୋଗୀଙ୍କ ଚିକିତ୍ସା ପାଇଁ ଜଣେ ଲେଖାଏଁ ଡାକ୍ତରଙ୍କୁ ଦାୟିତ୍ବ ଦିଆଯାଇଛି। ଜିଲ୍ଲାପାଳ ଡକ୍ଟର ଗାଭାଲି କହିଛନ୍ତି, କେଉଁ କାରଣ ପାଇଁ ଡାଇରିଆ ବ୍ୟାପୁଛି ଏଯାଏ ଜଣାପଡ଼ିନି। ଗତକାଲି ପରୀକ୍ଷା ରିପୋର୍ଟରୁ ପାଣି ଦୂଷିତ ନଥିବା ଜଣାପଡ଼ିଛି। ତଥାପି କାରଣ ଖୋଜା ଚାଲିଛି। ସେପଟେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବିଜେପିର ବରିଷ୍ଠ ନେତା ନିହାର ରାୟ ପ୍ରମୁଖ ବିଭିନ୍ନ ୱାର୍ଡ ବୁଲି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। କେମିତି ଡାଇରିଆ ବ୍ୟାପିଲା ? ସ୍ବାସ୍ଥ୍ୟ ବିଭାଗ ଏ ସଂକ୍ରାନ୍ତରେ ଆରମ୍ଭରୁ କେମିତି ଜାଣିପାରିଲା ନାହିଁ ? ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe