ଆଳି: ଆଳିର ବାଳକାଟି ବଜାର ନିକଟରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ମନ୍ତ୍ରୀ ଶ୍ରୀ ଜେନା ଆଳି ନିର୍ବାଚନମଣ୍ଡଳୀର ଆଳି ଓ ରାଜକନିକା ବ୍ଲକ୍ରେ ମାରାଥନ ଶିଳାନ୍ୟାସ ଓ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ପାଇଁ ଆସି ଗତକାଲି ରାତିରୁ ଆଳି ତଟବନ୍ଧ ଡିଭିଜନ ବଙ୍ଗଳାରେ ରହିଥିଲେ। ଅନ୍ୟପଟେ କେନ୍ଦ୍ରାପଡ଼ା ଏସ୍ପି ଅଫିସ୍ ସମ୍ମୁଖରେ କଂଗ୍ରେସର ଅଣ୍ଡାପୂଜା ଓ ଅଣ୍ଡାମାଡ ଧମକକୁ ଦୃଷ୍ଟିରେ ରଖି ଗତରାତି ଠାରୁ ପୁଲିସ, ଗୁଇନ୍ଦା ବିଭାଗ ମନ୍ତ୍ରୀଙ୍କ ନିରାପତ୍ତା ପାଇଁ ବ୍ୟାପକ ପ୍ରସ୍ତୁତି କରିଥିଲେ। କିନ୍ତୁ କଡ଼ା ନିରାପତ୍ତା ବଳୟ ମଧ୍ୟରେ ଗସ୍ତ କରୁଥିବା ମନ୍ତ୍ରୀ ଶ୍ରୀ ଜେନା ଅଣ୍ଡାମାଡରୁ ବର୍ତ୍ତି ପାରି ନଥିଲେ।
ମନ୍ତ୍ରୀ ପ୍ରତାପ ଜେନା ଆଳି ବିଧାୟକ ପ୍ରତାପ ଦେବଙ୍କ ସହିତ ସକାଳ ୧୦ଟାରୁ କାର୍ଯ୍ୟକ୍ରମ ପାଇଁ ଗସ୍ତ ଆରମ୍ଭ କରିଥିଲେ।ବାଳକାଟିର ପାନୀୟଜଳ ପ୍ରକଳ୍ପ ଉଦଘାଟନ ସାରି ମନ୍ତ୍ରୀ ଶ୍ରୀ ଜେନା ବାଳକାଟି ପଞ୍ଚାୟତରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବାଣ୍ଟିବାକୁ ଯିବାବେଳେ ବାଳକାଟି ବଜାର ନିକଟରେ କଂଗ୍ରେସ ପତାକା ଧରି ଥିବା କେତେକ ଯୁବକ ପୁଲିସକୁ ଚକ୍ମା ଦେଇ ମନ୍ତ୍ରୀ ପ୍ରତାପ ଜେନା ବିରୋଧରେ ନାରା ଦେଇ ମନ୍ତ୍ରୀଙ୍କ ଗାଡି ଆଗକୁ ମାଡ଼ି ଆସିଥିଲେ। ଯୁବକମାନେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ।
Follow Us