ଶ୍ରୀଜଗନ୍ନାଥବଲ୍ଲଭରେ ମହାପ୍ରଭୁଙ୍କ ବେଶ ପ୍ରଦର୍ଶନୀ: କାଲି ଖୋଲିଥିଲେ, ପୁଣି ଲଗାଇଲେ

Advertisment

ଦିଆଗଲା ବିଜୁଳି ସଂଯୋଗ

ଦିଆଗଲା ବିଜୁଳି ସଂଯୋଗ

ଶ୍ରୀଜଗନ୍ନାଥବଲ୍ଲଭରେ ମହାପ୍ରଭୁଙ୍କ ବେଶ ପ୍ରଦର୍ଶନୀ: କାଲି ଖୋଲିଥିଲେ, ପୁଣି ଲଗାଇଲେ

ପୁରୀ: ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବନ୍ଦ କରି ଦିଆଯାଇଥିବା ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ମହାପ୍ରଭୁଙ୍କ ବେଶ ପ୍ରଦର୍ଶନୀ ପୁଣିଥରେ ଆରମ୍ଭ ହୋଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ହସ୍ତକ୍ଷେପ ପରେ ଭାଙ୍ଗି ଦିଆଯାଇଥିବା ଟେଣ୍ଟ୍‌ ଓ ଖୋଲି ଦିଆଯାଇଥିବା ବେଶକୁ ପୁଣିଥରେ ପୂର୍ବସ୍ଥାନରେ ସ୍ଥାପନ କରାଯାଇଛି। ଯେଉଁ ପ୍ରଦର୍ଶନୀରେ ତାଲା ପକାଇ ଦିଆଯାଇଥିଲା, ତାହା ଆଜିଠାରୁ ପୁଣିଥରେ ଭକ୍ତଙ୍କ ପାଇଁ ଖୋଲିଛି। କାଟି ଦିଆଯାଇଥିବା ବିଜୁଳି ସଂଯୋଗ ପୁଣିଥରେ ଦିଆଯାଇଛି। ବହୁ ସଂଖ୍ୟାରେ ଭକ୍ତ ବି ଆଜି ପ୍ରଦର୍ଶନୀ ବୁଲିବା ସହ ଖୁସିବ୍ୟକ୍ତ କରି ଫେରିଛନ୍ତି। ଜାନୁଆରି ୧୭ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅବସରରେ ଶ୍ରୀଜଗନ୍ନାଥବଲ୍ଲଭ ପରିସରରେ ଆରମ୍ଭ ହୋଇଥିଲା ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ଏହି ପ୍ରଦର୍ଶନୀ। ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମିନିଏଚର୍‌(କଳାକୃତି)।

ଶ୍ରୀଜଗନ୍ନାଥଙ୍କ ବିରଳ ରଘୁନାଥ ବେଶ, ନାଗାର୍ଜୁନ ବେଶ ସହ ଅନ୍ୟାନ୍ୟ ୨୫ ବେଶ। ଏଥିସହ କାଠରେ ନିର୍ମିତ ତିନି ରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନର ଅବିକଳ କୁନି ପ୍ରତିକୃତି ବି ପ୍ରଦର୍ଶନୀର ଶୋଭା ବର୍ଦ୍ଧନ କରୁଥିଲା। ମହାପ୍ରସାଦ ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାରର କୁଡ଼ୁଆ, ମହାପ୍ରଭୁଙ୍କ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର ହେଉଥିବା ଦର୍ପଣ, ଗଡ଼ୁ, ଥାଳି, ପାଟବସ୍ତ୍ର, ଘୋଡ଼ ଆଦି ବି ପ୍ରଦର୍ଶିତ ହୋଇଥିଲା। କିନ୍ତୁ, ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେପରେ ୫ ତାରିଖରୁ ଏହି ପ୍ରଦର୍ଶନୀକୁ ସଂପୂ୍ର୍ଣ୍ଣ ବନ୍ଦ କରି ଦିଆଯାଇଥିଲା। ବେଶ ସବୁକୁ ଖୋଲି ଦିଆଯାଇଥିଲା। ଶୀତତାପ ନିୟନ୍ତ୍ରିତ ଏହି ପ୍ରଦର୍ଶନୀରୁ ଏସି, ଟେଣ୍ଟ, କାରପେଟ୍‌ ଆଦି ବି ଖୋଲି ଦିଆଯାଇଥିଲା। ପ୍ରଦର୍ଶନୀରେ ତାଲା ପକାଇ ଦିଆଯାଇଥିଲା। ଏନେଇ ଆଜି ‘ସମ୍ବାଦ’ରେ ଖବରପ୍ରକାଶ ପରେ ଏହି ପ୍ରଦର୍ଶନୀର ସ୍ଥିତାବସ୍ଥା ଜଣାଇବାକୁ ଆଜି ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ସ୍ଥିତାବସ୍ଥା ଅନୁଧ୍ୟାନ କରିବା ପରେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ପୁନଃଆରମ୍ଭ କରାଯାଇଛି। ବେଶକୁ ପୂର୍ବଭଳି ସଜେଇ ରଖାଯାଇଛି। ପୂର୍ବ ଭଳି ଏସି ଲାଗିବା ସହ ଟେଣ୍ଟ, କାର୍ପେଟ୍‌ ଆଦି ବିଛାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe