ଏସ୍‌ସିବିରେ ଅଗ୍ନିନିରାପତ୍ତା ବ୍ୟବସ୍ଥା: ୧୦ କୋଟିର ଯୋଜନା, ସ୍ବାସ୍ଥ୍ୟ ବିଭାଗର ମୋହର

Advertisment
ଅସୁରକ୍ଷିତ ଏସ୍‌ସିବି ରେକର୍ଡ ରୁମ୍‌: ୪୦ ବର୍ଷ ହେଲା ଆଜବେଷ୍ଟସ ଘରେ ଗଦା ହେଉଛି ରେକର୍ଡ

Sambad

କଟକ: ହାଇକୋର୍ଟଙ୍କ ତାଗିଦ୍‌ ପରେ କଟକ ବଡ଼ଡାକ୍ତରଖାନା ଅଗ୍ନି ନିରାପତ୍ତା ବ୍ୟବସ୍ଥା ତଥା ଭିତ୍ତିଭୂମି ପ୍ରସ୍ତୁତି ପାଇଁ ପାଖାପାଖି ୧୦କୋଟି ଟଙ୍କା ମଞ୍ଜୁର କରିଛି ସ୍ବାସ୍ଥ୍ୟ ବିଭାଗ। ହୃଦ୍‌ରୋଗ ବିଭାଗର ୪ ମହଲା କୋଠାର ଅଗ୍ନିନିରାପତ୍ତା ବ୍ୟବସ୍ଥା ଓ ଆଲାରାମ୍‌ ସିଷ୍ଟମ୍‌ ପାଇଁ ୧ କୋଟି ୮୨ ଲକ୍ଷ ୬୯ ହଜାର ୩୭୨ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଏସ୍‌ସିବି ପୁରୁଣା ମେଡିସିନ୍‌ କୋଠା ପାଇଁ ୧ କୋଟି ୭୩ ଲକ୍ଷ ୬୯ ହଜାର ୭୮୦ ଟଙ୍କା, ସର୍ଜରି ବିଭାଗ ପାଇଁ ୧ କୋଟି ୬୭ ଲକ୍ଷ ୫୨ ହଜାର ୫୯ ଟଙ୍କା, ବାୟୋକେମିଷ୍ଟ୍ରି ବିଭାଗ ପାଇଁ ୧ କୋଟି ୭ ଲକ୍ଷ ୨୯ ହଜାର ଟଙ୍କା, ଅର୍ଥୋପେଡିକ୍ ବିଭାଗ ପାଇଁ ୧ କୋଟି ୪୦ ଲକ୍ଷ ୬୪ ହଜାର ଟଙ୍କା, ଭିଆରଡିଏଲ୍ ବିଭାଗ ପାଇଁ ୧ କୋଟି ୬ ଲକ୍ଷ ୫୮ ହଜାର ଟଙ୍କା, ବର୍ଣ୍ଣ ୟୁନିଟ୍‌ ପାଇଁ ୧ କୋଟି ୨୩ ଲକ୍ଷ ୧୨ ହଜାର ଟଙ୍କା, ସ୍କିନ୍ ଓ ଭିଡି ପାଇଁ ୧ କୋଟି ୪୫ଲକ୍ଷ ୮୩ ହଜାର ଟଙ୍କା ମଞ୍ଜୁର ହୋଇଛି। ସେହିପରି ପେଡିଆଟ୍ରିକ, ନ୍ୟୁରୋଲୋଜି, ନେଫ୍ରୋଲୋଜି ଓ ଗ୍ୟା‌ଷ୍ଟ୍ରୋଲୋଜି ବିଭାଗ ପାଇଁ ୧ କୋଟି ୩୪ ଲକ୍ଷ ୮୮ ହଜାର ଟଙ୍କା ପ୍ରଦାନ କରାଯାଇଛି। ଟ୍ରମା କାଜୁଆଲିଟିରେ ମଧ୍ୟ ଅଗ୍ନିନିରାପତ୍ତା ବ୍ୟବସ୍ଥା ରହିବ। ୨୦୨୩-୨୪ ପାଇଁ ଏହି ଅର୍ଥ ମଞ୍ଜୁର କରାଯାଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆସନ୍ତା ୩ ମାସ ମଧ୍ୟରେ ଏସସିବି ମେଡିକାଲ କଲେଜ ଓ ହସପିଟାଲର ବିଭିନ୍ନ ବିଭାଗରେ ଅଧିକ ସଂଖ୍ୟାରେ ଅଗ୍ନି ନିର୍ବାପକ ଯନ୍ତ୍ର, ଫାୟାର ବଲ୍ ଆଦି ମହଜୁଦ ରଖାଯିବ। ସେହିପରି ୬ମାସ ମଧ୍ୟରେ ବିଭିନ୍ନ କୋଠାରେ ଉପଯୁକ୍ତ ଅଗ୍ନିନିରାପତ୍ତା ବ୍ୟବସ୍ଥା ପାଇଁ କେତେକ ଆନୁଷଙ୍ଗିକ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇ ସମ୍ପୂର୍ଣ୍ଣ କରାଯିବ। ୬୨ଟି କୋଠାରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ପାଇଁ ଆବଶ୍ୟକ ହେଉଥିବା କିଛି ପରିବର୍ତ୍ତନ କରାଯିବାକୁ ଥିବା ବେଳେ ଏହି ପ୍ରକଳ୍ପ ପାଇଁ ପ୍ରଶାସନିକ ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ଅନ୍ତର୍ଗତ ଫାୟାର ପଣ୍ଡ୍, ଅଣ୍ଡରଗ୍ରାଉଣ୍ଡ ସେଫ୍ଟିକ ଟ୍ୟାଙ୍କ୍, ସ୍ମୋକ ଡିଟେକ୍ଟର ଆଦି ଉପଲବ୍ଧ ହେବ। ସେହିପରି ଆଇସିୟୁ ଗୁଡିକରେ ୩୦ରୁ ଅଧିକ ଶଯ୍ୟା ରଖା ନଯିବା ଓ କୋଠା ଗୁଡିକ ପାଇଁ ଦ୍ୱିତୀୟ ଷ୍ଟେୟାରକେସ ସୁବିଧା ଗ୍ରହଣ କରାଯିବା ଉପରେ ରିପୋର୍ଟରେ ଉଲ୍ଲେଖ ରହିଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ପୂର୍ତ୍ତବିଭାଗ ପକ୍ଷରୁ ଯୋଜନାପ୍ରସ୍ତୁତ କରାଯାଇ ଡିଏମ୍‌ଇଟିଙ୍କ ଅନୁମୋଦନ ପାଇଁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe