୩ ଦୁର୍ଘଟଣାରେ ୫ ମୃତ: କାର୍ ଧକ୍କାରେ ମା’-ପୁଅ, କାର୍‌-ବାଇକ୍‌ ମୁହାଁମୁହିଁରେ ୨ ଯୁବକ ମୃତ

Advertisment

ବସ୍ ଧକ୍କାରେ ବାଇକ୍ ଚାଳକଙ୍କ ପ୍ରାଣ ଗଲା

ବସ୍ ଧକ୍କାରେ ବାଇକ୍ ଚାଳକଙ୍କ ପ୍ରାଣ ଗଲା

୩ ଦୁର୍ଘଟଣାରେ ୫ ମୃତ: କାର୍ ଧକ୍କାରେ ମା’-ପୁଅ, କାର୍‌-ବାଇକ୍‌ ମୁହାଁମୁହିଁରେ ୨ ଯୁବକ ମୃତ

ବ୍ରହ୍ମପୁର/ଦାରିଙ୍ଗବାଡ଼ି/ଖଲ୍ଲିକୋଟ : ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୫ ଜଣଙ୍କ ଜୀବନ ନେଇଛି। ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଏମ୍‌କେସିଜି ବଡ଼ ଡାକ୍ତରଖାନା ମୁଖ୍ୟଫାଟକ ସମ୍ମୁଖରେ ଏକ କାର୍ (ଏମ୍‌ଏଚ ୧୦- ଏଏନ୍‌ ୯୧୪) ଧକ୍କାରେ ସ୍କୁଟି (ଓଡ଼ି-୦୭ଜେ ୬୨୧୮) ଆରୋହୀ ମାଆପୁଅ ପ୍ରାଣ ହରାଇଛନ୍ତି। ମୃତକମାନେ, ‌ହେଲେ ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର ସୀତାମ୍ମା ପାତ୍ର(୫୫) ଓ ତାଙ୍କ ପୁଅ ରାମଚନ୍ଦ୍ର ପାତ୍ର (୩୬)।

ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ରାମଚନ୍ଦ୍ର ଓ ତାଙ୍କ ମାଆ ସୀତାମ୍ମା ଏମ୍‌କେସିଜି ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଭଉଣୀଙ୍କ ପାଖକୁ ଯାଇଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝି ରାତି ପ୍ରାୟ ସାଢ଼େ ୧୨ଟାରେ ସ୍କୁଟିରେ ଘରକୁ ଫେରୁଥିଲେ। ଏହି ସମୟରେ ମୁଖ୍ୟଫାଟକ ସମ୍ମୁଖରେ ଦ୍ରୁତ ଗତିରେ ବିପରୀତ ଦିଗରୁ ଆସୁଥିବା କାର୍‌ଟି ରାମଚନ୍ଦ୍ରଙ୍କ ସ୍କୁଟିକୁ ସମ୍ମୁଖ ଭାଗରୁ ଧକ୍କା ଦେଇଥିଲା। ଫଳରେ ମାଆପୁଅ ଦୁହେଁ ରାସ୍ତା ଉପରେ କଚାଡ଼ି ହୋଇ ପଡ଼ିଥିଲେ। ଆଉ କାର୍‌ଟି ଡିଭାଇଡର୍‌ରେ ପିଟି ହୋଇ ଉଭୟଙ୍କୁ କିଛି ଦୂର ଘୋଷାଡ଼ି ନେଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଟ୍ର‌ାଫିକ୍ ଥାନାରେ କେସ୍‌ ନମ୍ବର ୩୬/୨୩ ଅନୁସାରେ ମାମଲା ରୁଜୁ ହୋଇଥିବା ବେଳେ ଦୁର୍ଘାଟଣଗ୍ରସ୍ତ ଦୁଇ ଗାଡ଼ିକୁ ପୁଲିସ ଜବତ କରିଛି। କାର୍‌ ଚାଳକକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।

publive-image

ସେହିପରି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଏସ୍‌ଆର ପେଟ୍ରୋଲ୍ ପମ୍ପ୍ ସମ୍ମୁଖରେ ଆଜି ସନ୍ଧ୍ୟାରେ ଏକ କାର୍ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ୨ଜଣ ଯୁବକ ପ୍ରାଣ ହରାଇଛନ୍ତି। ସେମାନେ ହେଲେ, ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ପ୍ଲିହେରି ଗ୍ରାମର ଜ୍ୟୋତିରାଜ ପ୍ରଧାନଙ୍କ ପୁଅ ଯୁଗାନ୍ତ (୨୦) ଓ ମୁନା ମଲ୍ଲିକଙ୍କ ପୁଅ ବାଳକୃଷ୍ଣ (୨୦)। ସେହି ଗ୍ରାମର ଗୁରୁତର ମନିଲ ପ୍ରଧାନ(୧୭)ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଶୁକ୍ରବାର ସନ୍ଧ୍ୟାରେ କାର୍‌ (ଓଡ଼ି୦୨-ସିଏ ୭୫୦୦)ଟି ପେଟ୍ରୋଲ ପମ୍ପ୍‌ରୁ ପେଟ୍ରୋଲ୍ ପକାଇ ବାହାରୁଥିବା ବେଳେ ସେହି ରାସ୍ତାରେ ଦାରିଙ୍ଗବାଡ଼ି ପଟୁ ଯୁଗାନ୍ତ, ବାଳକୃଷ୍ଣ ଓ ମନିଲ୍ ଏକ ବାଇକ୍‌ରେ ଆସୁଥିଲେ। ଉଭୟ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ତିନିଜଣ ବାଇକ୍ ଆରୋହୀ ଛିଟିକି ପଡ଼ିଯାଇଥିଲା। ଅଗ୍ନିଶମ ବିଭାଗ ଅଧିକାରୀ ମନୋଜ କୁମାର ସାହୁ ସଦଳବଳେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଯୁଗାନ୍ତ ଓ ବାଳକୃଷ୍ଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଥାନାଧିକାରୀ କୌଶିକ ମାଝୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। କାର୍ ମାଲିକଙ୍କୁ ଅଟକ ରଖି ପଚରାଉଚରା ଚାଲିଥିବା ସୂଚନା ଦେଇଛନ୍ତି।

ସେହିପରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର କଲେଜ ଛକ ନିକଟରେ ଏକ ମିନିବସ୍‌ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଜଣକ ହେଲେ ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତ ଲୁଂଘର ଗ୍ରାମର ରାମ ନାହାକ। ରାମ ଆଜି ମଧ୍ୟାହ୍ନରେ ବାଇକ୍‌ରେ ଡିଜେଲ ଭର୍ତ୍ତି ବ୍ୟାରେଲ୍‌ ନେଇ ଗାଁକୁ ଯାଉଥିବା ବେଳେ ବସ୍‌ ସହ ଧକ୍କା ହୋଇଥିଲା। ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ହେଲେ ରାସ୍ତାରେ ରାମ ପ୍ରାଣ ହରାଇଥିଲେ। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe