ମା’ ତାରାତାରିଣୀ ମନ୍ଦିର ପ୍ରତିଷ୍ଠା, ମଥାରେ ଜଳକଳସ ଧରିଲେ ଜିଲ୍ଲାପାଳ 

Advertisment
ମା’ ତାରାତାରିଣୀ ମନ୍ଦିର ପ୍ରତିଷ୍ଠା, ମଥାରେ ଜଳକଳସ ଧରିଲେ ଜିଲ୍ଲାପାଳ 

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବର ଆଜି ଥିଲା ଦ୍ବିତୀୟ ଦିନ। ଆଜି ପ୍ରାତଃରେ ପବିତ୍ର ଋଷିକୁଲ୍ୟା ନଦୀରୁ ପର୍ବତ ଶିଖର ପର୍ଯ୍ୟନ୍ତ ଜଳକଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମନ୍ଦିର ପ୍ରତିଷ୍ଠା ଉତ୍ସବର କର୍ତ୍ତା ତଥା ମନ୍ଦିର ଟ୍ରଷ୍ଟ୍ ବୋର୍ଡ଼ ଅଧ୍ୟକ୍ଷ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୋଭାଯାତ୍ରାରେ ବାହାରି ୫୦୦ ଭକ୍ତଙ୍କ ଗହଣରେ ସ୍ଥାନୀୟ ଋଷିକୁଲ୍ୟା ନଦୀଶଯ୍ୟାରେ ଜଳଦେବତାଙ୍କୁ ପୂଜାର୍ଚ୍ଚନା କରି ମଥଶରେ ଜଳକଳସ ଧରି ମନ୍ଦିର ପରିସରରେ ପହଞ୍ଚିଥିଲେ।

୧୦୮ରୁ ଅଧିକ ପୁରୋହିତ, ହଜାରେରୁ ଅଧିକ ମହିଳା ଓ ପୁରୁଷ ଏହି ଜଳକଳସ ଯାତ୍ରାରେ ଭାଗ ନେଇଥିଲେ। ପରେ ସମସ୍ତ ପୁରୋହିତଙ୍କୁ ବରଣ କରାଯିବା ପରେ ହୋମଯଜ୍ଞ ଆରମ୍ଭ ହୋଇଥିଲା। ଗଞ୍ଜାମ ଜିଲ୍ଲା ପୁଲିସ ଓ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୬ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ବିଶେଷ ସୁବିଧା ନାହିଁ। ୧୯ ବର୍ଷ ପରେ ମା’ଙ୍କ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ଲକ୍ଷାଧିକ ଭକ୍ତ ଏହି ଦିନକୁ ଅପେକ୍ଷା କରି ରହିଥିଲେ। ହେଲେ ପ୍ରଶାସନର ବାରଣ ପରେ ସେମାନେ ନିରାଶ ହୋଇଛନ୍ତି। ଆଜି ଦ୍ବିତୀୟ ଦିନରେ ଯୋଗ ଦେଇଥିବା ୫୦୦ ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ଏହି ମହୋତ୍ସବରେ ଆଗାମୀ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ। ଏଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସ୍ଥାନୀୟ ନରସିଂହପୁର ଠାରେ ହେଲିପ୍ୟାଡ୍ ପ୍ରସ୍ତୁତ ହୋଇଛି। ସେଦିନ ୧୦ ହଜାରରୁ ଅଧିକ ଜନପ୍ରତିନିଧିଙ୍କୁ ନେଇ ଏକ ସଭାର ଆୟୋଜନ କରାଯିବ ବୋଲି ଜଣାପଡ଼ିଛି। ମନ୍ଦିର ମୁଖ୍ୟ ପୁରୋହିତ ସୀମାଞ୍ଚଳ ଦାଶଶର୍ମାଙ୍କ ନେତୃତ୍ବରେ ସମସ୍ତ ପୂଜାନୀତି ଜାରି ରହିଛି। ସେହିପରି ପୂଜକ ତପନ କୁମାର ରଣାଙ୍କ ସମେତ ଅନ୍ୟମାନେ ସହଯୋଗ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe