ପାଟନା: ଶ୍ରାବଣରେ ମାଂସ ଓ ନବରାତ୍ରୀରେ ମାଛ ଖାଉଥିବା ତେଜସ୍ବୀ ସନାତନୀ ହୋଇପାରିବେ ନାହିଁ। ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରି ଏଭଳି କହିଲେ ବିଜେପି ନେତା ତଥା ବିହାରର ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା । ମଙ୍ଗଳବାର ଲୋକସଭା ନିର୍ବାଚନ ପ୍ରଚାର ସମୟରେ ଆରଜେଡି ନେତା ତେଜସ୍ୱୀ ଯାଦବ ନିଜର ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ତାଙ୍କୁ ବିକାଶଶୀଳ ଇନସାନ ପାର୍ଟି (ଭିଆଇପି) ମୁଖ୍ୟ ମୁକେଶ ସାହାନିଙ୍କ ସହ ହେଲିକପ୍ଟରରେ ମାଛ ଓ ରୁଟି ଖାଉଥିବାର ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ଭିଡିଓକୁ ନେଇ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଏବଂ ବିଜୟ ସିହ୍ନା ସମାଲୋଚନା କରିଛନ୍ତି।
ବିଜୟ ସିହ୍ନା କହିଛନ୍ତି ଯେ, ତେଜସ୍ୱୀ କେବଳ ନିର୍ବାଚନ ସମୟରେ ନିଜକୁ ସନାତନୀ ବୋଲି କହୁଛନ୍ତି। ଏମାନେ ସନାତନୀ ହେବାକୁ ଚାହାଁନ୍ତି। କିନ୍ତୁ ସନାତନ ଧର୍ମର ରୀତିନୀତି ବିଷୟରେ ଜାଣିନାହାନ୍ତି। ଶ୍ରାବଣରେ ମାଂସ ଓ ନବରାତ୍ରୀରେ ମାଛ ଖାଉଥିବା ତେଜସ୍ବୀ ସନାତନୀ ହୋଇପାରିବେ ନାହିଁ। ଏମାନେ କେବଳ ଭୋଟ୍ ପାଇଁ ଏତେ ତଳକୁ ଖସିବା ସହ ଧର୍ମ ଏବଂ ସଂସ୍କାରକୁ ଲଜ୍ଜିତ କରୁଛନ୍ତି। ନିଜକୁ ସନାତନୀ ବୋଲି କହି ମାଛ ଖାଇବା ଦ୍ବାରା ସେ ସନାତନ ଧର୍ମର ଅପମାନ କରୁଛନ୍ତି।
ଅନ୍ୟପକ୍ଷରେ ଗିରିରାଜ ସିଂ କହିଛନ୍ତି ଯେ, 'ତେଜସ୍ୱୀଜୀ ଋତୁ ଅନୁଯାୟୀ ସନାତନୀ ପାଲଟିଯାଆନ୍ତି। ଯେତେବେଳେ ତାଙ୍କ ଦଳ କ୍ଷମତାରେ ଥିଲା, ତାଙ୍କ ବାପା ଭୋଟ୍ ପାଇଁ ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବେଆଇନ ଭାବେ ଭାରତରେ ରହିବାକୁ ଅନୁମତି ଦେଇଥିଲେ। ଏମାନେ ଭୋଟ ବ୍ୟବସାୟୀ, ସନାତନୀ ନୁହଁନ୍ତି।
Follow Us