ସରକାରୀ କ୍ବାଟର୍ସ ଭୂତକୋଠି

ସରକାରୀ କ୍ବାଟର୍ସ ଭୂତକୋଠି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ବହୁ ସରକାରୀ କ୍ୱାର୍ଟର୍ସ ଜବରଦଖଲକାରୀଙ୍କ କବ‌୍‌ଜାରେ ରହିଛି। ସେହିପରି ଅନେକ କ୍ୱାର୍ଟର୍ସ ଭଙ୍ଗାଦଦରା ହୋଇ ଭୂତକୋଠି ପାଲଟିଛି। ଏ ଗୁଡ଼ିକ ବିପଦସଂକୁଳ ଅବସ୍ଥାରେ ରହିଥିଲେ ମଧ୍ୟ ଏହାକୁ ଉଚ୍ଛେଦ କରିବାପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଏସବୁ କ୍ବାର୍ଟର୍ସରେ ଅବାଧ ନିଶା କାରବାର ଚାଲିଥିବା ଅଭିଯୋଗ ହେଉଛି।

ଏଲ୍‌ଆଇସି କଲୋନିରେ ଦୁଇଟି ସରକାରୀ କ୍ୱାର୍ଟର୍ସକୁ ଲୋକେ ମାଡ଼ି ବସିଥିବା ବେଳେ ପ୍ରଶାସନ ଜବରଦଖଲ ଉଚ୍ଛେଦ କରୁନାହିଁ। ଅନ୍ୟପକ୍ଷରେ ସରକାରୀ କର୍ମଚାରୀ କ୍ୱାର୍ଟର୍ସ ନ ପାଇ ବାହାରେ ଘର ଭଡ଼ା ନେଇ ରହୁଛନ୍ତି। ସେହିପରି ସହରର ବିଭିନ୍ନ ସ୍ଥାନରେ ଥିବା ସରକାରୀ କ୍ୱାର୍ଟର୍ସ ଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଏଷବ ଭୂତକୋଠିରେ ପରିଣତ ହୋଇଛି। ଏସବୁ ଘର ଅସାମାଜିକଙ୍କ ଆଡ଼ାସ୍ଥଳ ପାଲଟିଛି। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ କବିତ୍ରା ନିକଟରେ କର୍ମଚାରୀ କ୍ୱାର୍ଟର୍ସ ନିର୍ମାଣ ହୋଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ତାହା ଏବେ ଭୂତକୋଠିରେ ପରିଣତ ହେଲାଣି। ଏଠାରେ କେହି ରହୁନାହାନ୍ତି। ଏହାଛଡ଼ା କେନ୍ଦୁଝର ପାର୍କ ଲାଇନ୍‌ଠାରେ ଥିବା ରାଜସ୍ୱ ବିଭାଗ, ଏଲ୍‌ଆଇସି କଲୋନି, ଡିଏନ୍ ହାଇସ୍କୁଲର କେତେକ କ୍ୱାର୍ଟର୍ସ, କାଶୀପୁରଠାରେ ଥିବା ଭୂତତ୍ତ୍ବ ବିଭାଗ କଲୋନିର କ୍ୱାର୍ଟର୍ସ, ରାମମନ୍ଦିର ନିକଟସ୍ଥ ମ୍ୟୁନିସିପାଲିଟି କଲୋନିର କ୍ୱାର୍ଟର୍ସ ଗୁଡ଼ିକ ମଧ୍ୟ ବହୁବର୍ଷ ଧରି ମରାମତି ହୋଇନଥିବାରୁ ଅତ୍ୟନ୍ତ ବିପଦସଙ୍କୁଳ ଭାବରେ ପଡ଼ିରହିଛି। କ୍ବାର୍ଟର୍ସ ଗୁଡ଼ିକୁ ମରାମତି କରାଯାଉ ନାହିଁ କି ତାହାକୁ ‌ଭାଙ୍ଗି ସେଠାରେ ନୂଆ କ୍ବାର୍ଟର୍ସ ନିର୍ମାଣ ହେଉନି।

ସହରର କେନ୍ଦ୍ରସ୍ଥଳରେ ଥିବା ଏହି କ୍ବାର୍ଟର୍ସ ଗୁଡ଼ିକୁ ବାହାର ଲୋକେ କବ୍‌ଜା କରିଛନ୍ତି। ସେମାନେ ଭଡ଼ା ନଦେଇ ବର୍ଷ ବର୍ଷ ଧରି ରହିଆସୁଥିବା ଅଭିଯୋଗ ହୋଇଛି। ସେହିପରି କେନ୍ଦୁଝର ଷ୍ଟାଡିୟମ ନିକଟରେ ରାଜସ୍ୱ ବିଭାଗର ଥିବା କ୍ୱାର୍ଟର୍ସ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ଏହି ଦୁଇ ମହଲା ଘରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଚାଲୁଥିବା ସ୍ଥାନୀୟ ଲୋକେ କରିଛନ୍ତି। ପ୍ରଶାସନ ତୁରନ୍ତ ଜବରଦଖଲମୁକ୍ତ କରି ବିପଦସଙ୍କୁଳ ଅବସ୍ଥାରେ ଥିବା କ୍ବାର୍ଟର୍ସ ଗୁଡ଼ିକୁ ଭାଙ୍ଗିବା ପାଇଁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe