ଆଜି ଭାରତୀୟ ଟ୍ବେଣ୍ଟି-୨୦ ଦଳ ଘୋଷଣା

Advertisment

ଚୟନକର୍ତ୍ତା ବାଛିବେ ଦୁଇଟି ଦଳ

ଚୟନକର୍ତ୍ତା ବାଛିବେ ଦୁଇଟି ଦଳ

ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷିତ

DNA India

ମୁମ୍ବାଇ : ଜୁନ୍‌ ୯ ତାରିଖରୁ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଭାରତୀୟ ଦଳ ରବିବାର ଚୟନ କରାଯିବ। ଶିଖର ଧାୱନ, ହାର୍ଦିକ ପାଣ୍ଡ୍ୟା ଏବଂ ଦୀନେଶ କାର୍ତ୍ତିକଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ ଲାଗୁଥିବାବେଳେ ଆଇପିଏଲ୍‌ ପ୍ରଦର୍ଶନ ଆଧାରରେ ଉଦୀୟମାନ ତାରକା ଉମ୍ରାନ୍‌ ମଲ୍ଲିକ, ମୋହସିନ୍‌ ଖାନ୍‌ଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି। ଦୁଇ ମାସିଆ ଆଇପିଏଲ୍‌ ସହିତ ଜୁନ୍‌ ୧୫ ତାରିଖରୁ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯିବାର ଥିବାରୁ ସମସ୍ତ ଫର୍ମାଟ୍‌ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି, ଋଷଭ ପନ୍ତ୍‌ ଓ ଯଶପ୍ରୀତ୍ ବୁମରା ପ୍ରମୁଖଙ୍କୁ ବିସିସିଆଇ ଚୟନକର୍ତ୍ତା ବିଶ୍ରାମ ଦେବା ସମ୍ଭାବନା ରହିଛି। ଏହା ଛଡ଼ା ଅର୍ଶଦୀପ ସିଂହ, ତିଳକ ବର୍ମା, ଦୀପକ ହୁଦା, ଭେଙ୍କଟେଶ ଆୟର ଏବଂ ରାହୁଲ ତିୱାତିଆଙ୍କ ନାମ ମଧ୍ୟ ଚୟନକର୍ତ୍ତାଙ୍କ ନଜରରେ ରହିଛି। ଚଳିତ ବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦୃଷ୍ଟିରୁ ଫିନିସର୍‌ ଭୂମିକା ଲାଗି ଦୀନେଶ କାର୍ତ୍ତିକଙ୍କୁ ଆଉ ଏକ ପ୍ରତ୍ୟାବର୍ତ୍ତନ ସୁଯୋଗ ଦେବା କଥା ଚୟନକର୍ତ୍ତାମାନେ ଗମ୍ଭୀରତାର ସହ ବିଚାର କରୁଛନ୍ତି। କୁଲ୍‌ଚା (ୟୁଝବେନ୍ଦ୍ର ଚହଲ-କୁଲଦୀପ ଯାଦବ)ଙ୍କ ଉପରେ ପୁଣି ଚୟନକର୍ତ୍ତା ଆସ୍ଥା ପ୍ରକଟ କରିପାରନ୍ତି। ଋତୁରାଜ ଗାଏକ୍ବାଡ, ପ୍ରସିଦ୍ଧ କୃଷ୍ଣ ଓ ଅଭେସ୍‌ ଖାନ୍‌ ମଧ୍ୟ ଦୌଡ଼ରେ ରହିଛନ୍ତି।

ରାହାଣେ ବଞ୍ଚିତ ‌ହେବେ
ଜୁନ୍‌-ଜୁଲାଇରେ ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ଭାରତୀୟ ଦଳରେ ଅଭିଜ୍ଞ ବ୍ୟାଟର୍‌ ଅଜିଙ୍କ୍ୟ ରାହାଣେ ସାମିଲ ହୋଇନପାରିବା ଆଶଙ୍କା ‌ଦେଖା ଦେଇଛି। ଚଳିତ ଆଇପିଏଲ୍‌ରେ ଏହି ପୂର୍ବତନ ଅଧିନାୟକ ତଥା ଉପଅଧିନାୟକଙ୍କ ଜଙ୍ଘରେ ଗ୍ରେଡ୍‌-୨ ଆହତ ସମସ୍ୟା ଦେଖା ଦେଇଥିବାରୁ ସେ ଚୟନକର୍ତାଙ୍କ ପାଇଁ ଉପଲବ୍‌ଧ ହେବେ ନାହିଁ ବୋଲି ସୂଚନା ମିଳିଛି। ଅବଶ୍ୟ ରାହାଣେ ଏବଂ ଚେତେଶ୍ବର ପୂଜାରା ପୂର୍ବରୁ ଟେଷ୍ଟ୍‌ ଦଳରୁ ବାଦ୍‌ ପଡ଼ି ସାରିଛନ୍ତି। ତାଙ୍କ ବଦଳରେ ହନୁମା ବିହାରୀ ଓ ଶ୍ରେୟସ ‌ଆୟର ଗତ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାରେ ଚମତ୍କାର ଖେଳି ନିଜ ସ୍ଥାନକୁ ସୁରକ୍ଷିତ ରଖିଛନ୍ତି। ଗତ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲା ବେଳେ ରାହାଣେ ଆହତ ହେବାରୁ କ୍ଷେତ୍ରରକ୍ଷଣ କରିନଥିଲେ। ସେ ଖୁବ୍ ଶୀଘ୍ର ଏନ୍‌ସିଏରେ ଯୋଗଦେଇ ପୁନଃଥଇଥାନ କାର୍ଯ୍ୟକ୍ରମରେ ସାମିଲ ‌‌ହେବେ। ରାହାଣେଙ୍କୁ ଏଠାରେ ଅନ୍ୟୂନ ୪ ସପ୍ତାହ ବିତାଇବାକୁ ପଡ଼ିବ। ଆଇପିଏଲ୍‌-୧୫ରେ ରାହାଣେ କେକେଆର୍‌ ପାଇଁ ୭ ମ୍ୟାଚ୍‌‌ ଖେଳି ମାତ୍ର ୧୩୩ ରନ୍‌ କରିଥିବାରୁ ଫର୍ମକୁ ମଧ୍ୟ ଫେରି ପାରିନଥିଲେ।
ଇଂଲଣ୍ଡ ଗସ୍ତରେ ଭାରତ ଏକମାତ୍ର ଟେଷ୍ଟ୍‌ (ଗତବର୍ଷ ଶୃଙ୍ଖଳାର ବଳକା) ଖେଳିବା ସହିତ ଦୁଇଟି ସୀମିତ ଓଭର ଶୃଙ୍ଖଳା‌‌ ଖେଳିବ। ଜୁଲାଇ ପହିଲାରୁ ବଳକା ଟେଷ୍ଟ୍‌ ଖେଳାଯିବା ପରେ ୩ ଲେଖାଏଁ ଟ୍ବେଣ୍ଟି-୨୦ ଓ ଦିନିକିଆ ଖେଳିବ। ଚୟନକର୍ତ୍ତାମାନେ ଏଥିପାଇଁ ଗତ ବର୍ଷ ଭଳି ଦୁଇଟି ଦଳ ବାଛିବା ସମ୍ଭାବନା ରହିଛି। ଆଇପିଏଲ୍‌ ପରେ ଭାରତ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ଇଂଲଣ୍ଡ ଗସ୍ତ ପାଇଁ ଏବଂ ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ପାଇଁ ଅଲଗା ଅଲଗା ଦଳ ଚୟନ କରିବା ଯୋଜନା ରହିଛି। ଗତବର୍ଷ ସମାନ ପରିସ୍ଥିତିରେ ଇଂଲଣ୍ଡ ଓ ଶ୍ରୀଲଙ୍କା ପାଇଁ ଅଲଗା ଅଲଗା ଦଳ ଗସ୍ତ କରିଥିଲେ। ଶିଖର ଧାୱନ ଦକ୍ଷିଣ ଆଫ୍ରିକା ବିପକ୍ଷ‌ ଟ୍ବେଣ୍ଟି-୨୦ ଶୃଙ୍ଖଳାର ନେତୃତ୍ବ ନେବା ସମ୍ଭାବନା ମଧ୍ୟ ରହିଛି।

ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ୍ ବୁମରା, ଋଷଭ ପନ୍ତ୍‌, କେଏଲ୍ ରାହୁଲ୍‌, ମହମ୍ମଦ ସାମି, ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଦେଜା ଏବଂ କାଉଣ୍ଟିରେ ଚମତ୍କାର ଫର୍ମ ଦେଖାଇଥିବା ଚେତେଶ୍ବର ପୂଜାରା ଇଂଲଣ୍ଡ ଗସ୍ତ ପାଇଁ ମନୋନିତ ହେବା ଏକ ପ୍ରକାର ନିଶ୍ଚିତ। ବରିଷ୍ଠ ଖେଳାଳିଙ୍କ ମଧ୍ୟରୁ ଶିଖର ଧାୱନ, ହାର୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଭୁବନେଶ୍ବର କୁମାର ପ୍ରମୁଖ ଦୁଇ ଦଳରେ ସ୍ଥାନ ପାଇବା ନେଇ ସନ୍ଦେହ ରହିଛି। ସୂର୍ଯ୍ୟକୁମାର ଯାଦବ ଆହତ ହୋଇ ଆଇପିଏଲ୍‌ରୁ ବାଦ୍‌ ପଡ଼ିଥିବାରୁ ଦଳ ବାଛିବା ପୂର୍ବରୁ ଚୟନକର୍ତାମାନେ ତାଙ୍କ ଫିଟନେସ୍ ଆକଳନ କରିବେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ଶୃଙ୍ଖଳା ଖେଳିବାକୁ ଥିବା ଦଳ ଜୁନ୍‌ ୨୬ ଓ ୨୮ରେ ଆାୟର୍ଲାଣ୍ଡ ବିପକ୍ଷରେ ଦୁଇଟି ଟ୍ବେଣ୍ଟି-୨୦ ଖେଳିବାକୁ ଇଂଲଣ୍ଡ ଗସ୍ତ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe