ଅରୁଣୋଦୟ ନଗର ବାସିନ୍ଦାଙ୍କ ଜାଇକା ଦୁଃଖ, ୪ ବର୍ଷ ହେଲା ଶେଷ ହୋଇପାରୁନି ୧ କିଲୋମିଟର ରାସ୍ତା

Advertisment
ଅରୁଣୋଦୟ ନଗର ବାସିନ୍ଦାଙ୍କ ଜାଇକା ଦୁଃଖ, ୪ ବର୍ଷ ହେଲା ଶେଷ ହୋଇପାରୁନି ୧ କିଲୋମିଟର ରାସ୍ତା

Sambad

କଟକ: ୪ ବର୍ଷ ହେଲାଣି ସାହିରେ ଚାଲିଛି ଜାଇକା କାମ। ପ୍ରତିବର୍ଷ ଏକାଧିକଥର ରାସ୍ତାକୁ ଖୋଳାଯାଇ କାମ ହେଉଛି। ମାତ୍ର କାମ ପରେ ରାସ୍ତା ମରାମତି ହେଉ ନାହିଁ କି ଜାଇକା ପ୍ରକଳ୍ପ କାମ ଅଞ୍ଚଳରୁ ଶେଷ ହେଉ ନାହିଁ। ୧ କିଲୋମିଟର ରାସ୍ତାରେ ଚ୍ୟାମ୍ବର ଓ ପାଇପ ବିଛା କାମ ‌ଶେଷ କରିବାକୁ ଜାଇକା କର୍ତ୍ତୃପକ୍ଷ ଦୀର୍ଘ ୪ବର୍ଷରୁ ଅଧିକ ସମୟ ନେଇ ସାରିଲେଣି। କାମ ‌ଶେଷ ହେଉ ନେଉଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କର ଘରୁ ବାହାରିବା ବି ଅସମ୍ଭବ ହୋଇଛି। ଏଭଳି ଦୟନୀୟ ଅବସ୍ଥାରେ ଲିଙ୍କରୋଡ୍‌ସ୍ଥିତ ଅରୁଣୋଦୟ ନଗର ବାସିନ୍ଦା ଦୀର୍ଘବର୍ଷ ଧରି ରହୁଥିବା ବେଳେ ଜାଇକା କର୍ତ୍ତୃପକ୍ଷ କାମ ଶେଷ କରିବା ଦିଗରେ ଉଦ୍ୟମ କରୁ ନଥିବା ଅଭିଯୋଗ ହୋଇଛି। ମହାନଗର ନିଗମ ୪୪ ଓ ୪୫ ୱାର୍ଡ ଅନ୍ତର୍ଗତ ଅରୁଣୋଦୟ ନଗରରେ ୨୦୧୭ରେ ଜାଇକା ପାଇପ୍‌ ବିଛା ଓ ଚ୍ୟାମ୍ବର କାମ ଆରମ୍ଭ କରିଥିଲା। ସ୍ଥାନୀୟ ଅଞ୍ଚଳର ମୁଖ୍ୟ ରାସ୍ତା ସହିତ ଗଳିକନ୍ଦିରେ କାମ ଆରମ୍ଭ ହୋଇଥିଲା। ଗଳିକନ୍ଦିର ୭୦ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ଏକ କିଲୋମିଟର ଧରି ଥିବା ମୁଖ୍ୟରାସ୍ତାର କାମ ଆଜି ସୁଦ୍ଧା ଶେଷ ହୋଇପାରିଲା ନାହିଁ। ପ୍ରତିବର୍ଷ ମୁଖ୍ୟରାସ୍ତାରେ ଚ୍ୟାମ୍ବର ଓ ପାଇପ ବିଛା କାମ କରାଯାଉଛି। ଯେଉଁ ସ୍ଥା‌ନରେ ଚ୍ୟାମ୍ବର ହେଉଛି ତା’ ପରବର୍ଷ ଏହା ନିକଟରେ ଆଉ ଏକ ଚ୍ୟାମ୍ବର କରାଯାଇ ପାଇପ୍‌ ବିଛା ଯାଉଛି। ଏପରିକି ଚ୍ୟାମ୍ବର ଓ ପାଇପ୍‌ ବିଛା କ‌ାମ ଶେଷ ହୋଇଥିଲେ ବି ବର୍ଷ ବର୍ଷ ଧରି ରାସ୍ତା ମରାମତି କରାଯାଉ ନାହିଁ। ଗତ ୪ ମାସ ଧରି ଏବେ ଆଉ ଥରେ ନଗରର ମୁଖ୍ୟ ରାସ୍ତାରେ ଜାଇକା କାମ କରୁଥିବାରୁ ରାସ୍ତା ଦେଇ ଲୋକେ ଯିବା ଆସିବା କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବି‌ଶେଷ ଭାବେ ରାସ୍ତା କାମ ପାଇଁ ସ୍ଥାନୀୟ ଅଞ୍ଚଳର ଦେଢହଜାରରୁ ଅଧିକ ପରିବାର ସେମାନଙ୍କ ୨ ଓ ୪ ଚକିଆ ଗାଡ଼ି ଦୀର୍ଘମାସ ଧରି ବ୍ୟବହାର କରିପାରୁ ନାହାନ୍ତି। ଅନ୍ୟପଟେ ରାସ୍ତା ମରାମତି କରାଯାଇ ନଥିବାରୁ ଟିକିଏ ବର୍ଷାରେ ମୁଖ୍ୟରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡୁଛି। ଏଥିରେ ପ୍ରତିଦିନ ଛୋଟ ବଡ ଅନେକ ଦୁର୍ଘଟଣା ଘଟୁଛି। ବହୁବର୍ଷ ଧରି ଅରୁଣୋଦୟ ନଗରରେ ଜାଇକା କାମ କରୁଥିବା ବେଳେ ଏହା ଶେଷ ହେଉ ନାହିଁ। ଏଥିପାଇଁ ସ୍ଥାନୀୟ ଲୋକେ ସେମାନଙ୍କ ଘରୁ ବାହାରି ପାରୁ ନାହାନ୍ତି। ଜାଇକା ତୁରନ୍ତ କାମ ଶେଷ କରିବାକୁ ସ୍ଥାନୀୟ ବାସିନ୍ଦା ତଥା ବୋର୍ଡ ହାଇସ୍କୁଲ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୈତ୍ୟାରୀ ସାହୁ ଦାବି କରିଛନ୍ତି। ଜାଇକା ପାଇଁ ଅଞ୍ଚଳର ରାସ୍ତାର ଅବସ୍ଥା ଅତି ଖରାପ ହୋଇଛି। କାମ ଶେଷ କରିବାକୁ ଜାଇକା ଓ ସିଏମ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ହୋଇଥିଲେ ବି କିଛି ସୁଫଳ ମିଳୁ ନାହିଁ। ରାସ୍ତା ଖରାପ ପାଇଁ ନଗରର ବୟସ୍କ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି ବୋଲି ଅରୁଣୋଦୟ ନଗର ବରିଷ୍ଠ ନାଗରିକ ସଂଘର ସଂପାଦକ ନରସିଂହ ମହାପାତ୍ର କହିଛନ୍ତି। ୪ ବର୍ଷ ଧରି ଜାଇକା କାମ ଚାଲିଥିବା ବେଳେ ଏହାକୁ ଶୀଘ୍ର ଶେଷ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe