ଭୁବନେଶ୍ବର: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ୩ ଜଣିଆ କାୟାକଳ୍ପ ଦଳ ଏମ୍ସ ଭୁବନେଶ୍ବରର ସ୍ଥିତି ସମୀକ୍ଷା କରିଛନ୍ତି। ଏମ୍ସ ପାଟନାର ଡା. ସୁଜିତ କୁମାର ସିହ୍ନା, ଡା. ବିଜୟାନନ୍ଦ ନାଏକ ଏବଂ ଡା. ଅସୀମ ସର୍ଫରାଜଙ୍କୁ ନେଇ ଗଠିତ ଏହି ଦଳ ସଫେଇ ପରିଚାଳନା ବ୍ୟବସ୍ଥାର ସ୍ଥିତି ଦେଖିଛନ୍ତି। ଗସ୍ତ ଆରମ୍ଭରେ ଦଳ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ, ଅଧୀକ୍ଷକ ଡା. ଦିଲୀପ କୁମାର ପରିଡ଼ା, ଡା. (ମେଜର୍) ଏମ୍ ସି ସାହୁ, ଡା. ଅରବିନ୍ଦ ସିଂ, ଡା. ଅଶୋକ କୁମାର ଜେନା, ଡା. ଗୌରବ ଛାବ୍ରା, ଡା. ଧରିତ୍ରୀ ସ୍ବାଇଁ, ଡା. ସୁବର୍ଣ୍ଣା ମିତ୍ର, ଡା. ମହାଲିଙ୍ଗମ ଭେଙ୍କଟେସନ୍, ସିଆର୍ ରାଉତ, ଡା. ବିଶ୍ବଜୀବନ ସାହୁଙ୍କ ସହିତ ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ଏହି ଟିମ୍ ଓପିଡି, ଆଇପିଡି, ଅସ୍ତ୍ରୋପଚାର କକ୍ଷ, ଆଇସିୟୁ, ଟ୍ରମା ଏବଂ ଜରୁରୀକାଳୀନ ଓଟି, ଫାର୍ମାସି, ସିଏସଏସଡି, ରୋଷେଇ ଘର ଆଦି ପରିଦର୍ଶନ କରିଛନ୍ତି। ଡାକ୍ତରଖାନାର ରକ୍ଷଣାବେକ୍ଷଣ, ପରିମଳ ଏବଂ ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ, ସହାୟତା ସେବା ଏବଂ ସ୍ୱଚ୍ଛତା ରକ୍ଷା ନେଇ ବ୍ୟାପକ ପଦକ୍ଷେପ ଆଦିକୁ ନିରୀକ୍ଷଣ କରିଥିଲେ। ଏତଦ୍ ବ୍ୟତୀତ ଏହି ଟିମ୍ ଡକ୍ୟୁମେଣ୍ଟେସନ୍ ପ୍ରକ୍ରିୟାକୁ ଦେଖିବା ସହିତ କର୍ମଚାରୀ ଓ ରୋଗୀମାନଙ୍କ ସହିତ ଆଲୋଚନା କରିଥିଲେ।
ଶେଷରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ବିଶ୍ବାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୂଲ୍ୟାଙ୍କନ ଦଳ ହସ୍ପିଟାଲର କାର୍ଯ୍ୟକାରିତା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଉଚ୍ଚ ପରିଚାଳନା ମାନ ବଜାୟ ରଖିବା ବିଶେଷକରି କୋଭିଡ୍ ଏବଂ କୋଭିଡ୍ ପରବର୍ତ୍ତୀ ଆହ୍ବାନପୂର୍ଣ୍ଣ ସମୟରେ କାୟାକଳ୍ପ ପ୍ରକ୍ରିୟା ସ୍ଥଗିତ ଥିଲେ ମଧ୍ୟ ଏମ୍ସର ପଦକ୍ଷେପ ଅନୁକରଣୀୟ ବୋଲି ମୂଲ୍ୟାଙ୍କନ ଟିମ୍ ମତବ୍ୟକ୍ତ କରିଥିଲେ। ସ୍ୱଚ୍ଛତା ଓ ଜନସ୍ୱାସ୍ଥ୍ୟ ସୁବିଧାଗୁଡ଼ିକରେ ନିରନ୍ତର ଅଭ୍ୟାସ ସୃଷ୍ଟି କରିବାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାଜ୍ୟର ଏହି ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍ସ ଭୁବନେଶ୍ୱରକୁ ପୂର୍ବରୁ ୨୦୧୮, ୨୦୧୯ ଓ ୨୦୨୦ରେ କ୍ରମାଗତ ଭାବେ ତିନିଥର କାୟାକଳ୍ପ ପୁରସ୍କାର ମିଳିଛି। ଗତବର୍ଷର କାୟାକଳ୍ପ ଟିମ୍ର ଫଳାଫଳ ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ଏମ୍ସର ଅତିରିକ୍ତ ପ୍ରଫେସର ପ୍ରଭାସ ତ୍ରିପାଠୀ କହିଛନ୍ତି, ଘରୋଇ ଡାକ୍ତରଖାନା ତୁଳନାରେ ସରକାରୀ ଡାକ୍ତରଖାନାରେ ଅଧିକ ଅଭିଜ୍ଞ ଡାକ୍ତର ଅଛନ୍ତି। ପରିମଳ ସମସ୍ୟା ଯୋଗୁଁ ରୋଗୀ ଘରୋଇ ଡାକ୍ତରଖାନା ପ୍ରତି ଆକର୍ଷିତ ହୁଅନ୍ତି। ତେଣୁ ୨୦୧୫ ମେ ୧୫ରୁ କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିସନ ପକ୍ଷରୁ କାୟାକଳ୍ପ ପୁରସ୍କାର ଯୋଜନା ଆରମ୍ଭ କରାଯାଇଛି। ଜନସ୍ୱାସ୍ଥ୍ୟ ସେବାରେ ପରିଚ୍ଛନ୍ନତା, ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା ଓ ସଂକ୍ରମଣ ନିୟନ୍ତ୍ରଣ ଅଭ୍ୟାସକୁ କେନ୍ଦ୍ର ପକ୍ଷରୁ ସମୀକ୍ଷା କରାଯାଉଛି। ଦେଶର ଏମ୍ସ ଦିଲ୍ଲୀ ସମେତ ୩୦ରୁ ଅଧିକ କେନ୍ଦ୍ରୀୟ ଡାକ୍ତରଖାନା ସହିତ କାୟାକଳ୍ପରେ ଏମ୍ସ ଭୁବନେଶ୍ବରର ପ୍ରତିଯୋଗିତା ରହିଛି। ସୂଚନା ଅନୁଯାୟୀ, ଏମ୍ସରେ ଦେଢ଼ରୁ ଦୁଇ ଟନ କଠିନ ଆବର୍ଜନା ଓ ଔଷଧୀୟ ଆବର୍ଜନା ନିର୍ଗତ ହୋଇଥାଏ।
Follow Us