ଓଡ଼ିଆକୁ ଭଲ ପାଇବାର ଅଭ୍ୟାସ ଘରୁ ଆରମ୍ଭ ହେଉ: ସୌମ୍ୟ

Advertisment

‘ସମ୍ବାଦ ସାହିତ୍ୟଘର’, ରାଉରକେଲା ଶାଖାର ବାର୍ଷିକ ଉତ୍ସବ

‘ସମ୍ବାଦ ସାହିତ୍ୟଘର’, ରାଉରକେଲା ଶାଖାର ବାର୍ଷିକ ଉତ୍ସବ

ଓଡ଼ିଆକୁ ଭଲ ପାଇବାର ଅଭ୍ୟାସ ଘରୁ ଆରମ୍ଭ ହେଉ: ସୌମ୍ୟ

ରାଉରକେଲା: ଇଂରାଜୀକୁ ଶିଖ, ଜାଣ, ଅସୁବିଧା ନାହିଁ। କିନ୍ତୁ ନିଜ ମାତୃଭାଷାକୁ ଅଧିକ ଭଲପାଅ। ତେବେ ମାତୃଭାଷାକୁ ଭଲପାଇବାର ଅଭ୍ୟାସ ଘରୁ ଆରମ୍ଭ ହେଉ। ପିତା, ମାତା ଓ ଅଭିଭାବକ ନିଜ ନିଜ ପିଲାଙ୍କୁ ମାତୃଭାଷା ପ୍ରତି ଆକୃଷ୍ଟ କରନ୍ତୁ। ଆମ ଭାଷା ପ୍ରତି ସଚେତନ କରନ୍ତୁ। ସଂପ୍ରତି ଚାରୋଟି ‘ଏମ୍‌’, ଯଥା- ମା’, ମାଟି, ମାତୃଭାଷା ଓ ମୋବାଇଲ୍‌କୁ ପ୍ରାଥମିକତା ଦିଅନ୍ତୁ। ତେବେ ମୋବାଇଲ୍‌ ଆଧୁନିକ ଦୁନିଆର ଜ୍ଞାନକୌଶଳ ଆହରଣର କେବଳ ମାଧ୍ୟମ ହେଉ। ଏଭଳିଭାବେ ଆହ୍ବାନ ଦେଇଛନ୍ତି ‘ସମ୍ବାଦ’ର ସମ୍ପାଦକ ତଥା ‘ସମ୍ବାଦ ସାହିତ୍ୟଘର’ ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ ପଟ୍ଟନାୟକ।

publive-image

ଆଜି ‘ସମ୍ବାଦ ସାହିତ୍ୟଘର’, ରାଉରକେଲା ଶାଖାର ବାର୍ଷିକ ଉତ୍ସବର ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ଭାଷାର ସୁରକ୍ଷା ଓ ସମୂହ ହିତ ପାଇଁ ସମ୍ମିଳିତ ପ୍ରୟାସ ଆବଶ୍ୟକ। ବର୍ତ୍ତମାନ ରାଜନୀତି ଓ ସାହିତ୍ୟିକ ମଧ୍ୟରେ ଦ୍ବନ୍ଦ୍ବ ଦେଖାଦେଉଛି। ମାଟି ଓ ପାର୍ଟି ମଧ୍ୟରେ ବି ଦ୍ବନ୍ଦ୍ବ ଦେଖାଦିଏ। ପ୍ରକୃତରେ ଉଭୟଙ୍କ ଭିତରେ କଦାପି ଦ୍ବନ୍ଦ୍ବ ନ ଉପୁଜିବା ଉଚିତ। କାରଣ ସବୁବେଳେ ମାଟି ପ୍ରଥମ ଓ ସର୍ବୋପରି। ଏହି ଅବସରରେ ନିଜ ରାଉରକେଲା ଜୀବନର ସ୍ମୃତିଚାରଣ କରି ଶ୍ରୀ ପଟ୍ଟନାୟକ କହିଲେ, ‘‘ମୁଁ ଆଜି ଯାହାବି ହାସଲ କରିଛି, ତା’ର ମୂଳଦୂଆ ରାଉରକେଲା ମାଟିରେ ପଡ଼ିଥିଲା।

publive-image

ଏଠାରେ ଷଷ୍ଠରୁ ଦ୍ବାଦଶ ଶିକ୍ଷା ଗ୍ରହଣ କରିଛି, ମୂଲ୍ୟବୋଧ ଶିଖିଛି। ମୋ’ର ଜୀବନର ସବୁଠାରୁ ସ୍ମରଣୀୟ ବର୍ଷସବୁ ରାଉରକେଲାରେ କଟିଛି। ବକ୍ତୃତାରେ ଜୀବନର ପ୍ରଥମ ପୁରସ୍କାର ବି ଏଠାରେ ପାଇଥିଲି।’’ ସେ ଆହୁରି କହିଲେ,  ‘‘କାର୍ଯ୍ୟକ୍ରମ ମାଧ୍ୟମରେ ହିଁ ଆମେ ନିଜକୁ ଆବିଷ୍କାର କରିଥାଉ। ଆଜିର କାର୍ଯ୍ୟକ୍ରମରେ ମୁଁ ପୁଣିଥରେ ନିଜକୁ ଆବିଷ୍କାର କରିଛି। ରାଉରକେଲା ହେଉଛି ରାଜ୍ୟର ସବୁଠାରୁ ପ୍ରତିନିଧିମୂଳକ ସହର। ରାଜଧାନୀ ଅପେକ୍ଷା ଏଠାରେ ଅଧିକ ଅଞ୍ଚଳର ଲୋକ ବସବାସ କରୁଛନ୍ତି। ଏଣୁ ଆମ ପାଇଁ ଏହା ବିରାଟ ଆହ୍ବାନ ଓ ସୁଯୋଗର ସମୟ।’’ ରାଉରକେଲା ଆଞ୍ଚଳିକ ବୈଷମ୍ୟ ଦୂରୀକରଣ ଓ ଭାଇଚାରା ସଂପ୍ରସାରଣର ପ୍ରୟୋଗଶାଳା ହେଉ ବୋଲି ସେ କହିଥିଲେ।

ସାହିତ୍ୟର ସମ୍ଭାବନା ଅସୀମ ଓ ବିସ୍ତୃତ: ସୁଦତ୍ତା ପଟ୍ଟନାୟକ

publive-image

ଉତ୍ସବର ସ୍ବତନ୍ତ୍ର ଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ ନିର୍ଦ୍ଦେଶିକା ସୁଦତ୍ତା ପଟ୍ଟନାୟକ, ଓଡ଼ିଆ ଭାଷା ପ୍ରତି ଅନୁରାଗ ସୃଷ୍ଟି ପାଇଁ ସାହିତ୍ୟ ଉକ୍ତଯୁକ୍ତ ମାଧ୍ୟମ। ଭାଷା ଓ ସାହିତ୍ୟ ପରସ୍ପର ଜଡ଼ିତ ବୋଲି କହିଥିଲେ। ସେ କହିଥିଲେ, ସାହିତ୍ୟ ହିଁ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବହନ କରେ। ସାହିତ୍ୟର ସମ୍ଭାବନା ଅସୀମ ଓ ବିସ୍ତୃତ। ଶକ୍ତିଶାଳୀ ଆବେଗର ସ୍ବତଃସ୍ଫୂର୍ତ୍ତ ପ୍ରବାହ ହେଉଛି ସାହିତ୍ୟ। ସମ୍ବେଦନଶୀଳତା ହିଁ ଜଣେ ଲେଖକଙ୍କୁ ସାଧାରଣ ମଣିଷଠାରୁ ଭିନ୍ନ କରେ। ବାସ୍ତବତାରୁ ଦୂରେଇ ନଯାଇ ଲେଖକ ହିଁ ଠିକ୍‌ ଚିତ୍ରଣ କରିଥାଏ। ତେବେ ଲେଖକମାନେ ନିଜର ଶକ୍ତିଶାଳୀ ଲିଖନ ମାଧ୍ୟମରେ ଆହ୍ବାନ ସୃଷ୍ଟିକରନ୍ତୁ। ସମାଜରେ ପରିବର୍ତ୍ତନ ଆଣନ୍ତୁ ବୋଲି ସେ କହିଥିଲେ।

ଏହି ଉତ୍ସବରେ ସ୍ବତନ୍ତ୍ର ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ବାହୀ ନିର୍ଦ୍ଦେଶିକା ଭାବେ ତନୟା ପଟ୍ଟନାୟକ ଯୋଗଦେଇଥିଲେ। ‘ସମ୍ବାଦ ସାହିତ୍ୟଘର’ ରାଉରକେଲା ଶାଖା ସଭାପତି ଇଂ ଆଲୋକ ରଞ୍ଜନ ମଲ୍ଲିକ ସ୍ବାଗତ ଭାଷଣ ଦେଇଥିବାବେଳେ ସାଧାରଣ ସମ୍ପାଦକ ପ୍ରଶାନ୍ତ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସ୍କୁଲ ପିଲାମାନେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ଲଘୁନାଟକ ‘ସୌମ୍ୟ ସୌରଭ’ ପରିବେଷଣ କରିଥିଲେ।

publive-image

ଏହାସହ ତାଙ୍କ ଉପରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କର ଲେଖା/ସ୍ମୃତିଚାରଣକୁ ନେଇ ‘‌ସୌମ୍ୟ ସମନ୍ବୟ’ ଶୀର୍ଷକ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପରେ ବାର୍ଷିକ ଉତ୍ସବ ଅବସରରେ ପୂର୍ବରୁ ଆୟୋଜିତ ଚିତ୍ରାଙ୍କନ, ଗଳ୍ପଲିଖନ, କବିତା ଲିଖନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବ୍ରଜେନ୍ଦ୍ର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଜ୍ୟୋତି ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ରାଉରକେଲାର ପ୍ରାୟ ୩୦ରୁ ଅଧିକ ସାମାଜିକ, ସ୍ବେଚ୍ଛାସେବୀ ସଂଗଠନ, ରାଜନୈତିକ ଦଳ, ବୁଦ୍ଧିଜୀବୀ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe