Image Courtesy of Hindustan Times
ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶର ଏକ ପାର୍କରେ ଥିବା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିକୁ ଅଜ୍ଞାନ୍ତ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ସହ ବଇଠିରୁ (ବେସ୍) ଉଠାଇ ଦେଇଛନ୍ତି। ଏହି ଘଟଣାରେ ଭାରତୀୟ-ଆମେରିକୀୟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଜଘନ୍ୟ ଅପରାଧର ତଦନ୍ତ କରିବା ଲାଗି ଦାବି କରିଛନ୍ତି।
ଉତ୍ତର କାଲିଫର୍ଣ୍ଣିଆର ଡେଭିସ୍ ସହର ଅନ୍ତର୍ଗତ କେନ୍ଦ୍ରୀୟ ପାର୍କରେ ଅବସ୍ଥିତ ୬ଫୁଟ୍ ଉଚ୍ଚ ଏବଂ ୨୯୪ କିଲୋ ଓଜନବିଶିଷ୍ଟ ଗାନ୍ଧୀଙ୍କର କାଂସ୍ୟ ପ୍ରତିମୂର୍ତ୍ତିର ଗୋଡ଼ ବଳାଗଣ୍ଠି ପାଖରୁ କାଟି ଦୁଇଖଣ୍ଡ କରାଯାଇଛି। ପ୍ରତିମୂର୍ତ୍ତି ମୁହଁର ଅର୍ଦ୍ଧେକ ମଧ୍ୟ କାଟି ନିଆଯାଇଛି ବୋଲି ଆଞ୍ଚଳିକ ଗଣମାଧ୍ୟମ ‘ଡେଭିସ୍ ଏଣ୍ଟର୍ପ୍ରାଇଜ୍’ ରିପୋର୍ଟ କରିଛି।
Image Courtesy of The Hinduମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଇଥିବା କଥା ଜାନୁଆରି ୨୭ ତାରିଖ ପ୍ରତ୍ୟୁଷରେ ପାର୍କର କର୍ମଚାରୀମାନେ ଦେଖିଥିଲେ। ସମ୍ପ୍ରତି ପ୍ରତିମୂର୍ତ୍ତିଟିକୁ ପାର୍କରୁ ନିଆଯାଇ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି।
ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଠିକ୍ କେତେବେଳେ ଏବଂ କେଉଁ ଉଦ୍ଦେଶ୍ୟ ନେଇ ଭଙ୍ଗା ଯାଇଛି, ତାହା ତଦନ୍ତକାରୀମାନେ ଜାଣି ପାରି ନ ଥିବା କଥା ‘ଦି ସେକ୍ରେମେଣ୍ଟୋ ବି’ ରିପୋର୍ଟ କରିଛି।
ଡେଭିସ୍ ସହରକୁ ଭାରତ ସରକାର ଦେଇଥିବା ଗାନ୍ଧୀଜୀଙ୍କର ଏହି ପ୍ରତିମୂର୍ତ୍ତିକୁ ଚାରିବର୍ଷ ତଳେ ସ୍ଥାପନ କରାଯାଇଥିଲା। ସେତେବେଳେ ମଧ୍ୟ ଗାନ୍ଧୀ ବିରୋଧୀ ଏବଂ ଭାରତ ବିରୋଧୀ ସଙ୍ଗଠନମାନେ ଏହାର ତୀବ୍ର ବିରୋଧ କରିଥିଲେ।
Follow Us