ରାୟଗଡ଼ା: କରୋନା ସଂକ୍ରମଣ ବଢ଼ିବା ପରେ ସୁରକ୍ଷା ଦୃଷ୍ଟି କୋଣରୁ ସପ୍ତାହରେ ୩ ଦିନ ମା ମଝିଘରିଆଣି ମନ୍ଦିର ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ରବିବାର, ମଙ୍ଗଳବାର, ବୁଧବାର ମନ୍ଦିରରେ ମାନସିକଧାରୀଙ୍କ ପ୍ରବଳ ଭିଡ ହେଉଥିବାରୁ ଏହି ଦିନ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗା ଯାଇଛି। କେବଳ ପୂଜକ ମନ୍ଦିର ଯାଇ ମାଙ୍କ ରିତନୀତି କରିବାକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନିର୍ଦେଶ ଦେଇଛନ୍ତି। ଏଥି ସହିତ ମାଙ୍କ ଚୈତ୍ର ଯାତ୍ରା ସମୟରେ ମଧ୍ୟ ଏପ୍ରିଲ ୨୩ରୁ ୨୭ ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ସମ୍ପୁର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ନିର୍ଦେଶ ଯାଏଁ ଏହି ଦିନ ଗୁଡ଼ିକରେ ଦର୍ଶନ ବନ୍ଦ ରହିବ ବୋଲି ଘୋଷଣା ହୋଇଛି।
ଦୈନିକ ସଂକ୍ରମଣ ବୃଦ୍ଧି ପରେ ସରକାର ପଡ଼ୋଶୀ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରିଛନ୍ତି। ରାୟଗଡା ଜିଲ୍ଲା ପଡୋଶୀ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବାରୁ ପ୍ରଶାସନ ସ୍ଥିତି ଉପରେ ତିକ୍ଷ୍ଣ ନଜର ରହିଛି । ପଶ୍ଚିମାଞ୍ଚଳ ଜିଲ୍ଲା ଭଳି ରାୟଗଡ଼ାରେ ପୁଣି ସଂକ୍ରମଣ ଯେପରି ନ ବଢ଼େ ସେଥିପାଇଁ ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ଗ୍ରହଣ କରିଛି । ଆଜି ମା ମଝିଘରିଆଣି ମନ୍ଦିର ପରିଦର୍ଶନରେ ଯାଇ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମା ଶଙ୍କର ବେହେରା, ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ସ୍ଥିତି ଅନୁଧ୍ୟାନ କରିବା ପରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ। ଆନ୍ଧ୍ରରେ କରୋନା ସଂକ୍ରମଣ ଉଦବେଗ ଜନକ ସ୍ଥିତି ଆଡକୁ ଗତି କରିଥିବାରୁ ଉପରୋକ୍ତ ଅଞ୍ଚଳରୁ ସହଶ୍ରାଧିକ ଶ୍ରଦ୍ଧାଳୁ ମାଙ୍କ ଦର୍ଶନ କରିବାକୁ ଆସୁଥିବାରୁ ଭିଡ଼ ଦିନରେ ମନ୍ଦିର ବନ୍ଦ କରିବା ଶ୍ରେୟ ମଣିଛି ପ୍ରଶାସନ। ମନ୍ଦିର ଭିତରକୁ ରିତନୀତି ପାଇଁ ଯାଉଥିବା ପୂଜକ ମଧ୍ୟ କୋଭିଡ ଗାଇଡଲାଇନକୁ ମାନିବା ସହ ସାମାଜିକ ଦୂରତା ରକ୍ଷା କରିବା ଦିଗରେ ଦୃଷ୍ଟି ଦେବାକୁ ପରିଚାଳନା କମିଟି ଅଧ୍ୟକ୍ଷ ରାଇସିଂ ବିଡିକାଙ୍କୁ ଜିଲ୍ଲା ପ୍ରଶାସନ ନିର୍ଦେଶ ଦେଇଛି।
ସୂଚନାଯୋଗ୍ୟ, ଶନିବାର ରାୟଗଡ଼ା ଜିଲ୍ଲାରୁ ୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରବିବାର ୮ ପଜିଟିଭ ଚିହ୍ନଟ ହୋଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us