ରାଉରକେଲା: ରଘୁନାଥପାଲି ନିର୍ବାଚନମଣ୍ଡଳୀରେ ଥିବା ଦୁଇଟି ଆହାର କେନ୍ଦ୍ର ପରିଦର୍ଶନ କରିଛନ୍ତି ବିଧାୟକ ଦୁର୍ଗା ଚରଣ ତନ୍ତୀ। ଏହାସହ ଜନସାଧାରଣଙ୍କ ସହ ମିଶି ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କରିଛନ୍ତି। ଏହା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।
ରଘୁନାଥପାଲି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଇସ୍ପାତ ନଗରୀରେ ଦୁଇଟି ଆହାର କେନ୍ଦ୍ର, ସେକ୍ଟର-୨ ବସଷ୍ଟାଣ୍ଡ୍ ଓ ସେକ୍ଟର-୧୯ ଇସ୍ପାତ ଜେନେରାଲ ହସପିଟାଲ ପାଖରେ ଆହାର କେନ୍ଦ୍ର ରହିଛି। ସୋମବାର ପୂର୍ବାହ୍ନରେ ବିଧାୟକ ଶ୍ରୀ ତନ୍ତୀ ସେକ୍ଟର-୨ସ୍ଥ ଆହାର କେନ୍ଦ୍ରରେ ପହଞ୍ଚିଥିଲେ। ଆହାର କେନ୍ଦ୍ରର ସ୍ଥିତି, ଖାଦ୍ୟର ମାନ, ସେବା ବିଷୟରେ ପଚାରି ବୁଝିଥିଲେ। କେନ୍ଦ୍ରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହି କେନ୍ଦ୍ରରେ ଶୌଚାଳୟ ନଥିବାବେଳେ ଫ୍ରିଜର୍ ଅଚଳ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ତୁରନ୍ତ ଏନେଇ ବିହିତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ପରେ ଜନସାଧାରଣଙ୍କ ସହ ଧାଡ଼ିରେ ଠିଆହୋଇ ଟୋକନ ନେବାସହ ମଧ୍ୟାହ୍ନଭୋଜନ କରିଥିଲେ। ମଧ୍ୟାହ୍ନଭୋଜନ କରିବାକୁ ଆସିଥିବା ଗରିବ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ପରେ ସେକ୍ଟର-୧୯ରେ ଥିବା ଆହାର କେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।
ଏହିଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ବିଧାୟକ କହିଲେ, ଆହାର କେନ୍ଦ୍ର ବନ୍ଦ ହେବାନେଇ ବିରୋଧୀ ଦଳ ଅପପ୍ରଚାର କରୁଛନ୍ତି। ବାସ୍ତବରେ ବିଜେପି ସରକାରକୁ ବଦନାମ କରିବାକୁ ବିରୋଧୀ ଏଭଳି ଷଡ଼ଯନ୍ତ୍ର କରୁଛନ୍ତି। କିନ୍ତୁ ସେମାନେ ଏଥିରେ କେବେବି ସଫଳ ହେବେ ନାହିଁ, କାରଣ ଆହାର କେନ୍ଦ୍ର ବନ୍ଦ ହେବନିବୋଲି କହିଥିଲେ। ଏହିଅବସରରେ ସେକ୍ଟର -୨ ଖରିଆବାହାଲ ବସ୍ତି, ଯୋଡ଼ାବନ୍ଧ ବସ୍ତିବାସୀ ବିଧାୟକଙ୍କୁ ଭେଟି ଆର୍ଏସ୍ପି ଦ୍ବାରା ବିଦ୍ୟୁତ ସରବରାହ ଛିନ୍ନ କରିବାକୁ ପ୍ରୟାସ କରାଯାଉଥିବା ଅଭିଯୋଗ କରିଥିଲେ। ଏନେଇ ବିଧାୟକ ଆର୍ଏସ୍ପି ବିଜୁଳି ବିଭାଗ ଅଧିକାରୀଙ୍କ ସହିତ ଫୋନ୍ରେ ଆଲୋଚନାକରି ଆଗାମୀ ୩ ମାସ ପର୍ୟ୍ୟନ୍ତ ବିଦ୍ୟୁତ ସଂଯୋଗ ନ କାଟିବାକୁ ପରାମର୍ଶ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ଗଙ୍ଗାଧର ଦାଶ, ଅଜୟ କଂସାରୀ, ଜିତେନ ମହାନ୍ତି, ଅକ୍ଷୟ ଦାଶ, ପ୍ରଫୁଲ୍ଲ ମିଶ୍ର, କୈଳାଶ ରାଉତ୍, ଜୋକେନ୍ ବେହୁରିଆ, ଜଗବନ୍ଧୁ ସାହୁ, ସୁରେନ୍ଦ୍ର ନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Follow Us