ଘରେ ବାହାରେ ସବୁଠି ପଖାଳ: ଶାଗ ୨ବିଡ଼ାକୁ ୧୦ରୁ ୧୫ ଟଙ୍କା, ଆମିଷ ବଜାରରେ ଚିଙ୍ଗୁଡ଼ି, ପୋହଳାର ଚାହିଦା

Advertisment

ସାମାଜିକ ଗଣମାଧ୍ୟମରେ ବି ଛାଇଗଲା , ତାରକା ହୋଟେଲରୁ ଚାଳି ଘର...

ସାମାଜିକ ଗଣମାଧ୍ୟମରେ ବି ଛାଇଗଲା , ତାରକା ହୋଟେଲରୁ ଚାଳି ଘର...

ଘରେ ବାହାରେ ସବୁଠି ପଖାଳ: ଶାଗ ୨ବିଡ଼ାକୁ ୧୦ରୁ ୧୫ ଟଙ୍କା, ଆମିଷ ବଜାରରେ ଚିଙ୍ଗୁଡ଼ି, ପୋହଳାର ଚାହିଦା

Medium

ଭୁବନେଶ୍ବର: ସୋରିଷ ଫୁଟଣ ସହ ଭୃସଙ୍ଗ ପତ୍ର ଛୁଙ୍କ, ଆମ୍ବ ଅଦାକୁ କଞ୍ଚା ଲଙ୍କା ଛେଚା; ବାସି ପଖାଳ ଓ ଦହି ସହ ଏତକ ମିଶିଗଲେ... ଓଃ କି ସ୍ବର୍ଗୀୟ ସୁଖ। ଓଡ଼ିଆଙ୍କ ‌ଏହି ଦହି ପଖାଳ ଯେକୌଣସି ୫ ତାରକା ହୋଟେଲର ଦାମୀ ମେନୁକୁ ବି ମାତ୍‌ ‌ଦେଇପାରେ। ଓଡ଼ିଆଙ୍କ ଏହି ସ୍ବତନ୍ତ୍ର ଖାଦ୍ୟ ‘ପଖାଳ’କୁ ଲୋକପ୍ରିୟ କରିବା ତଥା ବର୍ଷକୁ ଥରେ ଅନ୍ତତଃ ପକ୍ଷେ ପଖାଳର ଏକ ବିଶାଳ ପରିବେଶ ସୃଷ୍ଟି କରି ବିଶ୍ବ ସମୁଦାୟରେ ଆମର ଏହି ସ୍ବତନ୍ତ୍ର ପରିଚୟକୁ ବଜାୟ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ବ ପଖାଳ ଦିବସ’ ଭାବେ ପାଳନ କରାଯାଉଛି। ଆଜି ଏହି କ୍ରମରେ ପ୍ରତିଟି ଓଡ଼ିଆ ଘରେ ପ୍ରସ୍ତୁତ ହୋଇଥିଲା ପଖାଳ। ଏହାସହ ବଡ଼ିଚୂରା, ଶାଗ ଖରଡ଼ା, ଆଳୁ ଛୁଇଁ ବେଶର ଭଜା, ଆଳୁ ଭର୍ତ୍ତା, ବାଇଗଣ ପୋଡ଼ା, ମାଛ ଭଜା ଆଦି କେତେ କ’ଣ ତରକାରୀର ସ୍ବାଦରେ ଘରେ ଘରେ ଜମିଥିଲା ପଖାଳ ଭୋଜି। ହ୍ବାଟ୍‌ସଆପ୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟା ଓ ଟ୍ବିଟର୍‌ ଆଦି ସାମାଜିକ ଗଣମାଧ୍ୟମରେ ଆଜି ଦିନ ସାରା ପଖାଳ ଫଟୋ ଛାଇ ଯାଇଥିଲା। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ଅଭିନେତାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସାମାଜିକ ଗଣମାଧ୍ୟମରେ ନିଜ ପଖାଳ ଖିଆ ଫଟୋ ସେୟାର କରିଥିଲେ। ଛୋଟ ମୋଟ ହୋଟେଲଠାରୁ ଆରମ୍ଭ କରି ତାରକା ହୋଟେଲ ପର୍ଯ୍ୟନ୍ତ ସବୁଠି ପଖାଳକୁ ନେଇ ହୋଇଥିଲା ସ୍ବତନ୍ତ୍ର ପ୍ରସ୍ତୁତି। ବିଭିନ୍ନ ବେସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଦିନ ମଜୁରିଆଙ୍କ ପର୍ଯ୍ୟନ୍ତ ସମସ୍ତେ ଆଜି ପଖାଳ ଖାଇ; ପଖାଳ ଯେ ଧନୀ, ଗରିବ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟ ଖାଦ୍ୟ ତାହାର ପ୍ରମାଣ ଦେଇଥିଲେ।

ଶାଗ ୨ବିଡ଼ାକୁ ୧୦ରୁ ୧୫ ଟଙ୍କା
‘ପଖାଳ ଦିବସ’ ପାଳିବା ଆଶାରେ ଲୋକେ ଆଜି ପାରମ୍ପରିକ ପଖାଳମୁହାଁ ହୋଇଥିଲେ। ପଖାଳର ମୁଖ୍ୟ ଆଇଟମ୍‌ ଶାଗ ଖରଡ଼ା ହୋଇଥିବାରୁ ଆଜି ହଠାତ୍‌ ସକାଳୁ ସକାଳୁ ଶାଗ ଚାହିଦା ବଢ଼ି ଯାଇଥିଲା। ସାଧାରଣତଃ ଶାଗ ୩ ବିଡ଼ା ପିଛା ୧୦ ଟଙ୍କା ହୋଇଥିବା ବେଳେ ଆଜି ସକାଳୁ ୨ ବିଡ଼ାକୁ ୧୦ରୁ ୧୫ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥିଲା। କୋଶଳା, ଖଡ଼ା, କଳମ ଓ ପାଳଙ୍ଗ ଶାଗର ଚାହିଦା ଥିଲା ଆକାଶଛୁଆଁ। ସକାଳୁ ସକାଳୁ ଶାଗ କମ୍‌ ଆସିଥିବାରୁ ତଥା ଚାହିଦା ଟିକେ ଅଧିକ ଥିବାରୁ ୨ ବିଡ଼ାକୁ ୧୦ରୁ ୧୫ ଟଙ୍କା ଲେଖାଏଁରେ ବିକ୍ରି କରୁଛୁ ବୋଲି ଚାଷୀ ‌ଅଶୋକ ନାୟକ କହିଥିଲେ।

ଆମିଷ ବଜାରରେ ଚିଙ୍ଗୁଡ଼ି, ପୋହଳାର ଚାହିଦା
ପଖାଳ ସହ ସାଧାରଣତଃ ଚିଙ୍ଗୁଡ଼ି ଓ ମାଛ ଭଜା ଭଲ ଲାଗେ। ଏଥିସହ ପୋହଳା ବେସର ବି ଲୋକଙ୍କ ବେଶ୍‌ ପସନ୍ଦ। ଏଥିପାଇଁ ଆଜି ଆମିଷ ବଜାରରେ ମଟନ୍‌, ଚିକେନ୍‌ ଅପେକ୍ଷା ମାଛ ଓ ଚିଙ୍ଗୁଡ଼ିର ଚାହିଦା ବଢ଼ିଯାଇଥିଲା। କିନ୍ତୁ ଆମିଷ ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନଥିଲା। ଛୋଟ ଚିଙ୍ଗୁଡ଼ି ଦାମ୍‌ ୨୨୦ ଟଙ୍କା, ମଧ୍ୟମ ଧରଣର ଚିଙ୍ଗୁଡ଼ିର ଦାମ୍‌ ୩୦୦ ଓ ବଡ଼ ଚିଙ୍ଗୁଡ଼ିର ଦାମ୍‌ ୪୦୦ ଟଙ୍କା ପର୍ଯ୍ୟନ୍ତ ରହିଥିଲା। ସେହିଭଳି ପୋହଳା କେଜି ୧୮୦ରୁ ୨୦୦ଟଙ୍କା, ଭ‌ାକୁର ମାଛ ‌କିଲୋ ୨୦୦ ଟଙ୍କା ଓ ‌ରୋହି କିଲୋ ୧୬୦ରୁ ୧୮୦ ଟଙ୍କା ପର୍ଯ୍ୟନ୍ତ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe