Advertisment

ଉଦ୍‌ଘାଟନ ପରେ ତାଲା

Advertisment
ଉଦ୍‌ଘାଟନ ପରେ ତାଲା

ଭୁବନେଶ୍ୱର : ସ୍ୱାୟତ୍ତଶାସନ ଦିବସକୁ ଏଥର ବ୍ୟାପକ ଭାବେ ପାଳନ କରିଥିଲା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ସହରର ବିଭିନ୍ନ ଓ୍ଵାର୍ଡରେ ମାଳମାଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସାଙ୍ଗକୁ ଉଦ୍‌ଘାଟନ କରାଯାଇଥିଲା। ବିଭିନ୍ନ ଓ୍ଵାର୍ଡକୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ ତୋଫାନି ଗସ୍ତ କରି ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ ମଧ୍ୟ ସେଥିମଧ୍ୟରୁ କେତେକ ପ୍ରକଳ୍ପ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଯାହା ଦେଖିବାକୁ ମିଳିଛି ବିଏମ୍‌ସିର ୧୧ ନମ୍ବର ଓ୍ଵାର୍ଡରେ।

ଏହି ଓ୍ଵାର୍ଡରେ ଆସୁଥିବା ଏଇ ଏବଂ ଡିଏଲ୍‌ କଲୋନୀବାସୀଙ୍କ ବହୁ ବର୍ଷର ଦାବି ପରେ ଗତ ସ୍ୱାୟତ୍ତଶାସନ ଦିବସ ପାଳନ ଅବସରରେ ଏକ ପାର୍କ ଉଦ୍‌ଘାଟିତ ହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ଖୋଲିପାରି ନାହିଁ। ଅଗଷ୍ଟ ୨୯ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ଭୁବନେଶ୍ୱରର ଏମ୍‌ପି, ବିଧାୟକ, ମେୟର, ଡେପୁଟି ମେୟରଙ୍କ ଉପସ୍ଥିତରେ ଉଦ୍‌ଘାଟିତ ହୋଇଥିବା ଏହି ପାର୍କ ବନ୍ଦ ପଡ଼ିଛି। କେବେ ଖୋଲିବ ସେନେଇ ମଧ୍ୟ କାହା ପାଖରେ ଉତ୍ତର ମଧ୍ୟ ନାହିଁ।

ସବୁଠାରୁ ବଡ଼ କଥା ହେଲା ଯେ ଏହି ପାର୍କ ପରିସରରେ ଏକ କାର ଦୀର୍ଘଦିନ ହେଲା ପଡ଼ି ରହିଛି। ଅଚଳ ହୋଇ ରହିଥିବା ଏହି କାର କାହାର ତାହା କେହି ଜାଣିନାହାନ୍ତି। ସ୍ଥାନୀୟ ଲୋକେ ମଧ୍ୟ ଏ ସମ୍ପର୍କରେ କହିପାରୁ ନାହାନ୍ତି କି କେହି ହଟାଉ ନାହାନ୍ତି। ପାର୍କ ପ୍ରତିଷ୍ଠା ପୂର୍ବରୁ କାର୍‌କୁୁ କଢ଼ାଯାଇ ନ ଥିବାରୁ ତାହା ଏବେ ପାର୍କ ଭିତରେ ପଡ଼ିରହିଛି। ୧୯ ଲକ୍ଷ ୫୫ ହଜାର ଟଙ୍କା ବ୍ୟୟରେ ପ୍ରତିଷ୍ଠା ହୋଇଥିବା ଏହି ପାର୍କରେ ପିଲାଙ୍କ ଖେଳିବା ଲାଗି ବିଭିନ୍ନ ସାମଗ୍ରୀ ଲାଗିଛି। କାର୍ଯ୍ୟକ୍ଷମ ହୋଇ ନ ପାରିବାରୁ ଲୁହା ସାମଗ୍ରୀ ନଷ୍ଟ ହେଉଛି। ୩ଟି ଯାକ ଫାଟକରେ ଦେଢ଼ ମାସ ହେଲା ତାଲା ପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ଠିକାଦାରଙ୍କ ଅବହେଳା କାରଣରୁ ଏଭଳି ସମସ୍ୟା ଉପୁଜିଛି। ଜୁନ୍‌ ମାସ ପୂର୍ବରୁ କାମ ସାରିବାକୁ କୁହାଯାଇଥିବା ବେଳେ ଏପର୍ଯ୍ୟନ୍ତ କାର୍ଯ୍ୟ ସରିନି। ପାଚେରିର ୧୦ରୁ ୧୨ ଫୁଟ୍‌ରେ ବ୍ୟବଧାନରେ ଫାଙ୍କ ରହିବା କଥା। କିନ୍ତୁ ତାହା ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ପୁଣିଥରେ କରାଗଲା। ଯେଉଁଥିପାଇଁ କାର୍ଯ୍ୟ ବିଳମ୍ବ ହୋଇଛି।

ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଦିଲ୍ଲୀପ ଦାସଶର୍ମାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏହି ପାର୍କ ଦ୍ୱାରା ସ୍ଥାନୀୟ ବାସିନ୍ଦା ଉପକୃତ ହେବେ। କାମ ଚାଲିଛି। ସରିଲା ପରେ ଖୋଲିବ। ପାର୍କ ଭିତରେ କାହା ଗାଡ଼ି ରହିଛି ଜଣାପଡ଼ିନି।

୧୧ ନମ୍ବର ଓ୍ଵାର୍ଡର କର୍ପୋରେଟର ରଶ୍ମିତା ମହାନ୍ତି କହିଛନ୍ତି ଯେ, ଠିକାଦାର ଏପର୍ଯ୍ୟନ୍ତ ପାର୍କକୁ ହସ୍ତାନ୍ତର କରିନାହାନ୍ତି। ବିଏମ୍‌ସିକୁ ହସ୍ତାନ୍ତର କରାଯିବା ପରେ ଖୋଲାଯିବ। ବହୁ ଦିନ ହେଲା କାରଟି ଏହା ପରିସରରେ ରହିଛି। କେହି ବି ନେଉନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe