ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ: ଶରଦ ଗୋଷ୍ଠୀକୁ ଫେରିବେ ଏନ୍‌ସିପିର ୧୫ ବିଧାୟକ!

Advertisment
ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ: ଶରଦ ଗୋଷ୍ଠୀକୁ ଫେରିବେ ଏନ୍‌ସିପିର ୧୫ ବିଧାୟକ!

Times of India

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳ ବାହାରିବା ପରଠାରୁ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଉଠିଛି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ବାଧୀନ ଏନସିପି ଆଜି ମୁମ୍ବାଇର ଏକ ପଞ୍ଚ ତାରକା ହୋଟେଲରେ ସମସ୍ତ ବିଧାୟକମାନଙ୍କର ଏକ ବୈଠକ ଡକାଇଥିଲା। କିନ୍ତୁ ଏହି ବୈଠକରେ ୫ ଜଣ ବିଧାୟକ ଅନୁପସ୍ଥିତ ଥିଲେ। ଲୋକସଭା ନିର୍ବାଚନରେ ଏନ୍‌ସିପି ଭଲ ପ୍ରଦର୍ଶନ କରିନଥିବା ବେଳେ ଦଳୀୟ କନ୍ଦଳ ଏବେ ଭିନ୍ନ ମୋଡ଼ ନେଇଛି। ଦଳର ପ୍ରାୟ ୧୫ ବିଧାୟକ ଶରଦ ପାୱାର ଗୋଷ୍ଠୀ ସହ ‌ଯୋଗାଯୋଗରେ ଅଛନ୍ତି ବୋଲି ଦାବି ହୋଇଛି। ଏହାକୁ ନେଇ ଅସ୍ଥିରତା ବଢ଼ିଯାଇଛି।

ଆଜି ଏନ୍‌ସିପି ବୈଠକ‌ରେ ଧର୍ମରାଓ ବାବା ଆତ୍ରମ, ନରହରି ଜିରୱାଲ, ସୁନୀଲ ଟିଙ୍ଗ୍ରେ, ରାଜେନ୍ଦ୍ର ଶିଙ୍ଗାଣେ ଏବଂ ଆନ୍ନା ବନସୋଡ଼େ ଅନୁପସ୍ଥିତ ଥିଲେ। ଅନ୍ୟ କେତେକ ବିଧାୟକ ବୈଠକ ନେଇ ଆଦୌ ଗମ୍ଭୀର ନଥିଲେ। ଅନ୍ୟପ‌କ୍ଷେ ଏନସିପି (ଶରଦ ପାୱାର) ରାଜ୍ୟ ସଭାପତି ଜୟନ୍ତ ପାଟିଲ ଆଜି କହିଛନ୍ତି, ଅନେକ ‌ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି। ଜୁନ୍‌ ୯ ତାରିଖରେ ଆମେ ପରବର୍ତ୍ତୀ ରଣନୀତି ସଂପର୍କରେ ଘୋଷଣା କରିବୁ। କିନ୍ତୁ ଅଜିତ ପାୱାର ଗୋଷ୍ଠୀ ଜୟନ୍ତ ପାଟିଲଙ୍କ ଦାବିକୁ ଖଣ୍ଡନ କରିଛି। ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଅଛି। ଗତ ବର୍ଷ ଅଜିତ ପାୱାର ତାଙ୍କ କାକା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରି ଏନସିପି ଦଳକୁ ଦୁଇଭାଗ କରିଦେଇଥିଲେ। ଇତିମଧ୍ୟ‌ରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏନଡିଏ ମେଣ୍ଟକୁ ଫେରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଥିବାରୁ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ହଇଚଇ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe