ବାଲିକୁଦା ବ୍ଲକ୍‌: ସରପଞ୍ଚ ପାଇଁ ଆକର୍ଷଣ, ସମିତି ସଭ୍ୟ ପାଇଁ ଲବି ଜୋର୍

Advertisment

ପଞ୍ଚାୟତରେ ଝଲସିଲାଣି ମାଳମାଳ ବ୍ୟାନର୍‌

ପଞ୍ଚାୟତରେ ଝଲସିଲାଣି ମାଳମାଳ ବ୍ୟାନର୍‌

ବାଲିକୁଦା ବ୍ଲକ୍‌: ସରପଞ୍ଚ ପାଇଁ ଆକର୍ଷଣ, ସମିତି ସଭ୍ୟ ପାଇଁ ଲବି ଜୋର୍

ମାଛଗାଁ: ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ୍‌ ନହରଣା ଓ ମରିଚପୁର ପଞ୍ଚାୟତରେ ଏବେଠୁ ମାଳମାଳ ବ୍ୟାନର୍‌ ଝୁଲିଲାଣି। ନହରଣା ପଞ୍ଚାୟତ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ହୋଇଥିବା ବେଳେ ସେଠାରେ ଶାସକ ଦଳର ୪ ଜଣ ଆଶାୟୀ ସରପଞ୍ଚ ପାର୍ଥୀଙ୍କ ହାଯୋଡ଼ା ବ୍ୟାନର୍‌ ଲାଗିଲାଣି। କଂଗ୍ରେସ ଓ ବିଜେପି ପକ୍ଷରୁ ମଧ୍ୟ ୨ ଜଣ ଲେଖାଏଁ ଆଶାୟୀ ବ୍ୟାନର ଲଗାଇ ପଞ୍ଚାୟତବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେପଟେ ମରିଚପୁର ପଞ୍ଚାୟତରେ ଶାସକ ଦଳର ୬ ଜଣ ପାର୍ଥୀ ସାମ୍ନାକୁ ଆସିଥିବା ବେଳେ ବିରୋଧୀ ଏପର୍ଯ୍ୟନ୍ତ ମୁହଁ ଦେଖାଇ ନାହାନ୍ତି। ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି। ପଞ୍ଚାୟତ ନିର୍ବାଚନ ଓ ସଂରକ୍ଷଣ ତାଲିକା ଘୋଷଣା ପରେ ବାଲିକୁଦା ବ୍ଲକର ସମସ୍ତ ୩୦ ପଞ୍ଚାୟତରେ ଏଭଳି ନିର୍ବାଚନୀ ମାହୋଲ ରୋଚକ ସ୍ଥିତି ସୃଷ୍ଟି କଲାଣି। ପ୍ରମୁଖ ରାଜନୈତିକ ଦଳର ନେତାମାନେ ପାଗ ଭିଡିଲେଣି। ଶାସକ ବିଜେଡି ଦଳ ଏଦୃଷ୍ଟିରୁ ସବୁଠୁ ଆଗରେ। ବିଜେପି ଓ କଂଗ୍ରେସ ଭଳି ପ୍ରମୁଖ ରାଜନୈତିକ ଦଳ ମଧ୍ୟ କିଛି କମ୍‌ ନୁହଁ। ପଞ୍ଚାୟତରେ ଆଶାୟୀଙ୍କ ହାତଯୋଡ଼ି ନିବେଦନ କରୁଥିବା ଫଟୋ ଥିବା ବ୍ୟାନର୍‌ ଝଲସୁଥିବା ବେଳେ ମାଳମାଳ ନୂଆ ଆଶାୟୀଙ୍କ ମୁହଁକୁ ଲୋକମାନେ ବେଶ୍‌ ନିରୀକ୍ଷଣ କରୁଛନ୍ତି। ଉତ୍ସୁକତାର ସହ ସେମାନଙ୍କ ବିଷୟରେ ଆଲୋଚନା କରୁଛନ୍ତି।

ବିଭିନ୍ନ ପଞ୍ଚାୟତରେ କର୍ମୀ ସମ୍ମିଳନୀମାନ ଆରମ୍ଭ ହୋଇଯାଇଛି। ପର୍ଯ୍ୟବେକ୍ଷକମାନେ ମଧ୍ୟ ଦଳୀୟ ସ୍ଥିତି ଅନୁଧ୍ୟାନ ପାଇଁ ପଞ୍ଚାୟତ ଗସ୍ତ କରୁଛନ୍ତି। ସେମାନଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଏହି ଆଶାୟୀମାନେ ଆଗୁଆ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସଂରକ୍ଷଣ ତାଲିକା ପ୍ରସ୍ତୁତ ହେବା ପରେ ପ୍ରମୁଖ ୩ ଦଳର ଆଶାୟୀ ବ୍ୟାନର ହୋଡ଼ିଂ ସବୁ ବଜାରଘାଟରେ ଲଗାଇ ପଞ୍ଚାୟତବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସରପଞ୍ଚଙ୍କ ହାତରେ ପଞ୍ଚାୟତର ସମସ୍ତ କ୍ଷମତା ରହୁଥିବା ବେଳେ କାର୍ଯ୍ୟକାଳ ଭିତରେ କୋଟିଏ ଦୁଇ କୋଟି ଟଙ୍କାର ଅନୁଦାନ ଖର୍ଚ୍ଚ ହେଉଛି। ଏଣୁ ସରପଞ୍ଚ ପଦଟି ଲାଭଜନକ ପଦବି ମନେକରି ଏବେ ଶିକ୍ଷିତବର୍ଗ ମଧ୍ୟ ଆକର୍ଷିତ ହେଲେଣି। ତେବେ ସମିତିସଭ୍ୟ ପଦ ପାଇଁ ସେଭଳି ଆକର୍ଷଣ ନଥିବା ଦେଖିବାକୁ ମିଳିଛି। କେବଳ ଯେଉଁ ପାର୍ଥୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇବା ଲୋଭରେ ଅଛନ୍ତି ସେମାନେ ଏହି ପଦବି ଲାଗି ନିଜକୁ ଆଗକୁ ଆଣିବା ସହ ନିଜ ଦଳର ନେତାଙ୍କ ପାଖରେ ଲବି ଆରମ୍ଭ କରିଦେଇଛନ୍ତି। ଏବେଠୁ ବାଲିକୁଦା ବ୍ଲକ୍‌ରେ ଶାସକ ଦଳର ସେପରି ୪ ଜଣ ଆଶାୟୀ ସଦସ୍ୟ ଲବି ଆରମ୍ଭ କରି ଦେଇଛନ୍ତି। ବିଜେପି ଓ କଂଗ୍ରେସ ସଂଗଠନ ଅପେକ୍ଷାକୃତ ଦୁର୍ବଳ ଥିବାରୁ ଆଗକୁ କିପରି ରଣକୌଶଳ ଆପଣାଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe