ଭୋଟ୍ ବର୍ଜନ ପାଇଁ ପୋଷ୍ଟର୍: ବୁଝାସୁଝା ପରେ ପୋଲିଂ ପାର୍ଟିକୁ ଛାଡ଼ିଲେ

Advertisment

ମତଦାନକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦ୍ବନ୍ଦ୍ବ

ମତଦାନକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦ୍ବନ୍ଦ୍ବ

ଭୋଟ୍ ବର୍ଜନ ପାଇଁ ପୋଷ୍ଟର୍: ବୁଝାସୁଝା ପରେ ପୋଲିଂ ପାର୍ଟିକୁ ଛାଡ଼ିଲେ

ରା.ଉଦୟଗିରି: ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ଅନଘା ପଞ୍ଚାୟତ ତୁବୁରୁସିଂ ଗ୍ରାମବାସୀ ଭୋଟ୍‌ ବର୍ଜନ ପାଇଁ ଚେତାବନୀ ଦେଇ ଗାଁ ମୁଣ୍ଡରେ ପୋଷ୍ଟର୍ ମାରିଛନ୍ତି। ‘ରାସ୍ତା ନାହିଁ ତ ଭୋଟ୍ ନାହିଁ’ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ତୁବୁରସିଂ, ବାଲିଗୁମା ଓ ବେଣୁସାହି ୩ ନମ୍ବର ୱାର୍ଡ ବାସିନ୍ଦା ମିଳିତ ଭାବେ ଏହି ପଦକ୍ଷେପ ନେଇଛନ୍ତି। ଗତକାଲି ପୋଲିଂ ପାର୍ଟିକୁ ଗାଁ ଭିତରକୁ ନଛାଡ଼ିବାରୁ ଅଚଳାବସ୍ଥା ଦେଖାଦେଇଥିଲା। ଶେଷରେ ପ୍ରାଶାସନିକ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ଗ୍ରାମବାସୀ ପୋଲିଂ ପାର୍ଟିକୁ ଛାଡ଼ିଥିଲେ। ରାସ୍ତା ତିଆରି ପାଇଁ ମଧ୍ୟ ବିଡିଓ ପ୍ରତିଶ୍ରୁତି ଦେଇଥିଲେ। ତେବେ ଆସନ୍ତାକାଲି ମତଦାନକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ଦେଖାଦେଇଛି। ଅଧା ଗ୍ରାମବାସୀ ଭୋଟ୍ ଦେବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ଆଉ କିଛି ଗ୍ରାମବାସୀ ଭୋଟ୍ ନଦେବାକୁ ଅଡ଼ି ବସିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ହେଲା, ଅନଘା ପଞ୍ଚାୟତ ସଦର ମହକୁମାଠାରୁ ସବୁ ଗ୍ରାମର ଦୂରତା ପ୍ରାୟ ୬ କିଲୋମିଟର। କିନ୍ତୁ କେଉଁଠିକୁ ହେଲେ ପକ୍କାରାସ୍ତା ନାହିଁ। ପିଚୁ ସଡ଼କ ପାଇଁ ବାରମ୍ବାର ପ୍ରଶାସନକୁ ନିବେଦନ କରାଯାଇଥି‌ଲେ ହେଁ କୌଣସି ସୁଫଳ ମିଳିନି। ଫଳରେ ଏଥର ଭୋଟ୍ ବର୍ଜନ ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇ ପୋଷ୍ଟର୍ ମାରିଥିଲେ। ଏଠାରେ ମତଦାନ ପାଇଁ ବୁଥ୍ ନମ୍ବର ୨୩୭ ପ୍ରତିଷ୍ଠା କରାଯାଇଛି। ଗତକାଲି ରାତିରେ ପହଞ୍ଚିଥିବା ପୋଲିଂ ପାର୍ଟିକୁ ଗ୍ରାମବାସୀ ଛାଡ଼ି ନଥିଲେ। ଆଜି ସକାଳେ ରା. ଉଦୟଗିରି ବିଡିଓ ଲରିମନ୍ ଖର୍ସେଲ ଓ ରାମଗିରି ଥାନାଧିକାରୀ ଡି.ଗଜପତି ଦୋରା ତୁବୁରୁସିଂ ଗ୍ରାମକୁ ଯାଇ ଲୋକଙ୍କୁ ବୁଝାସୁଝା କଲାପରେ ପୋଲିଂ ପାର୍ଟିକୁ ଗ୍ରାମବାସୀ ବୁଥ୍‌କୁ ଛାଡ଼ିଥିଲେ।

ବେଣୁସାହି ଠାରୁ ତୁବୁରୁସିଂ ରାସ୍ତା ନିର୍ମାଣ ପାଇଁ ଗତ ମାର୍ଚ୍ଚ ୩୦ରୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ତେବେ ନିର୍ବାଚନ ଆଚରଣ ବିଧି ଲାଗିଥିବାରୁ ଭୋଟ୍ ସରିବା ପରେ ଯୁଦ୍ଧକାଳୀନ ଭିତ୍ତି‌ରେ ରାସ୍ତା ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ପ୍ରତିଶ୍ରୁତି ଉପରେ ବର୍ତ୍ତମାନ ଦ୍ବନ୍ଦ୍ବ ଉପୁଜିଥିବାରୁ ଶେଷ ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ନିଷ୍ପତ୍ତି ଝୁଲା ଅବସ୍ଥାରେ ରହିଛି। ତେବେ, ଆସନ୍ତାକାଲି ସବୁ ଚିତ୍ର ସ୍ପଷ୍ଟ ହେବ। ସ୍ଥିତି ଉପରେ ରାମଗିରି ପୁଲିସ ନଜର ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe