Image Courtesy of ANI
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନରୁ ‘ଭର୍ଚ୍ୟୁଆଲ୍’ ମାଧ୍ୟମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବର୍ଷ ୨୦୧୯-୨୦ ପାଇଁ ‘ରାଷ୍ଟ୍ରୀୟ ସେବା ଯୋଜନା ପୁରସ୍କାର’ ପ୍ରଦାନ କରିଛନ୍ତି।
ବିଶ୍ବବିଦ୍ୟାଳୟ କିଂବା କଲେଜ, (+୨) ପରିଷଦ୍, ‘ସିନିୟର୍ ସେକେଣ୍ଡାରି’, ‘ଏନ୍ଏସ୍ଏସ୍ ୟୁନିଟ୍’ କିଂବା ‘କାର୍ଯ୍ୟକ୍ରମ ଅଧିକାରୀ’ ଓ ‘ଏନ୍ଏସ୍ଏସ୍’ ସ୍ବେଚ୍ଛାସେବୀମାନଙ୍କ ଭଳି ତିନୋଟି ଭିନ୍ନ ଭିନ୍ନ ବର୍ଗରେ ସମୁଦାୟ ୪୨ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଓଡ଼ିଶାରୁ ଦୁଇଜଣ ପୁରସ୍କୃତ ହୋଇଛନ୍ତି। ସେମାନେ ହେଉଛନ୍ତି ଭୁବନେଶ୍ବର ଖାରବେଳ ନଗରସ୍ଥିତ ‘ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍’ର ‘ଏନ୍ଏସ୍ଏସ୍’ ସ୍ବେଚ୍ଛାସେବୀ ବିକ୍ରମ ବିଶୋଇ ଏବଂ ଝାଡ଼ପୋଖରିଆସ୍ଥିତ ସୀମନ୍ତ ମହାବିଦ୍ୟାଳୟର ‘ଏନ୍ଏସ୍ଏସ୍’ ସ୍ବେଚ୍ଛାସେବୀ ଜନ୍ମେଜୟ ଗିରି।
ଉତ୍ସବରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କୋବିନ୍ଦ କହିଲେ, ପୁରସ୍କାରପ୍ରାପ୍ତ ସମସ୍ତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ମାନବ ଜୀବନର ଅଟ୍ଟାଳିକା ସର୍ବଦା ଛାତ୍ର ଜୀବନର ମୂଳଦୁଆ ଉପରେ ନିର୍ମାଣ ହୋଇଥାଏ। ଜୀବନ ଶିକ୍ଷାର ଏକ ଧାରା ହୋଇଥିଲେ ବି ମୌଳିକ ବ୍ୟକ୍ତିତ୍ବ ବିକାଶ ଛାତ୍ର ଜୀବନରୁ ହିଁ ଆରମ୍ଭ ହୋଇଥାଏ। ସ୍ବେଚ୍ଛାକୃତ ଗୋଷ୍ଠୀ ସେବା ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କର ବ୍ୟକ୍ତିତ୍ବ ଏବଂ ଚରିତ୍ର ବିକାଶ କରାଇବାର ମୂଳ ଉଦ୍ଦେଶ୍ୟ ନେଇ ୧୯୬୯ରେ ମହାତ୍ମା ଗାନ୍ଧୀଙ୍କ ଜନ୍ମଶତବାର୍ଷିକୀରେ ‘ଏନ୍ଏସ୍ଏସ୍’ର (କେନ୍ଦ୍ରୀୟ ସେକ୍ଟର୍) ଅୟମାରମ୍ଭ ହୋଇଥିଲା। ‘ଏନ୍ଏସ୍ଏସ୍’ର ଆଦର୍ଶଗତ ଉନ୍ନତିକରଣ ଧାରା ମହାତ୍ମା ଗାନ୍ଧୀଙ୍କ ଆଦର୍ଶଦ୍ବାରା ଉଦ୍ବୁଦ୍ଧ ହୋଇଥିଲା। ମାନବ ସେବାରେ ମହାତ୍ମା ଗାନ୍ଧୀ ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ। ତାଙ୍କ ଜୀବନ ମାନବ ସେବାର ଅନନ୍ୟ ଦୃଷ୍ଟାନ୍ତ। ଆଜି ମଧ୍ୟ ତାଙ୍କ ଆଦର୍ଶ ଏବଂ ସେବାର ଉଚ୍ଛ୍ବାସ ପ୍ରାସଙ୍ଗିକ ଏବଂ ଆମ ସମସ୍ତଙ୍କୁ ପ୍ରେରିତ କରୁଛି।
Image Courtesy of News OnAIRରାଷ୍ଟ୍ରପତି ଆହୁରି ମଧ୍ୟ କହିଲେ ଯେ, କୋଭିଡ୍-୧୯ ମହାମାରୀ ବ୍ୟାପିବା ସମୟରୁ ମାସ୍କ୍ର ବହୁଳ ଉତ୍ପାଦନ ହେବା ପର୍ଯ୍ୟନ୍ତ ‘ଏନ୍ଏସ୍ଏସ୍’ ୨ କୋଟି ୩୦ ଲକ୍ଷ ମାସ୍କ୍ ତିଆରି କରି ଦେଶର ବିଭିନ୍ନ ପ୍ରାନ୍ତରେ ବଣ୍ଟନ କରିଛନ୍ତି।
ନୂଆଦିଲ୍ଲୀର ସୁଷମା ସ୍ବରାଜ ଭବନରୁ ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏବଂ ରାଷ୍ଟ୍ରମନ୍ତ୍ରୀ ନୀତୀଶ ପ୍ରମାଣିକ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ। ଗଣମାଧ୍ୟମକୁ ଅନୁରାଗ ଠାକୁର କହିଛନ୍ତି, ରାଷ୍ଟ୍ରଗଠନରେ ନାରୀମାନେ ବ୍ୟାପକ ଭୂମିକା ଗ୍ରହଣ କରୁଥିବା କଥା ପୁରସ୍କୃତ ହୋଇଥିବା ବ୍ୟକ୍ତିତ୍ବଙ୍କ ସଂଖ୍ୟାରୁ ଜଣାପଡୁଛି। ସେମାନଙ୍କ ମଧ୍ୟରୁ ଏକତୃତୀୟାଂଶ ହେଉଛନ୍ତି ନାରୀ ଓ ଝିଅ। ବିଭିନ୍ନ କ୍ଷେତ୍ରରେ ପ୍ରାୟ ୪୦ ଲକ୍ଷ ‘ଏନ୍ଏସ୍ଏସ୍’ ସ୍ବେଚ୍ଛାସେବୀ ସମାଜସେବା କରୁଛନ୍ତି।
Follow Us