Image Courtesy of India Today
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ପେଗାସସ୍ ସ୍ପାଏୱେର୍ ମାମଲାରେ ଆଜି ସରକାର ବିରୋଧରେ ବର୍ଷିଛନ୍ତି। ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପେଗାସସ୍ ସ୍ପାଏୱେର୍କୁ ଦେଶର ଅନୁଷ୍ଠାନ ଏବଂ ଗଣତନ୍ତ୍ର ବିରୋଧରେ ବ୍ୟବହାର କରିଛନ୍ତି। ଏହାକୁ କେବଳ ଗୋଟିଏ ଅର୍ଥରେ ‘ଦେଶଦ୍ରୋହ’ କୁହାଯିବ। ସରକାର ପେଗାସସ୍କୁ ରାଜନୈତିକ କାରଣ ପାଇଁ ବ୍ୟବହାର କରିଛନ୍ତି। ସେମାନେ ଏହାକୁ କର୍ଣ୍ଣାଟକରେ ବ୍ୟବହାର କରିଛନ୍ତି। ସୁପ୍ରିମକୋର୍ଟ ସହ ଦେଶର ସମସ୍ତ ଅନୁଷ୍ଠାନ ବିରୋଧରେ ମଧ୍ୟ ବ୍ୟବହାର ହୋଇଛି ବୋଲି ରାହୁଲ କହିଛନ୍ତି। ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତି କମିଟି ଏହି ଘଟଣାର ତଦନ୍ତ କରିବା ଆବଶ୍ୟକ ବୋଲି ରାହୁଲ କହିଛନ୍ତି। ଏହି ସହ ସେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି। ରାହୁଲ ଗାନ୍ଧିଙ୍କ ଏହି ଟିପ୍ପଣୀ ପରେ ବିଜେପି ମୁଖପାତ୍ର ରାଜ୍ୟବର୍ଦ୍ଧନ ରାଠୋର ତାଙ୍କୁ ଏକ ଚ୍ୟାଲେଂଜ କରିଛନ୍ତି । ମୋଦୀ ସରକାରଙ୍କ ଦ୍ବାରା କାହାର ବି ଫୋନ୍ ଟ୍ୟାପ୍ ହୋଇନି ଏବଂ କଂଗ୍ରେସ ଦଳ କେବଳ ଅନର୍ଥକାରୀ ବୟାନ ଦେଇ ବିଭ୍ରାନ୍ତି ସୃଷ୍ଟି କରୁଛି ବୋଲି ରାଠୋର କହିଛନ୍ତି।
ରାହୁଲ ଗାନ୍ଧିଙ୍କୁ ବିଜେପିର କଟାକ୍ଷ, ତଦନ୍ତ ପାଇଁ ଫୋନ୍ ଜମା କରନ୍ତୁ
ନୂଆଦିଲ୍ଲୀ : ପେଗାସସ୍ ତାତି ଥମୁନି। କଂଗ୍ରେସ ନେତା ରାହୁଲ ଗାନ୍ଧି ତାଙ୍କ ଫୋନ୍ ଟ୍ୟାପିଂ ହେଉଥିବା ଅଭିଯୋଗ କରିବା ପରେ ଶାସକ ବିଜେପି ପକ୍ଷରୁ କୁହାଯାଇଛି, ଯଦି ରାହୁଲ ଭାବୁଛନ୍ତି ତାଙ୍କ ଫୋନ୍ ହ୍ୟାକ୍ କରାଯାଇଛି ତା’ହେଲେ ତଦନ୍ତ ପାଇଁ ଫୋନ୍ ଜମା କରନ୍ତୁ। ବିଜେପି ମୁଖପାତ୍ର ରାଜ୍ୟବର୍ଦ୍ଧନ ରାଠୋର କହିଛନ୍ତି, ଲଗାତାର ଦୁଇଟି ଲୋକସଭା ନିର୍ବାଚନରେ ଦେଶବାସୀ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିବା ପରେ ଔଷଧ ବିକଳରେ ତାଟିଆ କାମୁଡ଼ୁଛି କଂଗ୍ରେସ। କିଛି ବି ବାହାନା କରି ସଂସଦକୁ ଠପ୍ କରିବା ପାଇଁ କଂଗ୍ରେସ ଦଳ ପକ୍ଷରୁ ଉଦ୍ୟମ ହେଉଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କୁ କଟାକ୍ଷ କରି ରାଠୋର କହିଛନ୍ତି, ‘ଆପଣଙ୍କ ଫୋନ୍ରେ କିଛି ବି ‘ଅରିଜିନାଲ’ ନାହିଁ। କିଏ କାହିଁକି ଟ୍ୟାପିଂ କରିବ। ଯଦି ଆପଣ ଭାବୁଛନ୍ତି ଏବଂ ବିଶ୍ବାସ କରୁଛନ୍ତି ତା’ହେଲେ ନିଜର ଫୋନ୍କୁ ତଦନ୍ତ ପାଇଁ ଜମା କରନ୍ତୁ। ଏହାର ବିଧିବଦ୍ଧ ତଦନ୍ତ ହେଲେ ଏ ବାବଦରେ ଆପଣ ଆହୁରି ସ୍ପଷ୍ଟ ହୋଇଯିବେ।’
Follow Us