ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୁରୁବାର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ତାଙ୍କ ପ୍ରକୋଷ୍ଠରେ ଭେଟି ଗୃହରେ ଜରୁରୀକାଳୀନ ପରିସ୍ଥିତି ପ୍ରସଙ୍ଗରେ ଅଣାଯାଇଥିବା ପ୍ରସ୍ତାବ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏ ବାବଦରେ ଗଣମାଧ୍ୟମକୁ କହିଛନ୍ତି ଯେ ଇମର୍ଜେନ୍ସି ପ୍ରସଙ୍ଗ ରାଜନୈତିକ କାରଣରୁ ସଂସଦରେ ଉଠାଯାଇଥିଲା ଏବଂ ଏହି ମାମଲାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା।
ବାଚସ୍ପତିଙ୍କ ସହ ବୈଠକରେ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ, ଆରଜେଡି ସାଂସଦ ମୀସା ଭାରତୀ ଏବଂ ଏନ୍ସିପି ଶରଦ ପାୱାର ଗୋଷ୍ଠୀ ନେତ୍ରୀ ସୁପ୍ରିୟା ସୁଲେ ମଧ୍ୟ ଉପସ୍ଥିତ ଥିଲେ। ରାହୁଲ ଏହି ଅବସରରେ ବାଚସ୍ପତିଙ୍କୁ ତାଙ୍କ ପ୍ରତିବାଦ ଜଣାଇଥିଲେ ଏବଂ ଗୃହରେ ଜରୁରୀକାଳୀନ ପରିସ୍ଥିତି ପ୍ରସଙ୍ଗ ଉଠାଇ ଭିନ୍ନ ବାତାବରଣ ସୃଷ୍ଟି କରାଯାଇଛି ବୋଲି କହିଥିଲେ।
ସୂଚନାଯୋଗ୍ୟ, ଗତକାଲି ଓମ୍ ବିର୍ଲା ଲଗାତାର ଦ୍ବିତୀୟ ଥର ପାଇଁ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ୧୯୭୫ ଜୁନ୍ରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯିବାକୁ ନିନ୍ଦା କରି ଏକ ସଂକଳ୍ପ ପାଠ କରିଥିଲେ ଏବଂ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ଏହି ଅବସରରେ ଜରୁରୀ ପରିସ୍ଥିତି ସମୟରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସ୍ମୃତିରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।
Follow Us