ଉଠିଲା ଓଷ-ମାଉଁସ-ପାଉଁଶ ପ୍ରସଙ୍ଗ: ମଞ୍ଚରେ ରବି-ତାରା ମୁହାଁମୁହିଁ

Advertisment
ଉଠିଲା ଓଷ-ମାଉଁସ-ପାଉଁଶ ପ୍ରସଙ୍ଗ: ମଞ୍ଚରେ ରବି-ତାରା ମୁହାଁମୁହିଁ

ଜୟପୁର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନିମନ୍ତେ ପୁରୀରେ ଗୋଟିଏ ମଞ୍ଚରେ ସବୁ ଦଳ ଏକାଠି ହୋଇଛନ୍ତି। କିନ୍ତୁ ଜୟପୁରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଲୋକାର୍ପଣ ଉତ୍ସବ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ମୁହାଁମୁହିଁ ହୋଇଛନ୍ତି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପୂର୍ବତନ ମନ୍ତ୍ରୀ ରବି ନନ୍ଦ ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ବିଗତ ଦିନର ପ୍ରସଙ୍ଗ ଓଷ, ମାଉଁସ, ପାଉଁଶକୁ ନେଇ ରବି-ତାରା କଥା କଟାକଟି ହୋଇଛନ୍ତି। ମଞ୍ଚରେ ଆରୋପ, ପ୍ରତ୍ୟାରୋପ ସହିତ ସମର୍ଥକମାନେ ଜିନ୍ଦାବାଦ୍ ଓ ମୁର୍ଦ୍ଦାବାଦ ନାରା ଦେବା ଘଟଣା ଜିଲ୍ଲା ରାଜନୀତିକୁ ସରଗରମ କରିଛି। ପୁଲିସ୍ ହସ୍ତକ୍ଷେପ ପରେ ବିଧାୟକଙ୍କ ସମର୍ଥକ ଚୁପ୍ ହୋଇଛନ୍ତି।

ଜୟପୁର​ ପୌରପାଳିକା ପକ୍ଷରୁ ଆଜି ରାଜନଅର ଛକରେ ଆୟୋଜିତ ହୋଇଥିଲା ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ। ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କେସିସି ବ୍ୟାଙ୍କ ସଭାପତି ଈଶ୍ବର ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ରବି ନନ୍ଦ, ପୌରାଧ୍ୟକ୍ଷ ନରି ମହାନ୍ତି, ଉପାଧ୍ୟକ୍ଷା ବି. ସୁନିତା, ଜିଲ୍ଲା ପରିଷଦ ଉପସଭାପତି ରାଧା ବିନୋଦ ସାମନ୍ତରାୟ, ଜୟପୁର ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା, ପୌର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଭାଷଣରେ ପୂର୍ବତନ ମନ୍ତ୍ରୀ ରବି ନନ୍ଦ କହିଥିଲେ, ସାରା ଓଡ଼ିଶା ଆଜି ଜଗନ୍ନାଥମୟ ହୋଇଛି। ଜୟପୁର ଏଥିରୁ ବାଦ୍ ପଡ଼ିନି। ଜଗନ୍ନାଥଙ୍କ ପରମ ଭକ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ସମସ୍ତେ ଆଜି ଏକାଠି ହୋଇଛନ୍ତି। କଥା ଛଳରେ ତାରାଙ୍କୁ ଟାର୍ଗେଟ୍ କରି ରବି କହିଥିଲେ, ଯେଉଁମାନେ ଅତୀତରେ ଜଗନ୍ନାଥଙ୍କୁ ଅତି ଅଶାଳୀନ ଭାଷାରେ ଓଷ, ମାଉଁସ, ପାଉଁଶ ସହ ତୁଳନା କରିଛନ୍ତି ତାଙ୍କୁ ଜଗନ୍ନାଥ କ୍ଷମା କରି ଦିଅନ୍ତୁ।

ରବିଙ୍କ ଏଭଳି ମନ୍ତବ୍ୟର ପ୍ରତିବାଦ କରିଥିଲେ ତାରା। ନିଜ ଭାଷଣରେ ତାରା କହିଥିଲେ, ଏହି ମଞ୍ଚ ରାଜନୀତିର ନୁହେଁ ଜଗନ୍ନାଥ ପ୍ରେମୀଙ୍କର। ଜାତି, ଧର୍ମଠାରୁ ଏହି ମଞ୍ଚ ଊର୍ଦ୍ଧ୍ବରେ। ଏହି ମଞ୍ଚ ଲଢ଼େଇ ପାଇଁ ନାହିଁ। ଯିଏ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ନୁହଁ ସିଏ ଓଷ, ମାଉଁସ, ପାଉଁଶକୁ ବିଭିନ୍ନ ଦୃଷ୍ଟିରେ ଦେଖେ। ଜଗନ୍ନାଥଙ୍କ ପାଖରେ ବିରିରୁ ତିଆରି ବରା, ପୁଳି ପୂଜା ହୁଏ। ବିରିକୁ ଆମିଷ ସହ ତୁଳନା କରାଯାଇଛି। ଯିଏ ଏହି ସଂସ୍କୃତି ବିଷୟରେ ଜାଣି ନାହାନ୍ତି ସିଏ ଏହି ମଞ୍ଚରେ ରାଜନୀତି କଲେ ଆହୁରି ତଳକୁ ଖସିବେ ବୋଲି ତାରା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe